ହକ୍ ନମିଳିବା ପର୍ଯ୍ୟନ୍ତ ଓବିସି ମୋର୍ଚ୍ଚା ଲଢେଇ ଜାରି ରଖିବା ଦରକାର :ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଓବିସି ବର୍ଗକୁ ନିଜର ହକ୍ ନ ମିଳିବା ପର୍ଯ୍ୟନ୍ତ ଓବିସି ମୋର୍ଚ୍ଚା ଲଢେଇ ଜାରି ରଖିବା ଦରକାର ବୋଲି ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତି ଉପଲକ୍ଷେ ରାଜ୍ୟ ଓବିସି ମୋର୍ଚ୍ଚା ତରଫରୁ ଆୟୋଜିତ ଭର୍ଚୁଆଲ ଜନ ସମ୍ବାଦ ରାଲିରେ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଓଡିଶାରେ ଓବିସି ବର୍ଗ ରାଜ୍ୟ ଜନସଂଖ୍ୟାର ଏକ ପ୍ରମୁଖ ବର୍ଗ । ଏହି ବର୍ଗର ଲୋକମାନେ ଯଦି ନିଜ ନିଜର କୌଳିକ ବୃତିକୁ ଆଧୁନିକ କରିବେ ତେବେ ଭାରତ ଆତ୍ମନିର୍ଭର ହୋଇପାରିବ । ତେଣୁ ସମାଜ ଆଧାରରେ ସଂଗଠନ କରି ଏହି ରାଷ୍ଟ୍ରୀୟ ଭାବନାରେ ଓବିସି ବର୍ଗକୁ ଯୋଡ଼ିବା ଆମର ଦାୟିତ୍ୱ ରହିବା ଉଚିତ୍ । ଓବିସି ମୋର୍ଚ୍ଚାର ସଦସ୍ୟମାନେ ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରେ ମଜବୁତ୍ କରିବା ଦରକାର ଏବଂ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଓ ଗରିବ କଲ୍ୟାଣ ଯୋଜନାକୁ ସମାଜ ଆଗରେ ଉପସ୍ଥାପନ କରିବା ଦରକାର । ଜନ ଆନ୍ଦୋଳନ ମାଧ୍ୟମରେ ରାଜ୍ୟରେ ଥିବା ଓବିସି ବର୍ଗର ସମସ୍ୟାକୁ ମଧ୍ୟ ଉଠାଇବା ଦରକାର । ମୋଳିକ ଦାବୀକୁ ପୂରଣ ନକରିବା ପର୍ଯ୍ୟନ୍ତ ଓବିସି ମୋର୍ଚ୍ଚା ଲଢ଼େଇ କରିବା ଦରକାର ଓ ବ୍ୟାପକ ଜନ ଆନ୍ଦୋଳନର ଯୋଜନା ପ୍ରସ୍ତୁତ କରିବା ଦରକାର ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ଓବିସି ନେତା ହୁକୁମ ଦେବ ନାରାୟଣ ଯାଦବ କହିଛନ୍ତି ଯେ, ସ୍ୱାଧୀନତା ପରେ ଦେଶରେ ପ୍ରଥମ ଥର ପାଇଁ ଓବିସି ବର୍ଗର ନେତା ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ଅଛନ୍ତି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଓବିସି ସମାଜର କଲ୍ୟାଣ ହୋଇଛି । ଓବିସି ସମାଜକୁ ମୋଦି ସରକାର ପ୍ରାଥମିକତା ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଶାସନରେ ହିଁ ଓବିସି ସମାଜ ଆର୍ଥୀକ ରୂପେ ସବଳ ହୋଇଛି ।

ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଭୂପେନ୍ଦ୍ର ଯାଦବ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତ ଯୋଜନାର ଲକ୍ଷ୍ୟ ରଖିଛନ୍ତି । ଏହି ଯୋଜନାର ଲକ୍ଷ୍ୟରେ ଓବିସି ବର୍ଗମାନେ ସାମିଲ ହୋଇଛନ୍ତି । ବିଶେଷଭାବରେ ମୋଦି ସରକାରଙ୍କ ଯୋଜନାରେ ଓବିସି ସମାଜ ଅଧିକ ଲାଭ ପାଇଛି ବୋଲି ସେ କହିଛନ୍ତି । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ,୯୦ ଦଶକରୁ ଏପର୍ଯ୍ୟନ୍ତ ପାଖାପାଖି ୨୫-୩୦ ବର୍ଷରେ ଅନେକ ସରକାର ଦିଲ୍ଲୀରେ ଦାୟିତ୍ୱ ନେଇଥିଲେ । ମାତ୍ର କେହି ଓବିସି କମିଶନ ଗଠନ କରିଥିଲେ । ଓବିସି କମିଶନ ନରେନ୍ଦ୍ର ମୋଦିଙ୍କ ସରକାର ବସେଇଲେ ବୋଲି ସେ କହିଛନ୍ତି । ଏହି ରାଲିରେ ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି କୃଷ୍ଣଚନ୍ଦ୍ର ପାତ୍ର, ଚିତରଂଜନ କଂସ, ଦୁଷ୍ମନ୍ତ ଦାସ, ଆଶୁତୋଷ ପରିଡା ଓ ଜ୍ଞାନରଂଜନ ଜେନା ପ୍ରମୁଖ ସାମିଲ ଥିଲେ ।

Spread the love