ତିନି ରଥ ପ୍ରସ୍ତୁତ : ରଙ୍ଗ ଓ ସିଲାଇ କାମ ଜୋରଦାର

ପୁରୀ, ୧୨/୦୬: ଆଜି ତିନି ରଥର ନିର୍ମାଣ କାର୍ଯ୍ୟ ଏକ ପ୍ରକାର ଚୂଡାନ୍ତ ହୋଇଛି। ରଥର ପୋଟଳ ପଡି ପାରାଭାଡି ଉଠିଥିବାବେଳେ ଏବେ କେବଳ କଳସ ଓ ଓଲଟ ପାରା ଲଗାଯିବ । ଏହାର ରଙ୍ଗକାମ ଦ୍ରୁତି ଗତିରେ ଚାଲିଛି । ରଙ୍ଗ ସରିଲାପରେ ରଥରେ ତାହା ଖଞ୍ଜାଯିବ ।

ସେହିଭଳି ଗତକାଲି ତିନି ରଥର ୨ଟି ଲେଖାଁଏ ଦୁଆର ଘଡା ପ୍ରସ୍ତୁତ ସହ ରଙ୍ଗ ପାଇଁ ରଥଖଳାକୁ ଆସିଥିବାବେଳେ ସେଥିରେ ପ୍ରାଇମର ଲଗାଯାଇଛି । ଆଜି ତିନି ରଥର ଆଶାବାଡି ଖୁଣ୍ଟିଆ କାର୍ଯ୍ୟ ଚାଲିଛି । ପ୍ରତି ରଥରେ ଦୁଇଟି ଲେଖାଁ ଆଶାବାଡି ଖୁଣ୍ଟିଆ ଆବଶ୍ୟକ ହୋଇଥାଏ ଓ ରଥରେ ଘୋଡା ଖଞ୍ଜାଯିବାବେଳେ ଏହା ବ୍ୟବହାର ହୋଇଥାଏ ।

ତିନିରଥରେ ଖଞ୍ଜା ଯାଇଥିବା ପଟ୍ଟାଗୁଜରେ ରୂପକାର ସେବକମାନେ ସିଂହବରାଳ, ଗଜବରାଳ, ଗଜସିଂହ ଖୋଦେଇ କାମ ସହ ରଥଚକା ଦଣ୍ଡା ଇତ୍ୟାଦିର ରଙ୍ଗକାମ କରୁଛନ୍ତି । ଶ୍ରୀମନ୍ଦିର ନୂତନା କାର୍ଯ୍ୟାଳୟ ତଳେ ଚିତ୍ରକର ସେବକମାନେ ରଥା ବାଶ୍ୱର୍ ଦେବାପାଦୀ, କଳସ ଇତ୍ୟାଦିର ରଙ୍ଗକାମ ଜାରି ରଖିଛନ୍ତି । ଦରଜି ସେବକମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟର ଉପର ମହଲାରେ ରଥକନାରେ ଜରିଫିତା ସିଲାଇ ରଥ ଘେର ସିଲାଇ କାମ ଆରମ୍ଭ କରିଛନ୍ତି ।

ଦୋଳବେଦୀ ଅସ୍ଥାୟୀ ଶାଳରେ ଓଝା ସେବକମାନେ ଏଲ୍‍ କ୍ଲାମ୍ପ, ଧୂଳିଦଣ୍ଡା, ବିଡିଆ କଣ୍ଟା ପ୍ରସ୍ତୁତରେ ଲାଗିବା ସହ ରଥଦଣ୍ଡାରେ ଖଞ୍ଜା ଯାଇଥିବା କୋଣ ଗୁଜ ଗୁଡିକରେ ଧୂଳିଦଣ୍ଡା କଣ୍ଟା ବାଡେଇଛନ୍ତି । ଆଜି ଶ୍ରୀମନ୍ଦିର ନୀଳାଦ୍ରୀ ଉକ୍ତ ନିବାସ ଠାରେ କରୋନା ସଚେତନତା ସ୍ୱାସ୍ଥ୍ୟ ଶିବିରର ଥିଲା ଚତୁର୍ଥ ଦିନ। ଆଜି ପୂଜାପଣ୍ଡା ନିଯୋଗ ଏବଂ ତାଙ୍କ ପରିବାର ସଦସ୍ୟମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ ସହିତ ଔଷଧ ବିତରଣ କରାଯାଇଥିଲା। ମୋଟ୍‍ ୧୬୧ ଜଣ ସଦସ୍ୟଙ୍କୁ ହୋମିଓପାଥିକ ଔଷଧ ପ୍ରଦାନ କରାଯାଇଥିଲା ।

ଶ୍ରୀମନ୍ଦିର କାର୍ଯ୍ୟାଳୟର କର୍ମଚାରୀ, ଅନ୍ୟାନ୍ୟ ସେବକଙ୍କୁ ମିଶାଇ ଆଜି ମୋଟ୍‍ ୨୫୩ ଜଣଙ୍କୁ ଔଷଧ ବଣ୍ଟା ଯାଇଛି । ଆସନ୍ତା କାଲି ଶେଷ ଦିନରେ ଗରାବଡୁ ନିଯୋଗ ଏବଂ ତାଙ୍କ ପରିବାର ସଦସ୍ୟ ସହିତ ହୋମିଓପାଥି ଔଷଧ ସଂଗ୍ରହ କରିନଥିବା ଅନ୍ୟ ସେବାୟତଙ୍କୁ ମଧ୍ୟ ଏହା ପ୍ରଦାନ କରାଯିବ ।

Spread the love