ମୌନ_ସୌଧ

ଆକାଶଠୁ ବଡ ଆକ୍ରୋଶ
ନଦୀଠୁ ଗଭୀର ନିନ୍ଦା
ସୂର୍ଯ୍ୟଠୁ ଉତ୍ତପ୍ତ ସନ୍ତାପ
ସଂସାର ଠୁ ସୁବ୍ୟାପ୍ତ ସଂଶୟ
ଅମ୍ଳାନମୟ ଗ୍ଲାନି ।

ଏତେ ପରେ ବି
ହେଇନି ମୁଁ ପୋକରା, କଠୋର କାଠ ଭଳି
ତମାମ ଯନ୍ତ୍ରଣା ଙ୍କ ଦଂଶନ ରେ
ସହନଶୀଳତା ର ମନ୍ଦିରରେ
ଧୈର୍ଯ୍ୟର ଧ୍ୱଜା ଆଜିବି ଲହଡି ଭାଙ୍ଗେ ।
ମୁଁ ଆଭୂଷିତ
ପରସ୍ତ ପରସ୍ତ ପରାସ୍ତ ର ଉପାଧିରେ…

ଏତେ ପରେ ବି
କୋଣାର୍କ ର ସ୍ବପ୍ନ ଦେଖନ୍ତି
ମୋ ଐଶ୍ୱର୍ଯ୍ୟ ର ପ୍ରଶସ୍ତ
ଖେଦ ଖୋଦିତ ପ୍ରସ୍ତର ସବୁ ।
ଜନ୍ମ ନିଅନ୍ତି କୁଢ଼ କୁଢ଼
ଅଭିଳାଷରୂପକ ଆବର୍ଜନା ସବୁ
ଦୋ ଦୋ ପାଞ୍ଚ ରେ ଫିଙ୍ଗି ନ ପାରି
ମସ୍ତିସ୍କ ରେ ନିର୍ମାଣ କରନ୍ତି
ଆକାଂକ୍ଷା ପାଚେରିବଦ୍ଧ,
ଉଚ୍ଚାଭିଳାସର ସୁଉଚ୍ଚ
ଆଭିଜାତ୍ୟପୂର୍ଣ୍ଣ ସୌଧ ଟିଏ ।
ମୌନ ସୌଧ !

ଏତେ ପରେ ବି, ଫଳ ସ୍ୱରୂପ
ଅସନ୍ତୋଷ ରୁ ଅଶାନ୍ତି
ଅତପସ୍ୟା ରୁ ଅତୃପ୍ତି
ଅକ୍ଳେଶ ରେ ଶ୍ବାସରୁଦ୍ଧ ମୋ ନିଶ୍ୱାସ ସବୁ
ଛାଡି ଯିବାକୁ ବାଧ୍ୟ ହୁଅନ୍ତି
ଅବାଧ୍ୟ ସୂର୍ଯ୍ୟ କିରଣ ସନ୍ଧ୍ୟା ପରେ
ଶୀତଳ ଅନ୍ଧାର ସକାଳ ପରେ
ଓ ଶାନ୍ତ ବସନ୍ତଟା
ଗ୍ରୀଷ୍ମ ପାଖେ ଆତ୍ମସମର୍ପଣ କଲା ଭଳି

ଭୁଶୁଡି ପଡେ ତାସ ଘର ଭଳି
ମୋ ଅତି ଆପଣାର ମୌନ ସୌଧ ଟା ।
(ବିଶ୍ୱରଞ୍ଜନ ଦାଶ, ବୀରମହାରାଜପୁର, ସୁବର୍ଣ୍ଣପୁର, ଫୋ-୯୭୭୮୧୧୫୯୦୪)

Spread the love