ମାନବବାଦୀଙ୍କ ମୃତ୍ୟୁ ପଛର ଖିଅ କେଉଁଠି ଲୁଚିଛି ?

ଅବସାଦ, ମାନସିକ ଚାପ, ପାରିବାରିକ କଳହ, ବାହ୍ୟ ଶତ୍ରୁତା ନା ଆଉ କେଉଁ କାରଣ ? ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇବ କି ଜିଆରପି ଜବତ କରିଥିବା ତାଙ୍କ ଡାଏରୀ ? ନିଜେ ଜିଆରପି ଏସ୍ପି ଆଜି ବିଭିନ୍ନ ସ୍ଥାନକୁ ଯାଇ ତଦନ୍ତ କରିବା ସହ ଏହା ପ୍ରାଥମିକ ଭାବେ ଆତ୍ମହତ୍ୟା ବୋଲି ଜଣାପଡ଼ୁଥିବା କହିଛନ୍ତି । ତେବେ ଘଟଣା ଦିନ ପତ୍ନୀଙ୍କ ସହ ଝଗଡ଼ା, ପୂର୍ବରୁ ମଦ ବିରୋଧୀ ଆନ୍ଦୋଳନ ଆଦି ବିଭିନ୍ନ ଦିଗ ସନ୍ଦେହ ସୃଷ୍ଟି କରୁଛି । ସେପଟେ ଆଦିତ୍ୟଙ୍କ ମୃତ୍ୟୁ ପରେ ସତେକି ନିରବୀ ଯାଇଛି, ସେ ଗଢିଥିବା ବୃଦ୍ଧାଶ୍ରମ।

ମଦ ବିରୋଧୀ ଭିଡିଓ ଛାଡ଼ିବା ସହ ଗତବର୍ଷ ଭୁବନେଶ୍ୱରରେ ୧୦ ଦିନ ଧାରଣାରେ ବସିଥିଲେ ଆଦିତ୍ୟ ।  ତାପରଠୁ ତାଙ୍କୁ ଧମକପୂର୍ଣ୍ଣ କଲ୍ ଆସୁଥିବା କହିଛନ୍ତି ତାଙ୍କ ସଂପର୍କୀୟ ଭାଇ।  ତେବେ ତାଙ୍କର ଜଣେ ନିକଟତମ ବନ୍ଧୁ କହିଛନ୍ତି, ପାରିବାରିକ ସମସ୍ୟା ବି ଏହାର କାରଣ ହୋଇପାରେ।

ପାରିବାରିକ ସମସ୍ୟା ନା ବାହ୍ୟ ଶତ୍ରୁ, ନା ଅନ୍ୟ କେଉଁ କାରଣ? ଏ ତମାମ୍ ଦିଗରୁ ତଦନ୍ତ କରୁଛି ଜିଆରପି।  ଜିଆରପି ଏସ୍ପି ଘଟଣାସ୍ଥଳ, ଭଡ଼ାଘର ଓ ପିପୁଲ୍ ଫର୍ ସେବା ଅନୁଷ୍ଠାନ କାର୍ଯ୍ୟାଳୟକୁ ଯାଇ ତଦନ୍ତ କରିଛନ୍ତି।  ପରିବାର ଲୋକ ଓ କିଛି ସାଙ୍ଗସାଥୀଙ୍କୁ ପଚରାଉଚରା ବି ହୋଇଛି । ତେବେ ଜଣାପଡ଼ିଛି ଯେ, ଘଟଣା ଦିନ ରାତିରେ ଆଦିତ୍ୟ ପତ୍ନୀଙ୍କ ସହ ଝଗଡ଼ା କରି ତାଙ୍କୁ ଘରୁ ବାହାରି ଯିବାକୁ କହିଥିଲେ । ପତ୍ନୀ ଘରୁ ବାହାରି ଯିବା ପରେ, ସେ ନିଜେ ବି ଘରୁ ବାହାରି ଯାଇଥିଲେ ।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା, ଆଦିତ୍ୟ ଘରେ ଛାଡ଼ିଯାଇଥିବା ୨ଟି ମୋବାଇଲ୍ ଓ ତାଙ୍କ ସ୍ତ୍ରୀଙ୍କ ମୋବାଇଲ୍ ସହ, ଆଦିତ୍ୟଙ୍କ ଏକ ଡାଏରୀ ଜବତ କରିଛି ଜିଆରପି। ତେବେ  ଏହି ଡାଏରୀ ଖୋଲିବକି ଗୁମର? ଆଦିତ୍ୟଙ୍କ ପତ୍ନୀଙ୍କ କହିବା କଥା, ଏଥିରେ ଆଦିତ୍ୟ ଲେଖିଛନ୍ତି ସେତିକି ଦମ୍ଭ ନଥିଲେ ସରକାରଙ୍କ ସହ କେବେ ପଙ୍ଗା ନେବନି।  ତେଣୁ ତାଙ୍କର କେହି ବାହ୍ୟ ଶତ୍ରୁ ଥାଇ ପାରନ୍ତି । ସେପଟେ ମାଆ କହିଛନ୍ତି ସୋସିଆଲ୍ ମିଡିଆରେ ଲୋକପ୍ରିୟତା ତାଙ୍କ ଶତ୍ରୁ ସାଜିଲା ।  ତେବେ ଜିଆରପି ଏସ୍ପିଙ୍କ କହିବା କଥା ପ୍ରାଥମିକ ଭାବେ ଏହା ଆତ୍ମହତ୍ୟା ବୋଲି ଜଣାପଡ଼ୁଛି ।

Spread the love