ରଥଯାତ୍ରା ଠିକ ଭାବେ ଶେଷ ହୋଇଥିବା ନେଇ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ସରକାର କରୋନା ସଂକ୍ରମଣ ଭିତରେ କେମିତି ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ତାକୁ ନେଇ ଚିନ୍ତାରେ ଥିଲେ। ବିଶେଷ କରି କଟକଣା ଭିତରେ ରଥଯାତ୍ରା କରାଇବା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ଦେବା ପରେ ହାତରେ ଖୁବ କମ ସମୟ ଥିବା ସତ୍ତ୍ୱେ ସୁରୁଖୁରୁରେ ସମସ୍ତ ପ୍ରସ୍ତୁତି ପୁରୀ ଜିଲ୍ଲା ପ୍ରଶାସନ ଶେଷ କରିଥିଲା। ନବ ଦିନାତ୍ମକ ରଥଯାତ୍ରା ଶେଷ ହେବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିରକୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରିଛନ୍ତି ।

ନବୀନ ଟୁଇଟ କରି ଲେଖିଛନ୍ତି, ‘ରଥଯାତ୍ରାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ ଆୟୋଜନ ଶୃଙ୍ଖଳିତ ହୋଇଛି। ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ । ସେବାୟତ, ପ୍ରଶାସନ ଓ ରାଜ୍ୟବାସୀଙ୍କୁ ମଧ୍ୟ କୃତଜ୍ଞତା ଜ୍ଞାପନ କରୁଛି। ସବୁ ସେଇ ଲୀଳାମୟଙ୍କ ଇଛା।ସେପେଟ ରଥଯାତ୍ରା ସଫଳତାର ଶ୍ରେୟ ନେବାକୁ ରାଜନୀତି ଆରମ୍ଭ ହେଲାଣି । ବିଜେପି ସାଧାରଣ ସଂପାଦକ ପୃଥ୍ଵୀ ରାଜ ହରିଚନ୍ଦନ କହିଛନ୍ତି, ରଥଯାତ୍ରା ହେବ କି ନାହିଁ ସନ୍ଦେହ ଥିଲା । ଭଗବାନଙ୍କ ଲୀଳା ଯୋଗୁ ରଥଯାତ୍ରା ଶେଷ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ନିଷ୍ଠା ଯୋଗୁ ସମ୍ଭବ ହୋଇଛି । ପରମ୍ପରା ରକ୍ଷା ହୋଇଛି। ଯେଉଁମାନେ ଷଡ଼ଯନ୍ତ୍ର କରୁଥିଲେ ସେମାନଙ୍କ ପର୍ଦ୍ଦାଫାଶ ହୋଇଛି । କିଏ ଷଡ଼ଯନ୍ତ୍ର କରିଥିଲା ଲୋକେ ବି ତାହା ଜାଣିଛନ୍ତି । ଜଗନ୍ନାଥ ଚାହିଁଲେ ବୋଲି ରଥଯାତ୍ରା ହେଲା, କିନ୍ତୁ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ନିଷ୍ଠା ପ୍ରଦର୍ଶନ କରିଥିବା ପୃଥ୍ଵୀ ରାଜ କହିଛନ୍ତି।

ଏପଟେ ରଥଯାତ୍ରାର ସୁରୁଖୁରୁରେ ଶେଷ ହୋଇଥିବାରୁ ସମସ୍ତଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟସେବକ ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଗଜପତି ଦିବ୍ୟସିଂହ ଦେବ କୃତଜ୍ଞତା ଜଣାଇଛନ୍ତି । ମହାପ୍ରଭୁଙ୍କ ଦୟାରୁ ରଥଯାତ୍ରା ସଂପନ୍ନ ହୋଇଛି। ଏଥିପାଇଁ ସେବାୟତ, ମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । କୋଭିଡ ଗାଇଡଲାଇନ ମାନି ଭକ୍ତମାନେ ଘରେ ବସି ଟିଭିରେ ମହାପ୍ରଭୁଙ୍କ ରଥଯାତ୍ରାର ଦର୍ଶନ କରିଥିବାରୁ ରାଜ୍ୟବାସୀଙ୍କ ସହଯୋଗ ପାଇଁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି ।

Spread the love