‘ବନ୍ଦେ ଉତ୍କଳ ଜନନୀ’ ଗାନର ମାନ୍ୟକ୍ରମ ସ୍ଥିର କଲେ ସରକାର

ଭୁବନେଶ୍ୱର, ୭/୦୬:  ବନ୍ଦେ ଉତ୍କଳ ଜନନୀ । କୀର୍ତ୍ତିମାଳିନୀ ଉତ୍କଳ ଜନନୀଙ୍କର ପବିତ୍ର ଆବାହନୀ ସଙ୍ଗୀତ । ଓଡ଼ିଆ ଜାତିର ଅସ୍ମିତା ଓ ସ୍ୱାଭିମାନର ସଙ୍ଗୀତ । ନୈସର୍ଗିକ ପ୍ରାକୃତିକ ଶୋଭା, ଅନନ୍ୟ କୀର୍ତ୍ତିରାଜି ଓ ଉତ୍କୃଷ୍ଟ କଳା ବିମଣ୍ଡିତ, ଉତ୍କଳ ଜନନୀଙ୍କର ଜୟଗାନ ଏହି ସଙ୍ଗୀତକୁ ଅମୃତମୟ କରିବା ସହ କୋଟି କୋଟି ଓଡ଼ିଆଙ୍କୁ ଜାତି ପ୍ରେମର ସୁଦୃଢ ବନ୍ଧନରେ ବାନ୍ଧି ରଖିବା ସହ ଓଡ଼ିଶାର ଗୌରବକୁ ବିଶ୍ୱବ୍ୟାପୀ କରିବା ପାଇଁ ପ୍ରେରଣା ଦେଇଆସିଛି । ଦେଶାତ୍ମବୋଧ ଓ ଜାତୀୟତାବୋଧ ହେଉଛି ଏହି ସଙ୍ଗୀତର ଅନ୍ତଃସ୍ୱର ।
କୋଭିଡ୍‌ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ୨୦୨୦ ମଇ ୩୦ ତାରିଖ ଶନିବାର ସନ୍ଧ୍ୟା ୫ ଘଟିକା ୩୦ ମିନିଟ୍‌ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିବେଦନ କ୍ରମେ ଦେଶ ବିଦେଶର କୋଣ ଅନୁକୋଣରେ ରହୁଥିବା ଓଡ଼ିଆ ଭାଇଭଉଣୀମାନେ ଯେଭଳି ଏକତାନରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରି ଜାତି ପ୍ରେମର ନିଦର୍ଶନ ଦେଖାଇଛନ୍ତି ତାହା ଅତୁଳନୀୟ । ଉତ୍କଳ ଜନନୀଙ୍କ ବନ୍ଦନାରେ ସେଦିନ ଗାଁ, ସହର, ନଗର, ପଲ୍ଲୀ ମୁଖରିତ ହୋଇ ଉଠିଥିଲା । ସାଢେ ଚାରିକୋଟି ଓଡ଼ିଆଙ୍କ କଣ୍ଠରେ ଥିଲା ଗୋଟିଏ ସ୍ୱର, ଉତ୍କଳ ଜନନୀଙ୍କର ଜୟଗାନ । ବନ୍ଦେ ଉତ୍କଳ ଜନନୀ । ଏଥିପାଇଁ ଆଜି ରାଜ୍ୟ କ୍ୟାବିନେଟ୍‌ ଓଡ଼ିଶା ସମେତ ଦେଶବିଦେଶର ରହୁଥିବା ଆମର ଓଡ଼ିଆ ଭାଇଭଉଣୀମାନଙ୍କୁ ଧନ୍ୟବାଦ ଜଣାଉଛି । ବର୍ତ୍ତମାନର କଠିନ ପରିସ୍ଥିତିରେ ଏହି ସଙ୍ଗୀତ ଆମ ସଂକଳ୍ପକୁ ଆହୁରି ଦୃଢ କରିବା ସହିତ ଆଗକୁ ବଢିବା ପାଇଁ ପ୍ରେରଣା ଦେଇଛି । ସାରା ଓଡ଼ିଶା ଆଜି ଏହି ସଙ୍ଗୀତ ତାନରେ ଏକ୍‌ଜୁଟ୍‌ ହୋଇଛି । ଏ ଜାତି ଏକ ମନ, ଏକ ପ୍ରାଣ ହୋଇ ଜାଗି ଉଠିଛି ।
୨୦୨୦ ମଇ ୩୦ ତାରିଖ ସନ୍ଧ୍ୟା ୫ ଘଟିକା ୩୦ ମିନିଟ୍‌ ସମୟରେ ସାରା ବିଶ୍ୱର କୋଣ ଅନୁକୋଣ ଉତ୍କଳ ଜନନୀଙ୍କ ବନ୍ଦନାରେ ଝଂକୃତ ହୋଇ ଉଠିଥିଲା । ଏହି ବିରଳ ଅନୁଭବକୁ ସଦା ସତେଜ ରଖିବା ପାଇଁ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଓଡ଼ିଆ ଭିଡିଓ ମାଧ୍ୟମରେ ଚିତ୍ର ଉତ୍ତୋଳନ କରି ଓଡ଼ିଶା ସରକାରଙ୍କ ପାଖକୁ ପ୍ରେରଣ କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ମହତ୍‌ ଉଦ୍ଦେଶ୍ୟ ପ୍ରତି ଦୃଢ ସମର୍ଥନ ଜ୍ଞାପନ କରିଛନ୍ତି । ସେଥିପାଇଁ ରାଜ୍ୟ କ୍ୟାବିନେଟ୍‌ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି ।
କୋଭିଡ୍‌ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ୨୦୨୦ ମଇ ୩୦ ତାରିଖ ଶନିବାର ସନ୍ଧ୍ୟା ୫ ଘଟିକା ୩୦ ମିନିଟ୍‌ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିବେଦନ କ୍ରମେ ଦେଶ ବିଦେଶର କୋଣ ଅନୁକୋଣରେ ରହୁଥିବା ଓଡ଼ିଆ ଭାଇଭଉଣୀମାନେ ଯେଭଳି ଏକତାନରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରି ଜାତି ପ୍ରେମର ନିଦର୍ଶନ ଦେଖାଇଛନ୍ତି ତାହା ଅତୁଳନୀୟ । ଉତ୍କଳ ଜନନୀଙ୍କ ବନ୍ଦନାରେ ସେଦିନ ଗାଁ, ସହର, ନଗର, ପଲ୍ଲୀ ମୁଖରିତ ହୋଇ ଉଠିଥିଲା । ସାଢେ ଚାରିକୋଟି ଓଡ଼ିଆଙ୍କ କଣ୍ଠରେ ଥିଲା ଗୋଟିଏ ସ୍ୱର, ଉତ୍କଳ ଜନନୀଙ୍କର ଜୟଗାନ । ବନ୍ଦେ ଉତ୍କଳ ଜନନୀ । ଏଥିପାଇଁ ଆଜି ରାଜ୍ୟ କ୍ୟାବିନେଟ୍‌ ଓଡ଼ିଶା ସମେତ ଦେଶବିଦେଶର ରହୁଥିବା ଆମର ଓଡ଼ିଆ ଭାଇଭଉଣୀମାନଙ୍କୁ ଧନ୍ୟବାଦ ଜଣାଉଛି । ବର୍ତ୍ତମାନର କଠିନ ପରିସ୍ଥିତିରେ ଏହି ସଙ୍ଗୀତ ଆମ ସଂକଳ୍ପକୁ ଆହୁରି ଦୃଢ କରିବା ସହିତ ଆଗକୁ ବଢିବା ପାଇଁ ପ୍ରେରଣା ଦେଇଛି । ସାରା ଓଡ଼ିଶା ଆଜି ଏହି ସଙ୍ଗୀତ ତାନରେ ଏକ୍‌ଜୁଟ୍‌ ହୋଇଛି । ଏ ଜାତି ଏକ ମନ, ଏକ ପ୍ରାଣ ହୋଇ ଜାଗି ଉଠିଛି ।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’… ଗୀତକୁ ଆଜି ଓଡ଼ିଶା ସରକାର ରାଜ୍ୟ ସଙ୍ଗୀତ ଭାବେ ସ୍ବୀକୃତି ପ୍ରଦାନ କରିଛନ୍ତି। ଆଜି ଆୟୋଜିତ ରାଜ୍ୟ କ୍ୟାବିନେଟ ବୈଠକରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ଗ୍ରହଣ କରାଯାଇଥିବା କଥା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗଣମାଧ୍ୟମ ଆଗରେ ଘୋଷଣା କରିଛନ୍ତି।

କାନ୍ତକବିଙ୍କର ଏହି କାଳଜୟୀ ରଚନା ୧୯୧୨ ମସିହାରୁ ଉତ୍କଳ ସମ୍ମିଳନୀର ବିଭିନ୍ନ ଅଧିବେଶନରେ ଗାନ କରାଯାଉଥିଲା। ୧୯୩୬ ମସିହା ଏପ୍ରିଲ୍ ପହିଲାରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠିତ ହେବା ସମୟରୁ ‘ବନ୍ଦେ ଉତ୍କଳ ଜନନୀ’… ରାଜ୍ୟ ସଙ୍ଗୀତ ଭାବରେ ପ୍ରତିଟି ଓଡ଼ିଆର ହୃଦୟରେ ଓ ଭାବନାରେ ରହି ଆସିଛି। ଏହି ସଙ୍ଗୀତର ପ୍ରତିଟି ଶବ୍ଦରେ ଭରି ରହିଛି ଦେଶଭକ୍ତିର ଶକ୍ତି, ଶୌର୍ଯ୍ୟ ଓ ସୌନ୍ଦର୍ଯ୍ୟ, ଅଗ୍ରଗତି କରିବା ପାଇଁ ଅଦମ୍ୟ ପ୍ରେରଣା। ବ୍ୟକ୍ତିଗତ ଦୁଃଖ ଓ ଯନ୍ତ୍ରଣାକୁ ପଛରେ ପକାଇ ମାତୃଭୂମୀ, ମାତୃଭାଷା ତଥା ଓଡ଼ିଆ ଜାତିକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବା ପାଇଁ ତାଙ୍କର ଉଦ୍ୟମ ପାଇଁ ସେ ଚିର ନମସ୍ୟ ବୋଲି କହି ରାଜ୍ୟ କ୍ୟାବିନେଟ୍ ତାଙ୍କର ଅମର ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲା।

୧୯୯୪ ମସିହା ନଭେମ୍ବର ୭ ତାରିଖରେ ମହାନ୍ ଜନନାୟକ ବିଜୁ ପଟ୍ଟନାୟକଙ୍କ ନେତୃତ୍ବରେ ତଥା ବିଧାନସଭାର ତତ୍କାଳୀନ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ସଙ୍ଗୀତକୁ ବିଧାନସଭାର ପ୍ରତି ଅଧିବେଶନର ଶେଷ ଦିବସରେ ଉଦ୍‌ଯାପନୀ ସଙ୍ଗୀତ ଭାବରେ ଗାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ତାହା ଅଦ୍ୟାବଧି ପାଳନ ହୋଇ ଆସୁଛି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଗତ ମେ ୩୦ ତାରିଖ ଅପରାହ୍ଣ ୫ଟା ୩୦ ମିନିଟ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ରାଜ୍ୟ ଭିତରେ ତଥା ବାହାରେ ଏପରିକି ପ୍ରବାସରେ ଥିବା ପ୍ରତ୍ୟେକଟି ଓଡ଼ିଆ ରାଜ୍ୟର କୋଭିଡ୍‌ ଯୋଦ୍ଧାମାନଙ୍କୁ ଉତ୍ସାହିତ ଓ ଅନୁପ୍ରାଣିତ କରିବା ଉଦ୍ଦେଶ୍ୟରେ ‘ବନ୍ଦେ ଉତ୍କଳ ଜନନୀ’… ଗାନ କରି ଏକ ନିଆରା ଉଦାହରଣ ସୃଷ୍ଟି କରିଥିଲେ।

ରାଜ୍ୟ ସରକାର ଆଜି ଏହି କାଳଜୟୀ ସଂଗୀତକୁ ରାଜ୍ୟ ସଂଗୀତର ମାନ୍ୟତା ଦେବା ସହ ଏହି ସଙ୍ଗୀତ ଗାନର ମାନ୍ୟକ୍ରମ ମଧ୍ୟ ସ୍ଥିର କରିଛନ୍ତି।

୧. କାନ୍ତକବିଙ୍କ ରଚିତ ସମ୍ପୂର୍ଣ୍ଣ ଗୀତ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ଭାବେ ଗ୍ରହଣ କରାଗଲା।

୨. ଏହି ସଙ୍ଗୀତ ଗାୟନର ଅନୁମୋଦିତ ସ୍ବର, ଶୈଳୀ ତଥା ରେକର୍ଡିଙ୍ଗ୍ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ବାରା ପ୍ରସ୍ତୁତ କରାଯିବ।

୩. ଏହି ଗୀତର ଗାୟନ ଅବଧି, ସ୍ବର ତଥା ଶୈଳୀ ଉପରୋକ୍ତ ରେକର୍ଡିଙ୍ଗ୍ ପ୍ରକାରରେ ନିର୍ଦ୍ଧାରିତ ହେଲା।

୪. ରାଜ୍ୟ ସରକାରଙ୍କର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ, ବିଧାନସଭାର ଅଧିବେଶନ ଏବଂ ସ୍ବତନ୍ତ୍ର ଭାବେ ଆୟୋଜିତ ଅନ୍ୟାନ୍ୟ ସରକାରୀ କାର୍ଯ୍ୟକ୍ରମରେ ଏହି ସଙ୍ଗୀତର ବିନା ବାଦ୍ୟରେ ପ୍ରସ୍ତୁତ ଅନୁମୋଦିତ ସଂସ୍କରଣ ପରିବେଷଣ/ଗାନ କରାଯିବ।

୫. ବିଦ୍ୟାଳୟ, ମହାବିଦ୍ୟାଳୟ, ଅନ୍ୟାନ୍ୟ ସଭାସମିତି ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ପୃଷ୍ଠସଙ୍ଗୀତ କିଂବା ବାଦ୍ୟଯନ୍ତ୍ର ସଙ୍ଗତ ସହିତ ଏହାକୁ ପରିବେଷଣ/ଗାନ କରାଯିବ।

୬. ଉଦ୍‌ଘାଟନୀ, ଉଦ୍‌ଯାପନୀ ଓ ଉଦ୍‌ବୋଧନୀ ସଙ୍ଗୀତ ଭାବରେ ଏହାକୁ ଗାନ କରାଯିବା ସମୟରେ ସମ୍ମାନ ପ୍ରଦର୍ଶନପୂର୍ବକ ଉପସ୍ଥିତ ଜନତା ସଙ୍ଗୀତ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦଣ୍ଡାୟମାନ ରହିବେ। ମାତ୍ର ବୟସ୍କ, ଅସୁସ୍ଥ, ଭିନ୍ନକ୍ଷମ, ଗର୍ଭବତୀ ମହିଳା, ଯେଉଁମାନେ ଦଣ୍ଡାୟମାନ ହେବାରେ ଅସୁବିଧା ଅନୁଭବ କରୁଥିବେ, ଏହି ସଙ୍ଗୀତ ପରିବେଷଣ ସମୟରେ ନିଜ ଆସନରେ ନମ୍ର ଭାବରେ ବସିରହି ଏଥିପ୍ରତି ସମ୍ମାନ ପ୍ରଦର୍ଶନ କରିପାରିବେ। ଏହି ସଙ୍ଗୀତ ଗାନ ସମୟରେ ଶିଶୁମାନେ ଦଣ୍ଡାୟମାନ ନ ରହିଲେ ଚଳିବ।

୭. ଏହି ସଙ୍ଗୀତ ପୁଲିସ୍ ବ୍ୟାଣ୍ଡ୍, ବଂଶୀ, ସିତାର ଭଳି ବିଭିନ୍ନ ବାଦ୍ୟଯନ୍ତ୍ର ମାଧ୍ୟମରେ ମଧ୍ୟ ପରିବେଷଣ କରାଯିବ।

୮. ଏହି ସଙ୍ଗୀତର ପ୍ରଚାର ପ୍ରସାର ତଥା ଅଭିବୃଦ୍ଧି ନିମନ୍ତେ ଏହାର ସୃଜନାତ୍ମକ ପରିବେଷଣ ଉପରେ କୌଣସି କଟକଣା ରହିବନାହିଁ।

୯. ବିଦ୍ୟାଳୟ ଓ ମହାବିଦ୍ୟାଳୟ ପାଠ୍ୟକ୍ରମରେ ଏହି ସଙ୍ଗୀତକୁ ଅନ୍ତର୍ଭୁକ୍ତ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗକୁ ନିର୍ଦେଶ ଦିଆଯାଇଛି।

Spread the love