ସେ ଥିଲେ ଯୁବପିଢିଙ୍କ ପାଇଁ ଆଦର୍ଶ…

ଜନ୍ମ ହେଲେ ମୃତ୍ୟୁ, ଏହା ହିଁ ଧୃବ ସତ୍ୟ । ଏହି ସତ୍ୟକୁ ଆମେ ସମସ୍ତେ ଜାଣିଥିଲେ ମଧ୍ୟ ଏହାକୁ ଆମେ  ସହଜରେ ଗ୍ରହଣ କରିପାରୁନାହିଁ । ନିଜ ପ୍ରିୟ ପରିଜନଙ୍କ ଦେହାନ୍ତ ସହଜରେ ବିଶ୍ୱାସ କରିହୁଏନି । ସଦା ହସ ହସ ମୁହଁ,  କର୍ମତତ୍ପର, ପ୍ରବୀଣ ରାଜନୈତିଜ୍ଞ, ଜଗତସିଂହପୁର ମାଟିର ସୁଯୋଗ୍ୟ ସନ୍ତାନ ବିଷ୍ଣୁ ଦାସ ଯେ ଆଜି ଆମ ଗହଣରେ ନାହାଁନ୍ତି, ଏହା ବିଶ୍ୱାସ ହେଉ ନ ଥିଲେ ମଧ୍ୟ ସତ୍ୟ । ପୂର୍ବତନ ମନ୍ତ୍ରୀ , ସାଂସଦ, ରାଜ୍ୟ ଯୋଜନା
ବୋର୍ଡର ଉପାଧ୍ୟକ୍ଷ ତଥା ଚଳିତ ବିଧାନ ସଭାରେ ତିର୍ତ୍ତୋଲ ବିଧାୟକ ରହିଥିବା ଆମ ସମସ୍ତଙ୍କର ପ୍ରିୟ ନେତା ବିଷ୍ଣୁ  ଦାସଙ୍କର ଚଳିତ ଜୁଲାଇ ମାସ ୬ ରେ ପରଲୋକ ଘଟିଛି । ତାଙ୍କର ପରିବାର, ବନ୍ଧୁ, ସମର୍ଥକ ସମସ୍ତଙ୍କୁ ଶୋକ ସାଗରରେ ଭସାଇ ଦେଇ ସେ ଇହଧାମ ପରିତ୍ୟାଗ କରିଛନ୍ତି । ଦୀର୍ଘବର୍ଷର ରାଜନୈତିକ ଜୀବନ, ଜଗତସିଂହପୁର ଜିଲ୍ଲା ପାଇଁ ତାଙ୍କର ଅକ୍ଳାନ୍ତ ପରିଶ୍ରମ, ଅତୁଳନୀୟ ଅବଦାନ, ତାଙ୍କୁ ସବୁଦିନ ପାଇଁ ଅମର କରି ରଖିବ । ଜଣେ ଦକ୍ଷତାସଂପନ୍ନ ଓ ସାଲିସ୍‌ବିହୀନ ନେତୃତ୍ୱ ଭାବେ ସ୍ୱର୍ଗତ ବିଷ୍ଣୁ ଦାସ ଜଗତସିଂହପୁର ଜିଲ୍ଲା,  ସମଗ୍ର ରାଜ୍ୟ ତଥା ଜାତୀୟ ରାଜନୈତିକ ଇତିହାସରେ ତାଙ୍କର ସ୍ୱତନ୍ତ୍ର ଛାପ ଛାଡିଯାଇଛନ୍ତି ।

ବିଷ୍ଣୁ ଭାଇ ଥିଲେ ସମସ୍ତଙ୍କ ପାଇଁ ଆଦର୍ଶ । ଜଗତସିଂହପୁରର ଆବାଳବୃଦ୍ଧବନିତା ସମସ୍ତଙ୍କ ପାଇଁ ସେ ବିଷ୍ଣୁ  ଭାଇ ନାମରେ ପରିଚିତ ଥିଲେ । ବିଷ୍ଣୁ ଭାଇଙ୍କ ସହିତ ମୋର ରହିଥିବା ସ୍ମୃତି ଓ ଅନୁଭୂତି ସବୁଦିନ ପାଇଁ ଅଭୂଲା ହୋଇରହିବ । ତାଙ୍କର ଅସୁସ୍ଥତା ଖବର ପାଇ ସେ ଡାକ୍ତରଖାନାରେ ଥିବା ସମୟରେ ମୁଁ ଆପୋଲୋ ହସ୍ପିଟାଲରେ  ତାଙ୍କୁ ଦେଖା କରିଥିଲି । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସେତେବେଳେ ଗୁରୁତର ଥିଲା । ତାଙ୍କର ଦେହାନ୍ତ ପରେ ଭୁବନେଶ୍ୱରରୁ ଜଗତସିଂହପୁରକୁ ପାର୍ଥିବ ଶରୀର ଆସିବା ଠାରୁ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର ପର୍ଯ୍ୟନ୍ତ ସ୍ୱତଃପ୍ରବୃŧ ଭାବେ ମୁଁ ଯୋଗଦାନ କରିଥିଲି । ଛାତ୍ର ଜୀବନରେ ରାଜନୀତିଠାରୁ ଆରମ୍ଭ କରି ୧୯୯୭ ମସିହାରେ ମୋର ବିଜୁ ଜନତା ଦଳରେ ଯୋଗଦାନ ଓ ପରେ ପରେ ରାଜନୈତିକ ଜୀବନର ପ୍ରତିଟି କ୍ଷେତ୍ରରେ ବିଷ୍ଣୁ ଭାଇ ମୋତେ ମାର୍ଗଦର୍ଶନ ଦେଉଥିଲେ । ଛାତ୍ର ଜୀବନରେ ଜଗତସିଂହପୁରର ସ୍ୱାମୀ ବିବେକାନନ୍ଦ ମହାବିଦ୍ୟାଳୟ(ଏସ୍‌.ଭି.ଏମ୍ କଲେଜ)ରେ ଆମେ ଅଧ୍ୟ୍ୟୟନ କରୁଥିଲୁ । ଆମେ ସବୁ ଅଣ କଂଗ୍ରେସ ରାଜନୀତିରେ ଥିଲୁ । ୧୯୯୭ ମସିହାରେ ବିଜୁ ଜନତା ଦଳ ଗଠିତ ହେଲା । ସେ ସମୟରେ ବିଷ୍ଣୁ ଭାଇଙ୍କ ଆହ୍ୱାନ କ୍ରମେ ମୁଁ ବିଜେଡିରେ ନବୀନବାବୁଙ୍କ ଉପସ୍ଥିତିରେ ଯୋଗଦେଇଥିଲି । ବିଷ୍ଣୁ ଭାଇଙ୍କର
ଜଗତସିଂହପୁର ଜିଲ୍ଲା ବାଲିକୁଦା ଏବଂ ନାଉଗାଁ ଅଂଚଳବାସୀଙ୍କ ସହିତ ନିବିଡ ସଂପର୍କ ଥିଲା । ସେହି ସଂପର୍କକୁ ଆଧାର
କରି ସେ ଏହି ଅଂଚଳରେ ସଂଗଠନକୁ ସୁଦୃଢ କରିବାରେ ମୋତେ ସହଯୋଗ କରିଥିଲେ । କେବଳ ବାଲିକୁଦା ଓ ନାଉଗାଁ ଅଂଚଳ ନୁହେଁ, ବିଶେଷକରି ଜିଲ୍ଲାର ଯେଉଁ ଅଂଚଳକୁ ପହଁଚିବାରେ ଯାତାୟତର ଅସୁବିଧା ଥିଲା, ସେହିସବୁ ଅଗମ୍ୟ ଅଂଚଳରେ ନଦୀ.ନାଳ ପାର ହୋଇ ପହଁଚି ମୋ ସହିତ ସାଂଗଠନିକ କାର୍ଯ୍ୟରେ ସେ ବିନା ଦ୍ୱିଧାରେ ସହାୟତା କରିଥିଲେ । କଲେଜ ଜୀବନରେ ସେ ଛାତ୍ର ରାଜନୀତିରେ ସକ୍ରିୟ ଥିଲେ । ଛାତ୍ର ରାଜନୀତି ସମୟରୁ ସେ ମୋତେ ବରାବର ପରାମର୍ଶ ଓ ସହଯୋଗ ଦେଇଆସୁଥିଲେ । ରାଜ୍ୟ ରାଜନୀତିକୁ ଆସିବା ପୂର୍ବରୁ ବିଷ୍ଣୁ ଭାଇ କିଛିଦିନ ଓକିଲାତି କରିଥିଲେ ଓ ସେହି ସମୟରେ ମୁଁ ମଧ୍ୟ କିଛିଦିନ ଓକିଲାତି କରୁଥିଲି । ଏଣୁ ଆମ ଦୁଇଜଣଙ୍କ ସଂପର୍କ ଆହୁରି ଘନିଷ୍ଟ ହୋଇଥିଲା । ୧୯୭୫ ମସିହାରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ସମୟରେ ସେ ସମସ୍ତଙ୍କୁ ଏକାଠି କରିବାରେ ସମର୍ଥ ହୋଇଥିଲେ । ତାଙ୍କ ସହିତ ମୋର ଅତି ସ୍ମରଣୀୟ ଘଟଣା ହେଉଛି, ୧୯୮୦ ମସିହାରେ ଛବିରାଣୀ ହତ୍ୟାକାଣ୍ଡ ଭଳି ଏକ ଲୋମହର୍ଷଣକାରୀ ଘଟଣା ସମୟର । ସେତେବେଳେ ଏହି ଘଟଣା କେବଳ ଆମ ରାଜ୍ୟ ଏବଂ ଆମ ଦେଶ ନୁହେଁ,ଏହା ବିଶ୍ୱରେ ଚହଳ ପକାଇଥିଲା । ବିଷ୍ଣୁ ଭାଇ ଯେତେବେଳେ ଏଭଳି ଘଟଣାରେ ଦୃଢ ପ୍ରତିବାଦର ସ୍ୱର କରୁଥା’ନ୍ତି, ସେ ସମୟରେ ମୁଁ ମଧ୍ୟ ସାମିଲ ହୋଇଥିଲି । ଏହି ଘଟଣାରେ ରବିରାୟ, କୁଲଦୀପ ସିଂ ଏବଂ ମଧୁ ଲିମାଏ ଭଳି ଦେଶର ବିଶିଷ୍ଟ ରାଜନୈତିକ ନେତୃବୃନ୍ଦଙ୍କୁ ସାମିଲ କରି ବିଷ୍ଣୁ ଭାଇ ରାଜ୍ୟ ତଥା ଦେଶର ରାଜନୀତିରେ ଚର୍ଚ୍ଚିତ ବ୍ୟକ୍ତିତ୍ୱ ହୋଇପାରିଥିଲେ । ଜଗତସିଂହପୁରକୁ ନେଇ ସ୍ୱର୍ଗତ ବିଷ୍ଣୁ ଦାସଙ୍କ ସ୍ୱପ୍ନ ତାଙ୍କର ପିଲାଟି ଦିନରୁ ରହିଥିଲା । ଜଗତସିଂହପୁର ଜିଲ୍ଲାର ସାମଗ୍ରିକ ବିକାଶ ନେଇ ସେ ଖୁବ୍ ଆଶାବାଦୀ ଥିଲେ । ଏକ ସାଧାରଣ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ ଓ
ଦାରିଦ୍ର‌୍ୟର କଷାଘାତ ମଧ୍ୟରେ ସେ ନିଜ ଜୀବନର ଚଳାପଥରେ ଆଗକୁ ବଢିଥିଲେ । ବିଜୁବାବୁଙ୍କୁ ନିଜ ଆଦର୍ଶ ମାନୁଥିବା
ବିଷ୍ଣୁ ଭାଇ ନିଜେ ଜଣେ ସଫଳ ରାଜନେତା ହୋଇପାରିଥିଲେ ଓ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲେ । ୧୯୭୭ ମସିହାରେ ସ୍ୱର୍ଗତ ବିଷ୍ଣୁ ଦାସ ଜଗତସିଂହପୁର ଏସ୍‌.ଭି.ଏମ୍ କଲେଜର ଛାତ୍ରସଂସଦର ସଭାପତି ହେଲେ ଓ ପରେ ପରେ ତିନିତିନି ଥର ଛାତ୍ରସଂସଦର ସଭାପତି ହୋଇଥିଲେ । ଦୀର୍ଘ ଦିନ ଧରି ରାଜନୀତିରେ ରହି ସେ ସ୍ଥାନୀୟ ମହାବିଦ୍ୟାଳୟ ଓ ଅନ୍ୟ ଅନଷ୍ଠୁ ।ନଗୁଡିକରେ ଉନ୍ନୟନମୂଳକ କାର୍ଯ୍ୟରେ ସକ୍ରିୟ ସହଯୋଗ କରିଥିଲେ ।  ଜଗତସିଂହପୁର ଜିଲ୍ଲା ଓ ରାଜ୍ୟର ବିକାଶରେ ତାଙ୍କର ଅବଦାନ ଅତୁଳନୀୟ ଥିଲା ।  ୧୯୯୦ରୁ ୨୦୦୯ ମସିହା ପର୍ଯ୍ୟନ୍ତ ଲଗାତାର ୫ ଥର ଜଗତସିଂହପୁର ବିଧାନସଭା କ୍ଷେତ୍ରରୁ ବିଜୟୀ ହେବା
ସହ ୨୦୧୯ ରେ ତିର୍ତ୍ତୋଲ  ଆସନରୁ ସେ ବିଜୟୀ ହୋଇଥିଲେ । ଏହା ମଧ୍ୟରେ ସେ ରାଜ୍ୟରେ କ୍ୟାବିନେଟ୍ ମନ୍ତ୍ରୀ ଓ  ରାଜ୍ୟସଭା ସଦସ୍ୟ ତଥା ଯୋଜନା ବୋର୍ଡର ଉପାଧ୍ୟକ୍ଷ ହୋଇଥିଲେ । ସେ ଅନେକ ରାଜନେତାଙ୍କର ପ୍ରେରଣାର ଉତ୍ସ
ଥିଲେ । ବହୁ ଯୁବବର୍ଗ ତାଙ୍କ ଦ୍ୱାରା ଅନୁପ୍ରାଣୀତ ହୋଇ ଜଗତସିଂହପୁର ଜିଲ୍ଲା ତଥା ଓଡିଶାର ରାଜନୈତିକ କ୍ଷେତ୍ରରେ
ଆଗକୁ ବଢିଛନ୍ତି । ତାଙ୍କର ଅସୁସ୍ଥତା ଜନିତ ଅକାଳ ବିୟୋଗ ଆମ ସମସ୍ତଙ୍କୁ ମର୍ମାହତ କରିଛି । ଦଳମତ ନିର୍ବିଶେଷରେ ସ୍ୱର୍ଗତ ବିଷ୍ଣୁ ଦାସ, ଆମ ସମସ୍ତଙ୍କର ପ୍ରିୟ ବିଷ୍ଣୁ ଭାଇ ଜଣେ ଦରଦୀ, ସ୍ନେହୀ, ନିଷ୍କପଟ ଓ ବିରଳ ବ୍ୟକ୍ତିତ୍ୱ  ଥିଲେ । ତାଙ୍କର ବିୟୋଗ ଜଗତସିଂହପୁର ଜିଲ୍ଲା ତଥା ଆମ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି । ବିଷ୍ଣୁଭାଇଙ୍କର ସଂଗ୍ରାମୀ ଜୀବନ ଓ ଆଦର୍ଶ ଆମ ସମସ୍ତଙ୍କୁ ବିଶେଷକରି ଯୁବପିଢିମାନଙ୍କୁ ଅନୁପ୍ରାଣୀତ କରୁ, ଏହା ମୁଁ କାମନା କରୁଛି ।

Spread the love