ଓଡିଶା ରାଜନୀତିରେ ବଡ ପ୍ରଶ୍ନ ଧର୍ମେନ୍ଦ୍ର ଚୁପ୍ କାହିଁକି ?

ଦୁର୍ନୀତି ଓ ଭଷ୍ଟ୍ରାଚାରକୁ ନେଇ ରାଜ୍ୟରେ ଘନଘନ ପ୍ରେସମିଟ କରି ଗର୍ଜନ କରୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛି ବିଜେଡ଼ି । ତାହା ପୁଣି ବୈଜୟନ୍ତ ପ୍ରସଙ୍ଗରେ । ଯେଉଁ ବୈଜୟନ୍ତ ପାଇଁ ଛୋଟଛୋଟ କଥାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ ଓ ଗଣମାଧ୍ୟମରେ ସମାଲୋଚନା କରନ୍ତି ବିଜେପିର ପୋଷ୍ଟର ବୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ପୁଣି କାହିକିଁ ବୈଜୟନ୍ତଙ୍କ ଟିକସ ଠକେଇ ପ୍ରସଙ୍ଗରେ ଚୁପ । ଏହା ପଛରେ କେଉଁ ରାଜନୈତିକ ସ୍ୱାର୍ଥ ଲୁଚି ରହିଛି । ଏପରି ନାନା ପ୍ରଶ୍ନ କରି ବିଜେଡ଼ି ଘେରିଛି କେନ୍ଦ୍ରମନ୍ତ୍ରୀଙ୍କୁ । କେବଳ ଧର୍ମେନ୍ଦ୍ର ନୁହନ୍ତି ଏ ପ୍ରସଙ୍ଗର ରାଜ୍ୟ ବିଜେପିକୁ ମଧ୍ୟ ଟାର୍ଗେଟ କରିଛି ବିଜେଡ଼ି ।

ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର କହିଛନତି ଯେ ବୈଜୟନ୍ତ ପଣ୍ଡାଙ୍କ ଟିକସ ଠକେଇ ମାମଲାରେ ସ୍ପଷ୍ଟ ମତ ରଖୁ ରାଜ୍ୟ ବିଜେପି ଓ ମୁହଁ ଖୋଲନ୍ତୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସବୁକ୍ଷେତ୍ରରେ ସିବିଆଇ ତଦନ୍ତ, ଆୟକର ତଦନ୍ତ କିମ୍ବା ଇଡି ତଦନ୍ତ ଦାବି କରୁଥିଲାବେଳେ ବୈଜୟନ୍ତଙ୍କ କ୍ଷେତ୍ରରେ କାହିଁକି ନୀରବ ବୋଲି ସେ ପ୍ରଶ୍ନ କରିଛନ୍ତି ।ବ୍ୟାପମ୍ ସ୍କାମର ମୁଖ୍ୟ ଖଳନାୟକ ସୁଧୀର ଶର୍ମାଙ୍କ ଠାରୁ ବିମାନ ଟିକେଟ ନେବା ଏବଂ ଏ କ୍ଷେତ୍ରରେ ସିବିଆଇ ତଦନ୍ତ ପ୍ରସଙ୍ଗରେ ମଧ୍ୟ ତାଙ୍କ ପାର୍ଟି ଚୁପ ରହିଥିଲା । ଅପରାଧୀ ଟିଟୋକୁ ପେଟ୍ରୋଲ୍ ପମ୍ପ ଆବଣ୍ଟନ ଏବଂ ଏହି ଘଟଣାରେ ସିବିଆଇ ତଦନ୍ତ ଦାବି ସମୟରେ ମଧ୍ୟ ସେ ନୀରବତା ଅବଲମ୍ବନ କରିଥିଲେ । ବୈଜୟନ୍ତଙ୍କ କ୍ଷେତ୍ରରେ ମଧ୍ୟ ସେ ସମାନ ନୀରବତା ଅବଲମ୍ବନ କରୁଛନ୍ତି ।

ଏଭଳି ନୀରବତାର ରହସ୍ୟ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି । ଏଥିସହ କେନ୍ଦ୍ରର ବିଜେପି ସରକାରଙ୍କୁ ମଧ୍ୟ ବିଜେଡି ସମାଲୋଚନା କରିବା ସହ ବୈଜୟନ୍ତଙ୍କ ଟିକେଟ ଠକେଇ ପ୍ରସଙ୍ଗରେ ତଦନ୍ତ କରିବାର ପୂର୍ଣ୍ଣ କ୍ଷମତା ଥିଲେ ବି କେନ୍ଦ୍ର ଚୁପ୍ ବସିଛନ୍ତି ବୋଲି ସେ କହିଛନ୍ତି । ସେପଟେ ବାହାମସ ଆକାଉଣ୍ଟ ଜରିଆରେ ବିଦେଶୀ ଟଙ୍କା ଆଣିବା ପ୍ରସଙ୍ଗ ଲୋକସଭାରେ ଉଠିଛି । ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଏହି ପ୍ରସଙ୍ଗ ଉଠାଇବା ସହ ମନି ଲଣ୍ଡରିଂ ଓ ଫେମା ଆଇନ ଉଲଂଘନ ମାମଲାରେ କେତେକ ପ୍ରଶ୍ନ କରିଛନ୍ତି ।

ସେ କହିଛନ୍ତି, ବୈଜୟନ୍ତ ପଣ୍ଡା, ତାଙ୍କ ପତ୍ନୀ ଓ ତାଙ୍କ ପାରିବାରିକ ବନ୍ଧୁ ଟିକସ ଠକେଇର ଭୁସ୍ବର୍ଗ ବାହାମସରେ ଆକାଉଣ୍ଟ ଖୋଲିଥିବା କିଛି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଚି । ଭାରତୀୟ ପାସର୍ପୋଟ ରଖିଥିବା ବୈଜୟନ୍ତ ପଣ୍ଡା ବାହାମସରେ ଆକାଉଂଟ ଖୋଲିବା ପୂର୍ବରୁ ଆରବିଆଇର ଅନୁମତି ନେଇଥିଲେ କି ? ଯଦି ସେ ସମୟରେ ବୈଜୟନ୍ତ ଏନଆରଆଇ ଥିଲେ କିମ୍ବା ଅଧ୍ୟୟନ ପାଇଁ ବାହାରକୁ ଯାଇଥିଲେ, ତେବେ ଭାରତ ଫେରିବା ପରେ ସେ ଆରବିଆଇକୁ ଏ ସଂପର୍କରେ ସୂଚନା ଦେଇଥିଲେ କି ? କାରଣ ଆଇନ ଅନୁସାରେ ଏହା ନିତ୍ୟନ୍ତ ଆବଶ୍ୟକ ବୋଲି ଭର୍ତ୍ତୃହରି କହିଛନ୍ତି ।ଲୋକସଭାର ଶୂନ୍ୟକାଳରେ ଏହି ପ୍ରଶ୍ନ ଉଠାଇ ବିଜେଡି ସାଂସଦ ପ୍ରଶ୍ନ କରିଥିଲେ ଯେ, ଯେ ବାହାମସରେ ଆକାଉଂଟ ବନ୍ଦ କରିବା ବେଳେ ବୈଜୟନ୍ତ ଆରବିଆଇକୁ ସୂଚନା ଦେଇଥିଲେ କି ? ଭାରତୀୟ ଆଇନ ଅନୁସାରେ ବିଦେଶରେ ଆକାଉଂଟ ବନ୍ଦ କରିବା ପରେ ଏହି ଟଙ୍କା ପ୍ରଥମେ ଭାରତୀୟ ବ୍ୟାଙ୍କକୁ ଆସିବା କଥା ।

ବୈଜୟନ୍ତ ପଣ୍ଡା ବାହାମସ ଆକାଉଂଟର ଟଙ୍କାକୁ ଭାରତୀୟ ବ୍ୟାଙ୍କକୁ ଆଣିଥିଲେ କି ନାହିଁ ସେ ନେଇ ପ୍ରଶ୍ନ କରିଛନ୍ତି ଭର୍ତ୍ତୃହରି । ଯଦି ଆଇନର ଏସବୁ ସର୍ତ୍ତାବଳୀକୁ ବୈଜୟନ୍ତ ପୂରଣ କରିନାହାନ୍ତି ତେବେ ତାଙ୍କ ବିରୋଧରେ ଅପରାଧିକ ମାମଲା ହେବା ଉଚିତ ବୋଲି ବିଜେଡି ସାଂସଦ ଯୁକ୍ତି ବାଢିଛନ୍ତି । ଏହାଛଡା ଫରେନ ଏକ୍ସଚେଂଜ ଆଇନ ଉଲ୍ଲଂଘନ ଓ ମନି ଲଣ୍ଡରିଂ ମାମଲାରେ ତାଙ୍କ ବିରୋଧରେ ଅପରାଧିକ ମାମଲା ହେବା ଦରକାର ବୋଲି ବିଜେଡି ଲୋକସଭାରେ କହିଛି ।ବୈଜୟନ୍ତ ନିଜର ସଫେଇରେ କହିଥିଲେ ଯେ, ସେ ସମୟରେ ସେ ଏନଆରଆଇ ନଥିଲେ କିମ୍ବା ବିଦେଶକୁ ପାଠପଢିବାକୁ ଯାଇନଥିଲେ ।

ତେଣୁ ଆରବିଆଇ କିମ୍ବା କେନ୍ଦ୍ର ସରକାରଙ୍କୁ ଏ ସଂପର୍କରେ ଜଣାଇବାର କିମ୍ବା ଅନୁମତି ନେବାର ଆବଶ୍ୟକତା ନଥିଲା । କିନ୍ତୁ ସେ ଭାରତକୁ ଫେରିବା ପରେ ଏ ସଂପର୍କରେ ଆଇବିଆଇ କିମ୍ବା କେନ୍ଦ୍ର ସରକାରଙ୍କୁ ଜଣାଇଥିଲେ କି ବୋଲି ଭର୍ତ୍ତୃହରି ପ୍ରଶ୍ନ କରିଛନ୍ତି ।ଏହି ଘଟଣାରେ ଭର୍ତ୍ତୃହରି ବିଜେପିକୁ ମଧ୍ୟ କଡା ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ବିଜେପିର ଜଣେ ବରିଷ୍ଠ ମନ୍ତ୍ରୀ ନିକଟରେ ଗଣମାଧ୍ୟମରେ କହିଛନ୍ତି ଯେ, ରାଜ୍ୟ ସରକାର ଏଦିଗରେ କାର‌୍ୟ୍ୟାନୁଷ୍ଠାନ ନେବା ଉଚିତ । ତେବେ କେନ୍ଦ୍ର ସରକାର ଏ ଦିଗରେ କି କାର‌୍ୟ୍ୟାନୁଷ୍ଠାନ ନେଇଛନ୍ତି ତାହା ସେ ଜାଣିବାକୁ ଚାହିଁଛନ୍ତି ।

ଏଥିସହିତ କେନ୍ଦ୍ର ସରକାର ଏହି ମାମଲାରେ କାର‌୍ୟ୍ୟାନୁଷ୍ଠାନ ନେବାର ଆବଶ୍ୟକତା ଥିବା ବେଳେ ରାଜ୍ୟ ସରକାରଙ୍କୁ କାହିଁକି ଦାୟୀ କରାଯାଉଛି ବୋଲି ସେ ପ୍ରଶ୍ନ କରିଥିଲେ ।କିଛି ଦିନ ପୂର୍ବରୁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଆୟକର ବିଭାଗ ନିକଟରେ ଏକ ଗମ୍ଭୀର ଅଭିଯୋଗ ହୋଇଥିଲା ।

ବୈଜୟନ୍ତ ତାଙ୍କ ପତ୍ନୀ ଜାଗି ମଙ୍ଗତ ପଣ୍ଡା ଏବଂ ତାଙ୍କର ସହଯୋଗୀ ମଂଜୁଳା ଦେବୀଙ୍କ ନାଁରେ ମନି ଲଣ୍ଡରିଂକୁ ନେଇ ଏହି ଅଭିଯୋଗ ଆସିଥିଲା । ଅଭିଯୋଗରେ ଅନୁସାରେ ମନି ଲଣ୍ଡରିଂ ଆଇନ, ବ୍ଲାକ ମନି ଆଇନ ଏବଂ ଆୟକର ଆଇନକୁ ସେମାନେ ଉଲ୍ଲଂଘନ କରିଥିଲେ । ମିଛ କମ୍ପାନୀ ଗଠନ କରି ସେମାନେ ୧୭ କୋଟି ୭୨ଲକ୍ଷ ଟଙ୍କା ବିଦେଶରୁ ହାସଲ କରିଥିଲେ । କିନ୍ତୁ ଏହି ଟଙ୍କା ପ୍ରକୃତରେ କେଉଁଠାରୁ ଆସୁଛି ତାର କୌଣସି ରେକର୍ଡ ନଥିଲା ବୋଲି ଅଭିଯୋଗ ହୋଇଥିଲା । ଏହାପରେ ସେହି ଟଙ୍କାର ସେୟାରକୁ ଅତି କମ ମୁଲ୍ୟରେ ବୈଜୟନ୍ତ ପଣ୍ଡା ଓ ତାଙ୍କ ପତ୍ନୀ ଜାଗି ମଙ୍ଗତ ପଣ୍ଡାଙ୍କୁ ମିଳିଥିବା ଅଭିଯୋଗ ହୋଇଥିଲା ।

Spread the love