ଆଜି ସୁସ୍ଥ ହେଲେ ଆଉ ୨୬୨ କରୋନା ଆକ୍ରାନ୍ତ, ରାଜ୍ୟରେ ସୁସ୍ଥ ସଂଖ୍ୟା ୬୪୮୬
ସୋମବାର ଅପରାହ୍ନ ସୁଦ୍ଧା ରାଜ୍ୟରେ ୨୬୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇଲେ ଏଯାବତ ରାଜ୍ୟରେ ୬୪୮୬ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।
ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୭୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତେବେ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏକାଥରକେ ୭୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେବା ଏକ ଖୁସି ଖବର ବୋଲି କୁହାଯାଉଛି।
ଏହା ବ୍ୟତୀତ ଅନୁଗୁଳ, ବାଲେଶ୍ୱର, ନୟାଗଡ଼ ଓ ନବରଙ୍ଗପୁର ଜିଲ୍ଲାରୁ ୩ଜଣ ଲେଖାଏଁ ଓ ବୌଦ୍ଧ, ଝାରସୁଗୁଡ଼ା, କଳାହାଣ୍ଡି, କୋରାପୁଟ ଓ ମୟୁରଭଞ୍ଜ ଆଦି ଜିଲ୍ଲାରୁ ଜଣେ ଲେଖାଏଁ ସୁସ୍ଥ ହେବା ପରେ ସେମାନଙ୍କୁ ହସ୍ପିଟାଲରୁ ମୁକ୍ତ କରାଯାଇଛି।
କରୋନା ପଜିଟିଭ୍ ଚିହ୍ନଟ ପରେ କୋଭିଡ ହସ୍ପିଟାଲ୍ରେ ଚିକିତ୍ସା ହେଉଥିବା ଏହି ସମସ୍ତଙ୍କ କରୋନା ପରୀକ୍ଷା କରାଯାଇଥିଲା। ରିପୋର୍ଟ ନେଗେଟିଭ୍ ଆସିବା ପରେ ସମସ୍ତଙ୍କୁ ଆଜି ହସ୍ପିଟାଲରୁ ଛୁଟି ମିଳିଛି।