୩ ଆଇଏଏସଙ୍କୁ ‘କୋଭିଡ୍ ’ ଦାୟିତ୍ୱ

ରାଜ୍ୟରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ଆଜି ୩ଜଣ ଆଇଏଏସ ଅଫିସରଙ୍କୁ କୋଭିଡ୍ ପରିଚାଳନା ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ମାସ୍କ ଓ ଅନ୍ୟାନ୍ୟ ଉପକରଣ କିଣାରେ ଦୁର୍ନୀତି ଅଭିଯୋଗ ଆସିବାପରେ କୋଭିଡ୍ ପରିଚାଳନା ଦାୟିତ୍ୱରେ ରହିଥିବା ସମସ୍ତ ଅଧିକାରୀଙ୍କ ଜୁନ୍ ପ୍ରଥମ ସପ୍ତାହରେ ରାଜ୍ୟ ସରକାର ହଟାଇ ଦେଇଥିଲେ।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ସାମାଜିକ କଲ୍ୟାଣ ନିର୍ଦ୍ଦେଶକ ଆଇଏଏସ୍ ଅରବିନ୍ଦ ଅଗ୍ରୱାଲ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ନିର୍ଦ୍ଦେଶକ ଆଇଏଏସ ଲିଙ୍ଗରାଜ ପଣ୍ଡା ନିଜର ଦାୟିତ୍ୱ ସହ ଅତିରିକ୍ତ ଭାବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ କୋଭିଡ୍ ପରିଚାଳନାରେ ସହଯୋଗ କରିବେ। ସେହିପରି ଓପେପା ନିର୍ଦ୍ଦେଶକ ଭୂପିନ୍ଦର ସିଂ ପୁନିଆଙ୍କୁ କୋଭିଡ୍ ପରିଚାଳନା ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ ଦାୟିତ୍ୱ ନ୍ୟସ୍ତ ହୋଇଛି।

ଗତକାଲି ଓଏମସି ପରିଚାଳନା ନିର୍ଦ୍ଦେଶକ ଆଇଏଏସ୍ ଭିନିଲ କ୍ରିଷ୍ଣାଙ୍କୁ କୋଭିଡ୍ ପରିଚାଳନା କାର୍ଯ୍ୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଓଏସଡି ଭାବେ ନିଯୁକ୍ତି ମିଳିଥିଲା।

Spread the love