ପୁଣି କ’ଣ ଫେରିବ ଚାରି ଯୁଗ !

ବଦଳିଛି ସମୟ। ବଦଳିଛି ମଣିଷ। ପ୍ରତିଦିନ ସୂର୍ଯ୍ୟ ଉଇଁ ପୁଣି ଅସ୍ତ ହେଉଛନ୍ତି। ଯେବେ ଠାରୁ ସୃଷ୍ଟି ଆରମ୍ଭ ହୋଇଛି। ଏହା ଭିତରେ ଅନେକ ଦିନ ବି ଯାଇଛି, ଆଉ ବର୍ଷ, ମାସ, ଯୁଗ ର ଅବସାନ ହୋଇଛି । ଅନେକ ପରିବର୍ତ୍ତନ ଭିତରେ ମଣିଷ  ବି ତାର ମଣିଷ ପାଣିଆକୁ ବଦଳାଇ ଦେଇଛି। ଏବେ ପ୍ରକୃତି ତାର ରୂପ ବଦଳାଉଛି। ଏବେ ଭୟଭୀତ ମଣିଷ। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ…

ପୁଣି କ’ଣ ଫେରିବ ଚାରି ଯୁଗ ? ଯଦି ପୂନର୍ଜନ୍ମ ନେଉଛି ତେବେ କ’ଣ ସୃଷ୍ଟିର  ପରିବର୍ତନ ହେବ। ଏପରି ଅନେକ ପ୍ରଶ୍ନ ମନରେ ଉଙ୍କି ମାରୁଛି ସମସ୍ତଙ୍କ ମନରେ। ତିନି ଯୁଗରେ ଯାହା ସବୁ ଘଟିଯାଇଛି ସେହି ଘଟଣାର କିଛି ସକାରାତ୍ମକ ଓ ନକାରାତ୍ମକ ଶକ୍ତି କ’ଣ କଳିଯୁଗରେ ମିଶି ତାହାକୁ ଉଗ୍ର କରୁଛି । ପୃଥିବୀ ଓ ବ୍ରହ୍ମାଣ୍ଡରେ ବାସ କରୁଥିବା ସମସ୍ତ ପ୍ରାଣୀଜଗତ କ’ଣ କଳୁଷିତ ଦାନବ ଜାଲର ଶିକାର ହୋଇନାହିଁ ତ ! ଯଦି ଶିକାର ହୁଏ ତେବେ ଦାନବ ତା’ର ନକାରାତ୍ମକ ଶକ୍ତିକୁ ଏତେ ଶକ୍ତିଶାଳୀ କରିଦେବ ଯେ ଆଉ କେହି ରହିବେ ନାହିଁ । ଫଳରେ ସରଳ ପ୍ରାଣୀ ଓ ଜୀବ ବଳିପଡ଼ିବା ସହ ପରସ୍ପରର ଜୀବନ ନେବାରେ ଲାଗିବେ ।
କଳିଯୁଗର ଦାନବ କହିଲେ ଆମେ ନିଜେ । ମନୁଷ୍ୟ ତା’ର ସୁବିଧା, ସୁଯୋଗ, ସୁଖ ବିଳାସରେ କିପରି ଜୀବନ ବିତାଇବ ତାହାକୁ  ନେଇ ସ୍ୱପ୍ନ ଦେଖିଥାଏ । ଏହାକୁ ପୂରଣ କରିବା ଲାଗି କେହି କେହି ସତ୍‌ମାର୍ଗରେ ଯାଆନ୍ତି ତ ଆଉ କେହି କୁସଂଙ୍ଗ, କୁପଥକୁ ବାଛିଥାନ୍ତି । ସତ୍ୟ ଓ ମିଥ୍ୟା ମଧ୍ୟରେ ଛନ୍ଦି ହୋଇପଡ଼ିଛି ମନୁଷ୍ୟ । ସେ ଜାଣିପାରେ ନାହିଁ କି ଏ ଯୁଗରେ ସତ୍ୟତା କ’ଣ । କ’ଣ କଳିଯୁଗରେ ତିନିଯୁଗର ପିଢ଼ି ଏବେ ବି ବାସ କରୁଛନ୍ତି । ନା ସେହି ଯୁଗର କେତେକ ସକାରାତ୍ମକ ଓ ନକାରାତ୍ମକ ଶକ୍ତି
କଳିଯୁଗରେ ରହି ଯୁଦ୍ଧ କରୁଛନ୍ତି । ନା ସତ୍ୟଯୁଗକୁ ଆଉ ଥରେ ଆଣିବା ପାଇଁ ତିନି ଯୁଗର ପିଢ଼ିଙ୍କ ମଧ୍ୟରୁ କେହି କେହି ସମାଜ
ସେବା, ଦେଶର ରକ୍ଷାକର୍ତା, ଭଲ ମାର୍ଗଦର୍ଶୀ, ଯୋଗୀ, ରାଜନୀତି ଇତ୍ୟାଦି ରୂପରେ କଳିଯୁଗରେ ଅବତରଣ କରିଛନ୍ତି । ଆଉ କିଏ
ଦାନବ ରୂପ ନେଇ ଏହି କଳିଯୁଗରେ ପ୍ରବେଶ କରିଛି ।
ସୃଷ୍ଟିରେ ଚାରି ଶ୍ରମ ରହିଛି ଯଦି ପ୍ରତ୍ୟେକ ଶ୍ରମକୁ ଭଲ ଭାବେ କାର୍ଯ୍ୟାନ୍ୱିତ ନ କରାଯାଏ ତେବେ ସେହି ଚାରିଶ୍ରମର ମୂଲ୍ୟ ଅବ୍ୟର୍ଥ ହୋଇଥାଏ। ଚାରିଶ୍ରମ ହିଁ ପୃଥିବୀ ଓ ବ୍ରହ୍ମାଣ୍ଡକୁ ପରିଚାଳିତ କରିଥାଏ । ଯଦି ଚାରିଶ୍ରମ ପରସ୍ପର ପରିପୂରକ ନ ହୋଇ ଭିନ୍ନ ଭିନ୍ନ ହୋଇ ରହିବେ ତେବେ ପୃଥିବୀ ଓ ବ୍ରହ୍ମାଣ୍ଡର ସୃଷ୍ଟି ଆଉ କ’ଣ ହୋଇଥାନ୍ତା । ମନୁଷ୍ୟ ହେଉଛି ଏ ସୃଷ୍ଟିର ମାଧ୍ୟମ । ତାକୁ ଜଟିଳ ରାସ୍ତା ଦେଇ ଅତିକ୍ରମ କରିବାକୁ ପଡ଼ିଥାଏ। ଯଦି ସେ ଜଟିଳ ରାସ୍ତା ନ ଦେଇ ଅତି ସହଜ ବାଟେ ଦେଇ ଯାଏ ତେବେ ସେ କେବେ ଜାଣିପାରେ ନଥାଏ ଜୀବନର ମୂଲ୍ୟ। ଜୀବନରେ ରାଜନୀତି ପ୍ରବେଶ କଲେ ସାମାଜିକ, ଆର୍ଥିକ, ସାଂସ୍କୃତିକ ଇତ୍ୟାଦି କ୍ଷେତ୍ରରେ ଉନ୍ନତି ହୋଇପାରିବ ନାହିଁ। ଜୀବନର ଯେଉଁ ଲକ୍ଷ୍ୟ ଥାଏ ତାହା ଆସ୍ତେ ଆସ୍ତେ ଦୂରେଇ ଯାଏ। ରାଜନୀତି ଯଦି କଳୁଷିତ ତେବେ ସମସ୍ତ ଜଗତ କଳୁଷିତ ହେବାରେ ଲାଗିବ। ଯେପରି କଳିଯୁଗରେ ଦେଖାଯାଉଥିବା ଅଘଟଣମାନ। ଏହିସବୁ ଅଘଟଣ ଦିନକୁ ଦିନ ନିତିଦିନିଆ ଘଟଣାରେ ପରିବର୍ତନ ହେବାକୁ ଲାଗିଲାଣି । କିଏ ଭୋଟ ପାଇଁ, କିଏ ନୋଟ୍ ପାଇଁ, ଆଉ କିଏ ନିଜ ଅସ୍ତିତ୍ୱକୁ ବଂଚାଇବା ଲକ୍ଷ୍ୟରେ ଆଉ କିଏ ପରାଘାତରେ ଶିକାର ହେଲାଣିତ ଆଉ କିଏ ତସ୍କରୀରେ । କଳିଯୁଗରେ ରହିଥିବା ଚାରିଶ୍ରମରେ ମଧ୍ୟ ଏହି ସବୁ ଘଟଣା ଦେଖାଦେଲାଣି । କେହି କାହାକୁ ସମ୍ମାନ ନ ଦେଇ ଅସମ୍ମାନ କରିବା, ପୁରସ୍କାର ବଦଳରେ ତିରସ୍କାର, ପ୍ରଶଂସା ବଦଳରେ ଘୃଣା କରିବା କଳିଯୁଗରେ ବାସ କରୁଥିବା ଦାନବ
ମନରେ ଭରି ରହିଛି । ଏପରି କି କଳିଯୁଗର ଦାନବ ଏତେ ନୃଶଂସ ହେଲେଣି ଯେ ସେ ଆବାଳବୃଦ୍ଧବନିତାଙ୍କୁ କାହାରିକୁ ଛାଡୁ ନାହିଁ । ବରଂ ସେ ସମସ୍ତଙ୍କୁ ନିଜର ଶିକାର କରିବାରେ ଲାଗିଛି । ଚାରିଶ୍ରମର ଲୋକମାନେ ରହିବା ପାଇଁ ବାସସ୍ଥାନ ଥିଲେ ମଧ୍ୟ ବାସହୀନ ପରି ରହୁଛନ୍ତି, ଦିନ ତମାମ୍ ଭୋକିଲା ରହିବା, ପୁଙ୍ଗୁଳା ଦେହରେ ଜୀବନ କାଟୁଥିବା ଦେଖିବାକୁ ମିଳୁଛି । ଦାନବ ଶିକାରରେ ଫଶୁଥିବା ଶିକାରୀ ନିଜକୁ ମୁକ୍ତ ନ କରିପାରି ଦାନବ ଅଧିନରେ ରହିବା ସହ ତା’ ପରି ବ୍ୟବହାର କରିଚାଲିଛି । ଯଦି ଏହି ଜଗତରେ ଦାନବର କାର୍ଯ୍ୟାବଳୀ ଅତିଶୟ ହୁଏ କ’ଣ ତା’ର ଲୋପ ହେବ ନାହିଁ । ନା ବିଧିର ଖେଳ କ’ଣ ସଂପୂର୍ଣ୍ଣ ଶେଷ ହୋଇଯିବ । ଯଦି ଏହିସବୁ ହୁଏ ତେବେ ସୃଷ୍ଟିର ପରିବର୍ତନ ଆଉ ହୋଇପାରିବ ନାହିଁ ।

କଳିଯୁଗରେ ଏବେ ବି ବିଶ୍ୱାସ, ଆସ୍ଥା, ଭରସା, ଭକ୍ତି ଇତ୍ୟାଦି ଉଜ୍ଜୀବିତ ହୋଇ ରହିଛି। ଏହାରି ବଳରେ କଳିଯୁଗର ଅଘଟଣକୁ ତୀବ୍ର କରିବାରେ କିଛି ମାତ୍ରାରେ ଅଟକାଇ ଦେଇପାରୁଛି । ଯଦି ଏହା କମ୍ ହୁଏ ତେବେ ସୃଷ୍ଟିର ପରିବର୍ତନ ହେବ କିନ୍ତୁ ସ୍ୱତନ୍ତ୍ର ଭାବେ। ଏଥିପାଇଁ କଳିଯୁଗରେ କଳ୍‌କୀ ଅବତାର ଜନ୍ମ ନେଇଛନ୍ତି। ସେ କେତେବେଳେ କେଉଁ କାର୍ଯ୍ୟ କରୁଛି ତାହା କେହି ଜାଣିପାରୁନାହାନ୍ତି । କଳିଯୁଗରେ ହେଉଥିବା ଅଘଟଣମାନ କ’ଣ କଳ୍‌କୀ ଅବତାର ଭଗବାନ ନିଜେ କରୁଛନ୍ତି।କଲ୍‌କୀ ଭଗବାନ୍ କ’ଣ ଦାନବକୁ ସଂପୂର୍ଣ୍ଣ ଧ୍ୱଂସ କରିବା ସହ କ’ଣ ସରଳ ମାନବକୁ ସତ୍‌ପଥରେ ନେବା ପାଇଁ ଏହି ସବୁ ସଂକେତ ପ୍ରଦାନ କରୁଛନ୍ତି। ମାନବ କ’ଣ ଏହି ସଂକେତକୁ ଅଣଦେଖା କରୁନାହିଁ ତ ନା ଜାଣିଶୁଣି ଏହାକୁ ଅବମାନନା କରି ନକାରାତ୍ମକ ଶକ୍ତିକୁ ଆପଣାଉଛି । ଏହା କେତେ ଯଥାର୍ଥ ମାନବ ବେଳହୁଁ ସାବଧାନ ହେବା ଜରୁରୀ। କଳିଯୁଗର ଅନ୍ତ ପରେ ସତ୍ୟଯୁଗ, ତ୍ରେତୟା ଓ ଦ୍ୱାପର ଯୁଗର ସେହି ଯୁଗପୁରୁଷମାନେ କ’ଣ ଆଉ ଥରେ ପୁର୍ନଜନ୍ମ ନେବେ। ପୁଣିଥରେ ସାମାଜିକ, ଆର୍ଥିକ, ସାଂସ୍କୃତିକ, ଧାର୍ମିକ, ରାଜନୀତିରେ ପରିବର୍ତନ ଦେଖାଦେବ । ପୁଣି ଆଉ ଥରେ ରାଜା ହରିଶ୍ଚନ୍ଦ୍ର, ରାମ, କୃଷ୍ଣ ଏହି ସୃଷ୍ଟିକୁ ଅବତରଣ କରିବେ । ସମସ୍ତ ଶକ୍ତି ମାତା କ’ଣ ଆଉ ଥରେ ସେମାନଙ୍କ ପ୍ରଭାବ ଦେଖାଇପାରିବେ । ପ୍ରାଣୀ ଓ ଜୀବ ମଧ୍ୟରେ କ’ଣ ପ୍ରେମ, ମମତା, ସ୍ନେହ, ଜ୍ଞାନ ଇତ୍ୟାଦି ଆଦାନ ପ୍ରଦାନ ହୋଇପାରିବ । ଯଦି ଏହା ସତ୍ୟ ତେବେ ମୁଁ କେଉଁ ରୂପେ ଜନ୍ମ ଗ୍ରହଣ କରିବି, ଜନ୍ମ ହେବାର ସାର୍ଥକକୁ ପୂରଣ କରିପାରିବି ତ, ସମୟ, କାଳ ବେଳା ପରିସ୍ଥିତି ସହ ମୁଁ ନିଜକୁ ସାମିଲ୍ କରିପାରିବି ତ, ମୋ ଜୀବନକୁ ମୁଁ ସତ୍‌ପଥରେ ଲଗାଇପାରିବି ତ ଏହିପରି ଅନେକ ଚିନ୍ତାଧାରା ମୋ ମାନସପଟରେ ରହିଛି ତାହାକୁ ମୁଁ ଆପଣଙ୍କ ପାଖରେ ମୋ ଭାବନାକୁ ବ୍ୟକ୍ତ କରିଛି ।

(ସିପ୍ରା ମହାନ୍ତି ), ଯାଜପୁର। 

Spread the love