ରଥଯାତ୍ରା ପାଇଁ ରାଜ୍ୟ ସରକାରଙ୍କ ସବୁଜ ସଙ୍କେତ ! : ରାତିରେ ରଥଖଳା ପରିଦର୍ଶନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ୍ କୁମାର

ପୁରୀ: ସୁପ୍ରିମକୋର୍ଟରେ ରଥଯାତ୍ରା ଶୁଣାଣି ସୋମବାର ହେବ। ରାଜ୍ୟ ସରକାର ଏହା ପୂର୍ବରୁ ସକରାତ୍ମକ ଆଭିମୁଖ୍ୟ ରଖିଛନ୍ତି । କୋଭିଡ୍ ଆଇନ ପାଳନ ସହ ବିନା ଭକ୍ତରେ ପୁରୀରେ ରଥଯାତ୍ରା କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ତଥା ପୁରୀ ଗଜପତି ଦିବ୍ୟସିଂହ ଦେବ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ଚିଠି ଉପରେ ସଠିକ୍ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ରବିବାର ରାତିରେ ଆଇନ ବିଭାଗ ପକ୍ଷରୁ ଏ ମର୍ମରେ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି ।
ଅନ୍ୟପକ୍ଷରେ ରବିବାର ରାତିରେ ପୁରୀ ରଥଖଳାକୁ ଅଚାନକ ପରିଦର୍ଶନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ୍ କୁମାର, ଡିଆଇଜି ଆଶିଷ ସିଂ, ପୁରୀ ଜିଲ୍ଲାପାଳ ଏବଂ ଏସପି । ରଥଖଳାରେ ରଥନିର୍ମାଣ ଓ ରଥଯାତ୍ରାର ଆନୁସଙ୍ଗିକ ବ୍ୟବସ୍ଥାର ଅନୁଧ୍ୟାନ କରିଥିବାରୁ ରଥଯାତ୍ରା ସମ୍ଭାବନା ଆଶା ଆହୁରି ଉଜ୍ଜଳ ହୋଇଛି ।
ସୂଚନାଯୋଗ୍ୟ, ସୁୁପ୍ରିମ୍ କୋର୍ଟରେ ରାଜ୍ୟ ସରକାର ଯେଉଁ ଆଭିମୁଖ୍ୟ ରଖିଥିଲେ ତାହା ମୁଖ୍ୟତଃ ରାଜ୍ୟର ବିଭିନ୍ନ ସ୍ଥାନ ଓ ପଞ୍ଚାୟତରେ ଅନୁଷ୍ଠିତ ହେବାକୁ ଥିବା ହଜାର ହଜାର ସଂଖ୍ୟକ ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଉପରେ ପର୍ଯ୍ୟବେସିତ ଥିଲା । ଇତିମଧ୍ୟରେ ୫ ଲକ୍ଷରୁ ଅଧିକ ପ୍ରବାସୀ ରାଜ୍ୟକୁ ଫେରିଆସିଛନ୍ତି ଏବଂ ଜୁନ୍ ଶେଷ ସୁଦ୍ଧା ଅଧିକାଂଶ ବ୍ୟକ୍ତିଙ୍କର କ୍ୱାରେଣ୍ଟାଇନ୍ ଅବଧି ସରୁଛି । ଏଥିସହ ମୌସୁମୀ ବର୍ଷା ଆସିଯାଇଥିବାରୁ ଜୁନ୍ ଓ ଜୁଲାଇ ମାସରେ ରାଜ୍ୟରେ କୋଭିଡ ମହାମାରୀ ଶୀର୍ଷକୁ ଯାଇପାରେ । ଏହି ସମୟରେ କୌଣସି ଜାଗାରେ ଲୋକଙ୍କ ସମାଗମ ହେଲେ ଜୀବନ ପ୍ରତି ଭୟଙ୍କର ବିପଦ ଆଶଙ୍କା ରହିଛି ।
ସୁପ୍ରିମ୍ କୋର୍ଟ ଉଭୟ ପକ୍ଷଙ୍କ ଆବେଦନ ଶୁଣାଣି ପରେ ପୁରୀରେ ରଥଯାତ୍ରା ବନ୍ଦ ପାଇଁ ନିର୍ଦେଶ ଦେଇଛନ୍ତି । ତେବେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସଭାପତି ତଥା ଗଜପତି ମହାରାଜାଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଦେଇ ପୁରୀରେ ବିନା ଭକ୍ତରେ ରଥଯାତ୍ରା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଥିବାରୁ ରାଜ୍ୟ ସରକାର ଆଇନ ଅନୁଯାୟୀ ସଠିକ୍ ପଦକ୍ଷେପ ନେବେ ବୋଲି ଆଇନ ବିଭାଗ ସ୍ପଷ୍ଟ କରିଛି ।

Spread the love