ଓଡ଼ିଆ ସାମ୍ବାଦିକଙ୍କ ମୁଣ୍ଡ ନେଲା କରୋନା

ରାଜ୍ୟରେ ପ୍ରଥମ କରୋନା ସଂକ୍ରମିତ ସାମ୍ବାଦିକଙ୍କ ଆଜି ମୃତ୍ୟୁ ଘଟିଛି। ଓଡ଼ିଶାରେ କରୋନାରେ ଏପର୍ଯ୍ୟନ୍ତ ୬୧ଜଣଙ୍କ ମୃତ୍ୟୁ ଘଟିଥିବାବେଳେ କୌଣସି କାର୍ଯ୍ୟରତ ସାମ୍ବାଦିକଙ୍କ ରାଜ୍ୟରେ ପ୍ରଥମ ମୃତ୍ୟୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜସ୍ୱ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ ଏହି ସାମ୍ବାଦିକଙ୍କ ଘର ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଲକରେ ଏକ ପ୍ରମୁଖ ଦୈନିକ ସମ୍ବାଦପତ୍ରର ପ୍ରତିନିଧି ଭାବେ କାର୍ଯ୍ୟ କରୁଥିବା ଜଣେ ୪୨ବର୍ଷୀୟ ସାମ୍ବାଦିକଙ୍କର ଆଜି ଭୁବନେଶ୍ୱରରେ ମୃତ୍ୟୁ ଘଟିିଛି। ସେ ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ କୋଭିଡ୍ ହସ୍ପିଟାଲରେ ସେ ଗତ ୫ଦିନ ଧରି ଚିକିତ୍ସିତ ହେଉଥିଲେ। ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଥିବା ତାଙ୍କ ନିକଟତମ ସୂତ୍ରରୁ ସୂଚନା ମିଳିଛି। ସରକାରୀ ଭାବେ ଏପର୍ଯ୍ୟନ୍ତ ତାଙ୍କର ମୃତ୍ୟୁ ସମ୍ପର୍କରେ କିଛି ସୂଚନା ଦିଆଯାଇନଥିଲେ ମଧ୍ୟ ସେ କରୋନା ସଂକ୍ରମିତ ଥିବା ୭-ଦିନ ପୂର୍ବରୁ ଜଣାପଡ଼ିଥିଲା। ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବାବେଳେ ଆଜି ସକାଳ ପ୍ରାୟ ୧୦ଟା ସମୟରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏହି ୪୨ବର୍ଷୀୟ ସାମ୍ବାଦିକ ଅବିବାହିତ ଥିଲେ।

ଅନ୍ୟପକ୍ଷରେ ରାଜଧାନୀରେ ଏକ ଘରୋଇ ଚ୍ୟାନେଲର ଜଣେ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ରାଜ୍ୟରେ ଏବେ ସୁଦ୍ଧା ମୋଟ ୧୨,୫୨୬ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୪୦୮୭ଜଣ ସକ୍ରିୟ ରୋଗୀ ଅଛନ୍ତି। ଆଜି ୫ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବାବେଳେ ମୋଟ ୬୧ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Spread the love