୮ରେ ଭର୍ଚୁଆଲ ରାଲି ମାଧ୍ୟମରେ ରାଜ୍ୟବାସୀଙ୍କୁ ସମ୍ଭୋଧିତ କରିବେ ଗୃହମନ୍ତ୍ରୀ ଅମିତ ଶାହା

 ଓଡିଆଙ୍କ ବିକାଶ, ସମ୍ମାନ, ଦୁର୍ବିପାକ ମୁକାବିଲାରେ ମୋଦି ସରକାରଙ୍କ ଅବଦାନ ଅତୁଳନୀୟ
 ମୋଦିଙ୍କ ଫୋକସରେ ରହିଛି ପୂର୍ବ ଭାରତର ବିକାଶ ଏବଂ ପୂର୍ବ ଭାରତର ବିକାଶର ରୋଡମ୍ୟାପର
କେନ୍ଦ୍ରରେ ରହିଛି ଓଡିଶା
 ୨୦ ଲକ୍ଷ କୋଟି ଟଙ୍କାର ଆତ୍ମନିର୍ଭର ପ୍ୟାକେଜ ଯୋଜନାରେ ଓଡିଶା ପାଇଁ ଅନେକ ସୁଯୋଗ ରହିଛି
ଭୁବନେଶ୍ୱର,୩/୦୬: କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂରଣ ହୋଇଛି । ଏହି ଗୋଟିଏ  ବର୍ଷରେ ମୋଦି ସରକାର କେନ୍ଦ୍ରୀୟ ସ୍ତରରେ କିଛି ଏପରି ନିଷ୍ପତି ନେଇଛନ୍ତି ଯାହା ଭାରତର ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । ସେହିପରି ସମାନ ଢଙ୍ଗରେ ଓଡିଶା ପାଇଁ ମଧ୍ୟ ମୋଦି ସରକାର ଏହି ଗୋଟିଏ ବର୍ଷରେ ଅନେକ ନିଷ୍ପତି ନେଇଛନ୍ତି, ଯାହା ଓଡିଶାବାସୀଙ୍କ ପାଇଁ ସ୍ମରଣୀୟ ହୋଇ ରହିବ । ଏହି ପରିପ୍ରେକ୍ଷୀରେ ଆସନ୍ତା ୮ ତାରିଖ ଅପରାହ୍ନ ୩ଟା ୩୦ରେ ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଓଡିଶାର ଜନସାଧାରଣଙ୍କୁ ସମ୍ଭୋଧିତ କରିବେ । ରାଜ୍ୟର ସମସ୍ତ ବିଜେପି କାର୍ଯ୍ୟକର୍ତାଙ୍କ ସମେତ ରାଜ୍ୟବାସୀମାନେ ଭିଡିଓ ଲିଙ୍କ ମାଧ୍ୟମରେ ଏହି ଭର୍ଚୁଆଲ ରାଲିରେ ସାମିଲ ହୋଇ ପାରିବେ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ସୂଚନା ଦେଇଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ମୋଦିଙ୍କ ଫୋକସରେ ରହିଛି ପୂର୍ବ ଭାରତର
ବିକାଶ । ପୂର୍ବ ଭାରତର ବିକାଶର ରୋଡମ୍ୟାପର କେନ୍ଦ୍ରରେ ଓଡିଶା ରହିଛି । ମୋଦି ସରକାର ବିଭିନ୍ନ କ୍ଷେତ୍ରରେ ଓଡିଶା ଏବଂ ଓଡିଆ ଭାଇ ଭଉଣୀମାନଙ୍କୁ ପ୍ରାଧାନ୍ୟ ଦେଇ ଆସିଛନ୍ତି । ବିଗତ ୧ ବର୍ଷରେ ଓଡିଆଙ୍କ ବିକାଶ, ସମ୍ମାନ, ଦୁର୍ବିପାକ ମୁକାବିଲାରେ ମୋଦି ସରକାରଙ୍କ ଅବଦାନ ଅତୁଳନୀୟ । କରୋନା ମହାମାରିରେ ପ୍ରଭାବିତ ହୋଇଥିବା ଅର୍ଥନୀତିକୁ ସୁଧାରିବା ପାଇଁ କେନ୍ଦ୍ର ସରକାର ୨୦ ଲକ୍ଷ କୋଟି ଟଙ୍କାର ଆତ୍ମନିର୍ଭର ପ୍ୟାକେଜ ଘୋଷଣା କରିଛନ୍ତି । ଏହି ଯୋଜନାରେ ଓଡିଶା ପାଇଁ ଅନେକ ସୁଯୋଗ ଅଛି । କୃଷି କ୍ଷେତ୍ର ପାଇଁ କେନ୍ଦ୍ର ସରକାର ଯେଉଁ ପ୍ୟାକେଜ୍ ଘୋଷଣା କରିଛନ୍ତି ଏହା ସମଗ୍ର ଦେଶ ସହିତ ଓଡିଆ ଚାଷୀଙ୍କର ମେରୁଦଣ୍ଡକୁ ମଜବୁତ୍ କରିବ ।
ଆଗାମୀ ଦିନରେ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ସମସ୍ତ ଜିଲ୍ଲାରେ ଭର୍ଚୁଆଲ ରାଲି କାର୍ଯ୍ୟକ୍ରମ କରାଯିବ । ଡିଜିଟାଲ ପ୍ଲାଟଫର୍ମର ବ୍ୟବହାର କରି ପ୍ରଦେଶର କାର୍ଯ୍ୟକର୍ତାମାନେ ଏକାଠୀ ହେଉଛନ୍ତି । ଭର୍ଚୁଆଲ ରାଲିରେ ଲକ୍ଷାଧିକ ଲୋକ ଯୋଡିହେବାର ବ୍ୟବସ୍ଥା କରାଯାଇଛି । ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ଭର୍ଚୁଆଲ୍ ରାଲି ପାଇଁ ରାଜ୍ୟ ସାଧାରଣ ସଂପାଦକ ରଂଜନ ପଟେଲ ଓ ରାଜ୍ୟ ସଂପାଦକ କାଳନ୍ଦୀ ସାମଲଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।  ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ଉପସ୍ଥିତ ଥିଲେ ।

Spread the love