ନବରଙ୍ଗପୁର ଜିଲ୍ଲା କୋଭିଡ୍‌-୧୯ ସମୀକ୍ଷା କଲେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା

ଭୁବନେଶ୍ୱର, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଂଜୟ କୁମାର ଦାସବର୍ମା ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ କୋଭିଡ୍‌-୧୯ ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାଗୁଡ଼ିକର ସମୀକ୍ଷା କରିଥିଲେ । ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ଅଜିତ କୁମାର ମିଶ୍ର, ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, ବିଡ଼ିଓ, ତହସିଲଦାର ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ ।

ଶ୍ରୀ ଦାସବର୍ମା ସାରା ରାଜ୍ୟ କରୋନା ମହାମାରୀ ଭଳି ବିପର୍ଯ୍ୟୟକୁ ମୁକାବିଲା କରୁଥିବା ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲାରେ ଏହାକୁ ମୁକାବିଲା କରିବା ପାଇଁ ଚାଲିଥିବା ପ୍ରସ୍ତୁତି ଓ ପରିଚାଳନା ବିଷୟରେ ଜିଲ୍ଲାପାଳଙ୍କଠାରୁ ଅବଗତ ହେବା ସହ ବିସ୍ତୃତ ଆଲୋଚନା କରିଥିଲେ । ନବରଙ୍ଗପୁର ଜିଲ୍ଲାର ସଙ୍ଗରୋଧ କେନ୍ଦ୍ର, ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରର ପରିଚାଳନା, ସାନିଟାଇଜେସନ୍‌, କୋଭିଡ୍‌ ସେବା କେନ୍ଦ୍ରରେ ଅଧିକ ସଂଖ୍ୟକ ଶଯ୍ୟାର ଆବଶ୍ୟକତା, ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା, ରାଜ୍ୟକୁ ଆସୁଥିବା ଏବଂ ଅନ୍ୟ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଶ୍ରମିକମାନଙ୍କ ଯନି, ଜାତୀୟ ଓ ରାଜ୍ୟ ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀ, ମନରେଗାରେ ଅଧିକ ଶ୍ରମଦିବସ ସୃଷ୍ଟି, ଖରିଫ ଫସଲ, ବିହନ ବିତରଣ, ମିଶନ ଶକ୍ତି, ମିଶନ ସୁବିଦ୍ୟା, ପିଡ଼ିଏସ୍‌ ସାମଗ୍ରୀ ବିତରଣ, ଗ୍ରୀଷ୍ମଋତୁରେ ପାନୀୟ ଜଳଯୋଗାଣ ବ୍ୟବସ୍ଥା, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା, ଧାନ ଓ ମକା ସଂଗ୍ରହ ସଂପର୍କରେ
ଜିଲ୍ଲାପାଳ ଶ୍ରୀ ଅଜିତ କୁମାରଙ୍କ ସହ ସେ ଆଲୋଚନା କରିଥିଲେ । ଏହି ଅବସରରେ ଶ୍ରୀ ଦାସବର୍ମା ନବରଙ୍ଗପୁର ଅନ୍ତର୍ଗତ ନନ୍ଦାହାଣ୍ଡି, ତେନ୍ତୁଳିଖୁଣ୍ଟି, ପାପଡ଼ାହାଣ୍ଡି, କୋସାଗୁମୁଡ଼ା, ଡାବୁଗାଁ,ଉମରକୋଟ, ରାଇଘର, ଝରିଗାଁ, ଚନ୍ଦାହାଣ୍ଡି ଏବଂ ନବରଙ୍ଗପୁର ବ୍ଲକ୍‌ର ବିଡ଼ିଓମାନଙ୍କ ସହ ମଧ୍ୟ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ନେଇ ଆଲୋଚନା କରିଥିଲେ ।

ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ମାଝୀ, ନବରଙ୍ଗପୁର ବିଧାୟକ ଶ୍ରୀ ସଦାଶିବ ପ୍ରଧାନୀ,ଉମରକୋଟ ବିଧାୟକ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ଝରିଗାଁ ବିଧାୟକ ଶ୍ରୀ ପ୍ରକାଶ ମାଝୀ, ଡାବୁଗାଁ ବିଧାୟକ ଶ୍ରୀ ମନୋହର ରନ୍ଧାରୀ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀମତୀ ଭଗବତୀ ଭଦ୍ରା, ଉପାଧ୍ୟକ୍ଷ ଶ୍ରୀମତୀ ନିବେଦିତା ମହାନ୍ତି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Spread the love