ବର୍ଜ୍ୟ ବସ୍ତୁରୁ ଉର୍ଜା କାର୍ଯ୍ୟକ୍ରମରେ ଭାରତକୁ ବିଶ୍ୱରେ ଅଗ୍ରଣୀ କରିବା ପାଇଁ ଉଦ୍ୟମ କରିବା – ଧର୍ମେନ୍ଦ୍ର ପ୍ରଧାନ

ଜାତିସଂଘର ମହାସଚିବ ସତ୍ୟ ଏସ. ତ୍ରିପାଠୀଙ୍କ ସହ ଭିସି ଜରିଆରେ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ।
ସିବିଜି, ଜୈବ ଇଥାନଲ, ଜୈବ ସାର ଏବଂ ଜୈବ ଇନ୍ଧନ କ୍ଷେତ୍ରରେ ଥିବା ସମ୍ଭାବନା ଦିଗରେ  ଆଲୋଚନା ।
ଦେଶରେ ପର୍ଯ୍ୟାୟକ୍ରମେ ପ୍ରତିଷ୍ଠା କରାଯାଉଥିବା ୫ ହଜାର ସିବିଜି ପ୍ଲାଂଟ ଆତ୍ମନିର୍ଭର ଭାରତ ଗଠନ ଦିଗରେ ଅଗ୍ରସର କରିବ ।
ନୂଆଦିଲ୍ଲୀ/ଭୁବନେଶ୍ୱର : ବିଶ୍ୱପରିବେଶ ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର  ପ୍ରଧାନ ଆଜି ନ୍ୟୁୟର୍କ ଜାତିସଂଘ ପରିବେଶ କାର୍ଯ୍ୟକ୍ରମର ସହକାରୀ ମହାସଚିବ ସତ୍ୟ ଏସ. ତ୍ରିପାଠୀଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେ ଭାରତର ଜୈବ ଇନ୍ଧନ କ୍ଷେତ୍ରରେ ଥିବା ସମ୍ଭାବନା ଦିଗରେ  ଆଲୋଚନା କରିଛନ୍ତି । ବର୍ଜ୍ୟ ବସ୍ତୁରୁ ଉର୍ଜା କାର୍ଯ୍ୟକ୍ରମରେ ବିଶ୍ୱରେ ଭାରତକୁ ଅଗ୍ରଣୀ କରିବା ପାଇଁ
ଉଦ୍ୟମ କରିବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଥିଲେ । ଏହି ଆଲୋଚନାରେ ବ୍ୟାଙ୍କି ଅନୁଷ୍ଠାନର ମୁଖ୍ୟ ଓ ଜୈବ ଇନ୍ଧନ କ୍ଷେତ୍ରର ପ୍ରମୁଖ ଅଂଶୀଦାରମାନେ ଉପସ୍ଥିତ ଥିଲେ ।  ସିବିଜି, ଜୈବ ଇଥାନଲ, ଜୈବ ସାର ଏବଂ ଜୈବ ଇନ୍ଧନ କ୍ଷେତ୍ରରେ ଥିବା ସୁଯୋଗ ଉପରେ ଶ୍ରୀ  ପ୍ରଧାନ ଆଲୋକପାତ କରିଥିଲେ । ସେ କହିଛନ୍ତି ଯେ ଭାରତ ସରକାର ଜୈବ ଇନ୍ଧନ ଦିଗରେ ଅନେକ  ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛନ୍ତି । ଦେଶର ବିଭିନ୍ନ ଅଂଚଳରେ ପର୍ଯ୍ୟାୟକ୍ରମେ ୫ ହଜାର ସିବିଜି ପ୍ଲାଂଟ  ପ୍ରତିଷ୍ଠା କରାଯାଉଛି । ଏହା ଜୈବ ଇନ୍ଧନ କ୍ଷେତ୍ରର ଅର୍ଥନୀତିକୁ ଗତି ଦେବ ଏବଂ ନିଯୁକ୍ତି ସୃଷ୍ଟି କରିବା  ସହ ଦେଶର ବିକାଶ କରିବା ସହ ଆତ୍ମନିର୍ଭର ଭାରତ ଗଠନ ଦିଗରେ ଆଗ୍ରସର କରିବ ।  କୃଷି ବର୍ଜ୍ୟ ବସ୍ତୁ ଏବଂ ଅନ୍ୟାନ୍ୟ ଅବଶିଷ୍ଟାଂଶକୁ ଉର୍ଜାରେ ପରିଣତ କରିବା ଦ୍ୱାରା ପରିବେଶ ସ୍ୱଚ୍ଛ ରହିବା
ସହ ଜନ ସ୍ୱାସ୍ଥ୍ୟ ଏବଂ ଗ୍ରାମୀଣ ଅର୍ଥନୀତିରେ ମଧ୍ୟ ସୁପ୍ରଭାବ ପକାଇବ । ଆଜିର ଆଲୋଚନା  ଆବର୍ଜନାରୁ ଉର୍ଜା କାର୍ଯ୍ୟକ୍ରମ ଦିଗରେ ଭାରତର ପ୍ରଚେଷ୍ଟାକୁ ତ୍ୱରାନ୍ୱିତ କରିବ ଏବଂ ଭଲ ବ୍ୟବସାୟ  ମଡେଲ ପ୍ରତିଷ୍ଠା କରିବ, ଯାହା ଅଂଶୀଦାର, ଚାଷୀ ଏବଂ ଉଦ୍ୟୋଗୀଙ୍କ ପାଇଁ ଫଳପ୍ରଦ ହେବ ବୋଲି ଶ୍ରୀ  ପ୍ରଧାନ କହିଛନ୍ତି ।

Spread the love