ଆନ୍ଧ୍ରପ୍ରଦେଶ ରାଜ୍ୟପାଳଙ୍କ ହସ୍ତକ୍ଷେପ ଯୋଗୁଁ ଆଣ୍ଡାମାନ ଦ୍ୱିପରୁ ଫେରୁଛନ୍ତି ଓଡ଼ିଆ ପ୍ରବାସୀ ଶ୍ରମିକ

୧୦୦ରୁ ଉର୍ଦ୍ଧ୍ୱ ଓଡ଼ିଆ ପ୍ରବାସୀ ଶ୍ରମିକ ଆଣ୍ଡାମାନ ଦ୍ୱିପରେ ଫସିରହି ଅତ୍ୟନ୍ତ ଦୁôଃଖଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିଲା ବେଳେ ସେମାନଙ୍କ ମଧ୍ୟରୁ  କିଛି ଶ୍ରମିକ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନକୁ ଓଡ଼ିଶା ଫେରାଇ ଆଣିବା ପାଇଁ
ଫୋନ ଯୋଗେ ଆକୁଳ ନିବେଦନ କରିଥିଲେ । ରାଜ୍ୟପାଳ ଶ୍ରୀଯୁକ୍ତ ହରିଚନ୍ଦନ ସେମାନଙ୍କୁ ସେଠାରୁ ଫେରାଇବାର ପ୍ରତିଶ୍ରୁତି ଦେବା ସହିତ ଏହା ଉପରେ ହସ୍ତକ୍ଷେପ କରିଥିଲେ ଓ ସେଠାକାର ପ୍ରଶାସନ ସହିତ କଥାବାର୍ତ୍ତା କରି ସେମାନଙ୍କୁ ଫେରାଇବା ଆଣିବା ପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ । ମହାମାରୀ କୋରନା ଯୋଗୁଁ ପୁରା ଦେଶ ଲକ୍‌ଡାଉନ୍ ହୋଇଯିବା କାରଣରୁ ଦେଶର ପ୍ରତ୍ୟେକ ନାଗରୀକ ବର୍ତ୍ତମାନ ସମୟରେ ନାହିଁ ନଥିବା ଅବସ୍ଥା ଭୋଗ କରୁଛି । ଏହି ସମୟରେ ଓଡ଼ିଶାରୁ
ଆଣ୍ଡାମାନ ଦ୍ୱିପକୁ ନିଜର ଗୁଜୁରାଣ ମେଣ୍ଟାଇବାକୁ ଯାଇଥିବା ଶତାଧିକ ଶ୍ରମିକ ଏହାର ଶିକାର  ହୋଇଛନ୍ତି ।

ପ୍ରକାଶଥାଉକି ଗତ ଫେବୃୟାରୀ ମାସରେ ମେସର୍ସ ସୁରେନ୍ଦ୍ର ଇନ୍‌ଫ୍ରାଷ୍ଟକ୍‌ଚରର୍ସ ପ୍ରା.ଲି. ଓ  ହିନ୍ଦୁସ୍ତାନ ଏଣ୍ଟରପ୍ରାଇଜର୍ସ ନାମକ ଦୁଇଟି କମ୍ପାନୀ ଓଡ଼ିଶାରୁ ଶତାଧିକ ଶ୍ରମିକମାନଙ୍କୁ ନେଇ ଆଣ୍ଡାମାନ ଦ୍ୱୀପରେ ଦାଦନ ଶ୍ରମିକ ଭାବେ କର୍ମନିଯୁକ୍ତି ଦେଇଥିଲା । ଦୀର୍ଘ ଦେଢ଼ମାସ ହେବ କମ୍ପାନୀ କର୍ତ୍ତୁପକ୍ଷ ଉକ୍ତ
ଶ୍ରମିକମାନଙ୍କୁ ସେମାନଙ୍କ ପ୍ରାପ୍ୟ ନଦେଇ ହଇରାଣ କରୁଥିବା ସମୟରେ ଦେଶରେ ଲକ୍‌ଡାଉନ୍ ଲାଗୁ  ହୋଇଥିଲା । କମ୍ପାନୀ ଏହାର ସୁଯୋଗ ନେଇ ସେମାନଙ୍କୁ ସଂପୂର୍ଣ୍ଣ ଅଣଦେଖା କରିବା ସହିତ ସେମାନେ ରହୁଥିବା କମ୍ପାନୀର ଏକ ଅସ୍ଥାୟୀ କୁଟିରରୁ ମଧ୍ୟ ସେମାନଙ୍କୁ ବାହାର କରିଦେଇଥିଲା । ଏହିଭଳି  ପରିସ୍ଥିତିରେ ଆଣ୍ଡାମାନ ଦ୍ୱୀପ ପ୍ରଶାସନ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନଙ୍କ କଥା  ରକ୍ଷାକରି ସେଠାରେ ଫସିଥିବା ଶତାଧିକ ଓଡ଼ିଆ ଶ୍ରମିକମାନଙ୍କୁ ଆସ୍ତନ୍ତା କାଲି ସ୍ୱଗୃହକୁ ପଠାଇବାର ସୁବନ୍ଦୋବସ୍ତ କରିଛନ୍ତି । ଉକ୍ତ ଶ୍ରମିକମାନେ ସ୍ୱଗୃହକୁ ଫେରିବାର ଖବର ପାଇ ଖୁସି ପ୍ରକାଶ କରିବା ସହିତ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ  ହରିଚନ୍ଦନଙ୍କୁ ଏଥିପାଇଁ ସେମାନଙ୍କର କୃତଜ୍ଞତା ଜଣାଇଛନ୍ତି ।

Spread the love