ସଜନା ପତ୍ରର ମାନବୃଦ୍ଧି ନେଇ ସୋଆର ଗବେଷଣା

ଭୁବନେଶ୍ୱର, ୧୮/୦୭: ଶିକ୍ଷା ଓ ଅନୁସନ୍ଧାନ(ସୋଆ ଡିମଡ୍‌ ଟୁ ବି ୟୁନିଭର୍ସିଟି)ର ଗବେଷକମାନେ ସଜନା ପତ୍ରର ମାନବୃଦ୍ଧି ନେଇ ଗବେଷଣା କରିଛନ୍ତି । ଯାହା ନୂଆ ବ୍ୟବସାୟ ପାଇଁ ସୁଯୋଗ ସୃଷ୍ଟି କରିିଛି । ସଜନା ଗଛ ବାବଦରେ ଗବେଷଣା କରି ଏହା କିଭଳି ବୃଦ୍ଧି ପାଇପାରିବ ସେ ବାବଦରେ ଚାଷୀମାନଙ୍କୁ ପ୍ରେରଣା ଯୋଗାଇଛି । ସଜନା ଶାଗ କେବଳ ଭଲ ଖାଦ୍ୟ ନୁହଁ, ଏହାର ବିଭିନ୍ନ ଔଷଧୀୟ ଗୁଣ ରହିଛି । ସଜନାର ପତ୍ର, ଚେର, ମଞ୍ଜି ଓ ଗଛ ସବୁଥିରେ ଖଣିଜ ଲବଣ, ପ୍ରୋଟିନ୍‌, ଭିଟାମିନ୍‌, ବିଟା-କାରୋଟିନ୍‌, ଆମିନୋ ଏସିଡ୍‌ ସମେତ ବିଭିନ୍ନ ପ୍ରକାର ଫେନୋଲିକ୍ସ ପଦାର୍ଥ ରହିଛି । ଯାହାକୁ ଚାଷ କରି ଜଣେ ଭଲ ବ୍ୟବସାୟ କରିପାରିବ ବୋଲି ସୋଆ ସେଣ୍ଟର୍‌ ଫର ବାୟୋଟେକ୍ନୋଲୋଜି ବିଭାଗର ପ୍ରଫେସର ଇ. ସୁବୁଦ୍ଧି କହିଛନ୍ତି ।

ସଜନାରେ ଆଣ୍ଟି ଟ୍ୟୁମର୍‌, ଆଣ୍ଟି-ଇନଫ୍ଲାମେଟୋରୀ, ଆଣ୍ଟି-ଅଲସର୍‌, ଆଣ୍ଟି-ସ୍ପାସମୋଡିକ୍‌, ଆଣ୍ଟି-ହାଇପରଟେନ୍ସିଭ୍‌, ଡାଇୟୁରେଟିକ୍‌, ଆଣ୍ଟି-ଅକ୍ସିଡାଣ୍ଟ୍‌, ଆଣ୍ଟି-ଡାଇବେଟିସ୍‌, ହେପାଟୋ-ପ୍ରୋଟେକ୍ଟିଭ୍‌, ଆଣ୍ଟି-ମାଇକ୍ରୋବାୟଲ୍‌ ଆଦି ଗୁଣ ରହିଛି। ସେହିପରି ସଜନା କୋଲେଷ୍ଟ୍ରୋଲ୍‌ ହ୍ରାସ କରିଥାଏ । ଏହା ସହିତ ହୃଦ୍‌ ଏବଂ ରକ୍ତ ସଞ୍ଚାଳକ ଉତ୍ସାହକାରୀ ଭାବେ କାର୍ଯ୍ୟ କରିଥାଏ ବୋଲି ପ୍ରଫେସର ସୁବୁଦ୍ଧି କହିଛନ୍ତି ।

ଯଦିବା ଏହି ପତ୍ରର ବିଭିନ୍ନ ଔଷଧୀୟ ଗୁଣ ରହିଛି, ମାତ୍ର ଏହା ଗଛରୁ ଅଲଗା ହେବାର କିଛି ସମୟ ମଧ୍ୟରେ ପୁଷ୍ଟିକର ମୂଲ୍ୟଗୁଡିକ ହରାଇଥାଏ ବୋଲି ଗବେଷଣାରୁ ଜଣାପଡିଛି । ତେଣୁ ଏ ଦିଗରେ ବୈଜ୍ଞାନିକ ପଦ୍ଧତି ଅନୁକରଣ କରିବାର ଆବଶ୍ୟକତା ରହିଛି । ଚାଷୀମାନେ ଏ ବାବଦରେ ତାଲିମ ନେବାର ଆବଶ୍ୟକତା ରହିଛି ବୋଲି ପ୍ରଫେସର ସୁବୁଦ୍ଧି କହିଛନ୍ତି। ସେ ଓ ତାଙ୍କର ସହଯୋଗୀ ପ୍ରଫେସର ବି.ବି. ସୁବୁଦ୍ଧି ସଜନା ପତ୍ରର ମାନବୃଦ୍ଧି ପାଇଁ ବିଭିନ୍ନ ପ୍ରକାରର ଗବେଷଣା କରିଛନ୍ତି । ଯାହା ଚାଷୀମାନଙ୍କ ସହିତ ମିଳିତ ପରୀକ୍ଷା ପରେ ସଫଳ ବୋଲି ପ୍ରମାଣିତ ହୋଇଛି । ତେବେ ସୋଆରେ କେନ୍ଦ୍ର ସରକାରଙ୍କ ଆର୍ଥିକ ସହାୟତାରେ ଗ୍ରାମୀଣ ତଥା ଆଦିବାସୀ ବିକାଶ କେନ୍ଦ୍ର(ସିଆରଟିଡି) ପ୍ରତିଷ୍ଠା କରାଯାଇଛି । ଏହି କେନ୍ଦ୍ରର ଅତ୍ୟାଧୁନିକ ଗବେଷଣାଗାର ରାଜଧାନୀ ଉପକଣ୍ଠ ଜାମୁଝାରୀଠାରେ ସୋଆ ଦ୍ୱାରା ପରିଚାଳିତ ଗ୍ରାମୀଣ ସ୍ୱାସ୍ଥ୍ୟ ସେବା ଏବଂ ତାଲିମ କେନ୍ଦ୍ରରେ ପ୍ରତିଷ୍ଠା ହୋଇଛି । ଏହି ଗବେଷଣାଗାରରେ ସଜନାର ମାନବୃଦ୍ଧି ପାଇଁ ବିଭିନ୍ନ ପ୍ରକାରର ଗବେଷଣା ସଫଳ ହୋଇଛି ।

କେନ୍ଦ୍ର ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ବିଜ୍ଞାନ ଓ ବୈଷୟିକ ଜ୍ଞାନ କୌଶଳ ବିଭାଗ(ଡିଏସଟି)ପକ୍ଷରୁ ମଧ୍ୟ ଏକ ପ୍ରକଳ୍ପ ଅନୁମୋଦନ କରାଯାଇଛି । ସେଥିରେ ସଜନା ପତ୍ରର ମାନବୃଦ୍ଧି ସହିତ ଆଦିବାସୀ ସମ୍ପ୍ରଦାୟର ସ୍ଥାୟୀ ଜୀବିକା ଉତ୍ପାଦନ ବୃଦ୍ଧି କରିବାକୁ ପ୍ରୋତ୍ସାହନ ଦିଆଯାଉଛି । ଜାମୁଝାରୀ କେନ୍ଦ୍ରରେ ସଜନାପତ୍ରର ପ୍ରକ୍ରିୟାକରଣ ଏବଂ ପ୍ୟାକ୍‌ କରିବା ପାଇଁ କୃଷକମାନଙ୍କୁ ତାଲିମ ଦିଆଯାଉଛି ବୋଲି ପ୍ରଫେସର ସୁବୁଦ୍ଧି କହିଛନ୍ତି । ସେମାନଙ୍କୁ ଅଧିକରୁ ଅଧିକ ସଜନା ଶାଗ ଚାଷ କରିବାକୁ ଉତ୍ସାହିତ କରାଯାଉଛି । ଏହାକୁ ଏକ ସଫଳ ବ୍ୟବସାୟରେ ପରିଣତ କରିବା ପାଇଁ ଜିଲ୍ଲା ପ୍ରସାଶନ, ଉଦ୍ୟାନ କୃଷି ବିଭାଗର ବିଶେଷଜ୍ଞମାନେ ସମର୍ଥନ କରିବାକୁ ପ୍ରଫେସର ସୁବୁଦ୍ଧି ଓ ତାଙ୍କ ଟିମ୍‌ ଉଦ୍ୟମ ଜାରି ରଖିଛନ୍ତି ବୋଲି କହିଛନ୍ତି ।

Spread the love