କିସ୍‍ ଛାତ୍ରଛାତ୍ରୀଙ୍କ ନିକଟକୁ ପଠାଗଲା ଦ୍ୱିତୀୟ ପର୍ଯ୍ୟାୟ ଶୁଖିଲା ଖାଦ୍ୟ ଓ ପାଠ୍ୟ ପୁସ୍ତକ

ଭୁବନେଶ୍ୱର: କରୋନା ମହାମାରୀ ଯୋଗୁଁ ଏବେ ସ୍କୁଲ୍‍, କଲେଜ ବନ୍ଦଥିବାବେଳେ କିସ୍ ର ୩୦ ହଜାର ଛାତ୍ରଛାତ୍ରୀ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ନିଜ ନିଜ ଘରେ ରହୁଛନ୍ତି। ଏହାକୁ ଦୃଷ୍ଟିରେ ରଖି କିସ କର୍ତ୍ତୃପକ୍ଷ ସେମାନଙ୍କ ନିକଟରେ ପାଠ୍ୟ ପୁସ୍ତକ ଓ ଶୁଖିଲା ଖାଦ୍ୟ ପହଞ୍ଚାଇବାର ବ୍ୟବସ୍ଥା କରିଛନ୍ତି। ଏଥିପାଇଁ ଗତ ମାସରେ ପ୍ରଥମ ପର୍ଯ୍ୟାୟରେ କିସ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଚୁଡ଼ା, ଚିନି, ଡାଲି, ବିସ୍କୁଟ ଆଦି ସୁଖିଲା ଖାଦ୍ୟ ସାମଗ୍ରୀ, ସାବୁନ ଏବଂ ସମସ୍ତ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ଶିକ୍ଷାବର୍ଷର ପାଠ୍ୟ ପୁସ୍ତକ, ଖାତା, କଲମ, ପେନସିଲ ଆଦି ପାଠ୍ୟୋପକରଣ ଯୋଗାଇ ଦିଆଯାଇଥିଲା। ପିଲାଙ୍କ ସୁବିଧା ଦୃଷ୍ଟିରୁ କିସ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ଶୁଖିଲା ଖାଦ୍ୟ ସାମଗ୍ରୀ ଓ ପାଠ୍ୟ ପୁସ୍ତକ ସେମାନଙ୍କ ନିକଟରେ ପହଞ୍ଚାଇବା କାର୍ଯ୍ୟ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଶିକ୍ଷାନୁଷ୍ଠାନଗୁଡିକ ଖୋଲିବା ନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ ଛାତ୍ରଛାତ୍ରୀମାନେ କିସକୁ ଫେରିବା ପର୍ଯ୍ୟନ୍ତ ସେମାନଙ୍କ ଘରେ ପ୍ରତିମାସରେ ଶୁଖିଲା ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ପାଠ୍ୟୋପକରଣ ପହଞ୍ଚାଇ ଦିଆଯିବ ବୋଲି କିଟ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି।

ଶୁକ୍ରବାର ସକାଳେ ବସ ଯୋଗେ ଓଡ଼ିଶାର ସମସ୍ତ ଜିଲ୍ଲାରେ ରହୁଥିବା ଛାତ୍ରଛାତ୍ରୀଙ୍କ ଗ୍ରାମକୁ ଉପରୋକ୍ତ ସାମଗ୍ରୀ ପଠାଯାଇଛି। ପୂର୍ବପରି ନିର୍ଦ୍ଦିଷ୍ଟ କରାଯାଇଥିବା ସ୍ଥାନରେ ପିଲାଙ୍କ ଅଭିଭାବକମାନଙ୍କୁ ଏହି ସବୁ ସାମଗ୍ରୀ ପ୍ରଦାନ କରାଯିବ। କିସର ଏହି ପ୍ରୟାସକୁ କିସ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଭୂୟସୀ ପ୍ରଶଂସା କରିଛନ୍ତି। ଏହା ବ୍ୟତୀତ କିସ ଛାତ୍ରଛାତ୍ରୀଙ୍କୁ ନିୟମିତ କଳିଙ୍ଗ ଟିଭି ଏବଂ ମୋବାଇଲ ଜରିଆରେ ଅନଲାଇନ ଶିକ୍ଷାଦାନ ଅବ୍ୟାହତ ରହିଛି।

Spread the love