ମହାପ୍ରଭୁଙ୍କ ଅପେକ୍ଷାରେ ସ୍ନାନବେଦୀ

ପୁରୀ:  ରାତି ପାହିଲେ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ନୀତି ନିର୍ଘଣ୍ଟ ଅନୁଯାୟୀ, ରାତି ୧ଟାରୁ ୪ଟା ମଧ୍ୟରେ ତିନି ଠାକୁରଙ୍କ ପହଣ୍ଡି ହେବ । ରତ୍ନ ସିଂହାସନରୁ ଓହ୍ଲାଇ ଧାଡ଼ି ପହଣ୍ଡିରେ ଆସି ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି । ପ୍ରଥମେ ଚକ୍ରରାଜ ସୁଦର୍ଶନ, ତା’ ପରେ ବଡ଼ଠାକୁର ବଳଭଦ୍ର, ତାଙ୍କ ପଛକୁ ଦେବୀ ସୁଭଦ୍ରା ଏବଂ ସବା ଶେଷରେ ଆସିବେ ମହାପ୍ରଭୁ ଜଗନ୍ନାଥ । ଭୋର୍ ୪.୩୦ରେ ମଙ୍ଗଳ ଆଳତି ଏବଂ ସକାଳ ୭.୩୦ ରୁ ୯.୩୦ ମଧ୍ୟରେ ଜଳବିଜେ ଓ ସ୍ନାନବିଧି ସମ୍ପନ୍ନ ହେବ । ଦିନ ସାଢ଼େ ୧୦ଟାରେ ଛେରାପହଁରା ନୀତି ଏବଂ ମଧ୍ୟାହ୍ନ ୧୧ଟାରୁ ୧୨ଟା ମଧ୍ୟରେ ହେବ ଶ୍ରୀଜୀଉମାନଙ୍କର ହାତୀବେଶ । ବାହୁଡ଼ା ପହଣ୍ଡି ସଂଧ୍ୟା ୫ଟାରୁ ରାତି ୮ଟା ମଧ୍ୟରେ ସମ୍ପନ୍ନ କରାଯିବ । ସାହାଣମେଲା ଦର୍ଶନ ବନ୍ଦ ରହିବ ।

ହେଲେ ଏଥର ମହାପ୍ରଭୁ ବିନା ଭକ୍ତରେ ସ୍ନାନ ମଣ୍ଡପକୁ ଆସିବେ। ସେହି ଚକା ଆଖିକୁ ଦେଖିବାକୁ  ଯେଉଁଠି ହଜାର ହଜାର ଲୋକ ଗହଳି ଲାଗେ  ଏବର୍ଷ ପ୍ରତିବନ୍ଧକ ସାଜିଛି କରୋନା ଭୂତାଣୁ । କରୋନା  କଟକଣା ପାଇଁ ଭକ୍ତଙ୍କ ପାଇଁ ରୋକ  ଲଗା ଯାଇଛି। ପୁରୀ ପ୍ରଶାସନ ଓ ପୋଲିସ ଏଥିପାଇଁ ପୁରା ସଜାଗ। ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ୍ କୁମାର ନିଜେ ସମସ୍ତଙ୍କ ସହ ସମନ୍ୱୟ ରକ୍ଷା କରୁଛନ୍ତି। ସ୍ନାନଯାତ୍ରାରେ ଭକ୍ତଙ୍କ ଅନୁପସ୍ଥିତି ଓ ସାମାଜିକ ଦୂରତା ବଜାୟ ରଖିବା ଲାଗି ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସମ୍ପୂର୍ଣ୍ଣ ବଡଦାଣ୍ଡକୁ ବାରିକେଡ୍ କରାଯାଇଛି ।

ଶ୍ରୀମନ୍ଦିର ଚତୁଃପାଶ୍ୱର୍ ଏବଂ ବଡ଼ଦାଣ୍ଡରେ ୩୮ ପ୍ଲାଟୁନ୍ ଫୋର୍ସଙ୍କୁ ମୁତୟନ କରାଯାଇଛି । ୨ ଜଣ କମାଣ୍ଡାଣ୍ଟ, ୬ ଜଣ ଅତିରିକ୍ତ ଏସପି ଏବଂ ୪୪ ଜଣ ଇନସପେକ୍ଟର ରହିବେ । ୪ଟି ସିଫ୍ଟ୍ ରେ ସେମାନଙ୍କୁ ୨୪ ଘଣ୍ଟା ଡୁ୍ୟଟି ଦିଆଯାଇଛି । କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂ ଆଜି ବ୍ୟବସ୍ଥାର ତଦାରଖ କରିଛନ୍ତି ।

Spread the love