ସଟ୍‌ଡାଉନ୍‌ ପାଇଁ କମିସନ‌ରେଟ୍‌ ପୁଲିସର ଗାଇଡ଼ଲାଇନ: ଜରୁରୀକାଳୀନ ଯାତାୟାତ ପାଇଁ କେଉଁ ପ୍ରମାଣପତ୍ରର ଆବଶ୍ୟକତା ରହିଛି

ରାଜ୍ୟରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୧ଟି ଜିଲ୍ଲାରେ ଜାରି ହୋଇଛି ଦୁଇ ଦିନିଆ ସଟଡାଉନ କଟକଣା । ଜୁନ ୩୦ ଯାଏଁ ପ୍ରତି ସପ୍ତାହରେ ଦୁଇ ଦିନ ତଥା ପ୍ରତି ଶନିବାର ଓ ରବିବାର ଭୁବନେଶ୍ବରରେ ସମେତ ୧୧ଟି ଜିଲ୍ଲା ସଂପୂର୍ଣ୍ଣ ବନ୍ଦ ଘୋଷଣା କରାଯାଇଛି । ଏହାକୁ କଡ଼ାକଡ଼ି କରିବା ପାଇଁ ଆଜି କମିସନ‌ରେଟ୍‌ ପୁଲିସ ସମସ୍ତ ପ୍ରସ୍ତୁତି କରିଥିବା ବେଳେ ଭୁବନେଶ୍ବରର ୪୩ଟି ଜାଗାରେ ନାକାବନ୍ଦୀ କରିବା ସହ କୌଣସି ପ୍ରକାରର ଅନଧିକୃତ ବ୍ୟକ୍ତି ବା ଯାନବାହନକୁ ନ ଛାଡ଼ିବା ପାଇଁ ନିଷ୍ପତି ନେଇଛନ୍ତି। ଜୁନ୍‌ ମାସ ସବୁଠାରୁ ସମ୍ବେଦନଶୀଳ ହୋଇଥିବାରୁ ସଟ୍‌ଡାଉନ୍‌ ପାଳନରେ କୌଣସି ଗଳାବାଟ ଛାଡ଼ିବାକୁ କମିସନରେଟ୍‌ ପୁଲିସ୍‌ ଚାହୁଁ ନାହିଁ। ଦୁଇ ଦିନ ଜରୁରୀକାଳୀନ ସେବା ଛଡ଼ା ଅନଧିକୃତ ଭାବରେ ବାହାରକୁ ନ ବାହାରିବା ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସଟ୍‌ଡାଉନ୍‌ ସମୟରେ କଟକ-ଭୁବନେଶ୍ୱର ପାଇଁ ଆଜି ଗାଇଡ଼ଲାଇନ ଜାରି କରିଛି କମିସନ‌ରେଟ୍‌ ପୁଲିସ | କେନ୍ଦ୍ର ଓ ରାଜ୍ୟ ସରକାର କର୍ମଚାରୀଙ୍କ ପାଇଁ ଆଇଡି କାର୍ଡ ଜରୁରୀ, ଟେଲିକମ୍ କର୍ମଚାରୀ ଆଇଡି କାର୍ଡ ବ୍ୟବହାର କରି ଯାତାୟାତ କରି ପାରିବେ ,ଗଣମାଧ୍ୟମ କର୍ମଚାରୀ ଯାତାୟାତ ପାଇଁ ଆଇଡି କାର୍ଡ ବ୍ୟବହାର କରିବା ଜରୁରୀ ଏବଂ ପରିବହନ ଗାଡି ପାଇଁ କୌଣସି ପାସର ଆବଶ୍ୟକତା ନାହିଁ ବୋଲି ସ୍ପଷ୍ଟ କରିଛି କମିସନ‌ରେଟ୍‌ ପୁଲିସ | ଏହା ସହ ବାହାଘର କିମ୍ବା ଶେଷକୃତ୍ୟ ପାଇଁ ଯିବାକୁ ହେଲେ, ସ୍ଥାନୀୟ ଥାନାରୁ ସ୍ବୀକୃତି ଆଣିବାକୁ ପଡ଼ିବ। ଏହି ସ୍ବୀକୃତି ବଳରେ କର୍ଫ୍ୟୁ କିମ୍ବା ସଟ୍‌ଡାଉନ୍‌ ସମୟରେ ଯାଇପାରିବେ। ବାହାଘରରେ ସର୍ବାଧିକ ୫୦ ‌ଲୋକ ଯୋଗ ଦେଇପାରିବେ। ଶେଷକୃତ୍ୟରେ ସର୍ବାଧିକ ୨୦ଲୋକ ଯୋଗ ଦେଇପାରିବେ। କେଉଁ କେଉଁ ଲୋକ ଯିବେ, କେଉଁ ଗାଡ଼ି ବ୍ୟବହାର ହେବ, ସେ ନେଇ ଲିଖିତ ଭାବେ ଜଣାଇବା ପରେ ସ୍ବୀକୃତି ମିଳିବ। ବିନା‌ ସ୍ବୀକୃତିରେ ଚଳପ୍ରଚଳ କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସ୍ପଷ୍ଟ କରାଯାଇଛି।

Spread the love