ଘରୁ ବାହାରକୁ ଯିବା ମାତ୍ରେ ମାସ୍କକୁ ଗୁରୁତ୍ୱ ଦେବା ସହ ସାମାଜିକ ଦୂରତା ନିୟମ ପାଳନ କରନ୍ତୁ

ଭୁବନେଶ୍ୱର: ପନିପରିବା ପାଇଁ ହେଉଁ କି ଗ୍ରୋସରୀ ସାମଗ୍ରୀ କିଣିବାକୁ ବଜାରକୁ ଯାଉଥିଲେ, ଭିଡରୁ ନିବୃତ୍ତ ରୁହନ୍ତୁ । ମହାମାରୀ କରୋନା ଭାଇରସ ଠାରୁ ବର୍ତ୍ତିବାକୁ ହେଲେ ଭିଡ଼ରୁ ଦୂରରେ ଭଲ ବୋଲ କହିଛନ୍ତି ଭୁବନେଶ୍ୱର ମହାନଗର ନିଗମର କମିସନର ପ୍ରେମଚନ୍ଦ୍ର ଚୌଧୁରୀ । ସେ କହିଛନ୍ତି, ଘରୁ ବାହାରକୁ ଯିବା ମାତ୍ରେ ମାସ୍କକୁ ଅଧିକ ଗୁରୁତ୍ୱ ଦେବା ସହିତ ସାମାଜିକ ଦୂରତା ନିୟମ ପାଳନ କରନ୍ତୁ । ଟଙ୍କା ବଂଚାଇବା ପାଇଁ ଚାରିଆଡେ ବୁଲି ବୁଲି ଜିନିଷ ପତ୍ର ନକିଣି ଗୋଟିଏ ସ୍ଥାନରୁ ପରିବା କିଣିଲେ ଭଲ । କାରଣ ଶସ୍ତାରେ ଜିନିଷ କିଣିବା ଲାଗି ଟଙ୍କା ବଂଚାଇବା ଅପେକ୍ଷା ଜୀବନ ଅଧିକ ମୂଲ୍ୟବାନ ।

ଶ୍ରୀ ଚୌଧୁରୀ କହିଛନ୍ତି, ଯଦି ଗ୍ରାହକମାନେ କଡ଼ାକଡ଼ି ଭାବେ କୋଭିଡ ଗାଇଡଲାଇନ ପାଳନ କରିବେ ତାହେଲେ ଆମେ ସଫଳତାର ସହିତ କରୋନା ମୁକାବିଲା କରିବାରେ ସଫଳ ହେବା । ଦିନକୁ ଯଦି ଆମେ ୩ରୁ ୪ ଦିନ ପାଇଁ ପରିବା କିଣିବା ତାହେଲେ ମାର୍କେଟରେ ଭିଡ ହ୍ରାସ ପାଇବ । ସେହିଭଳି ଅନେକ ଜିନିଷ ଅନଲାଇନରେ ଅର୍ଡର ମଧ୍ୟ କରାଯାଇ ମାର୍କେଟରେ ଭିଡ କମ କରାଯାଇପାରିବ । କରୋନା କାଳରେ ଅନଲାଇନ ପେମେଣ୍ଟ, ସପିଂ କରି ଲୋକେ ଆମକୁ ସାହାଯ୍ୟ କରିପାରିବେ । ଶିଳ୍ପାନୁଷ୍ଠାନ ଦ୍ୱାରା ଆମକୁ ସହଯୋଗ ସମର୍ଥନ ମିଳିଛି । ଘରୋଇ ହସପିଟାଲ କର୍ତ୍ତୃପକ୍ଷ ଆମପାଇଁ ଅନ୍ୟ ଏକ ଚ୍ୟାଲେଞ୍ଜ ଥିଲା ଏବଂ ଏବେ ବି ଅଛି । କିନ୍ତୁ ଘରୋଇ ହସ୍ପିଟାଲରେ ଏବେ କରୋନା ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରାଯାଉଥିବା ପରିଲକ୍ଷିତ ହେଉଛି ।

ବିଏମସି କମିସନର କହିଛନ୍ତି, କିଛି ଦିନ ଭିତରେ ଆମେ ଟେଷ୍ଟିଂ ବଢ଼ାଇଛୁ । ୟୁନିଟ-୧, ମାର୍କେଟ ବିଲ୍ଡିଂ, ମାଛ ମାର୍କେଟ ଓ ପନିପରିବା ମାର୍କେଟ ଆମ ପାଇଁ ଚ୍ୟାଲେଞ୍ଜ ହୋଇଛି । ଆଳୁଗଦିରେ ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ତାଙ୍କରି ଯୋଗୁଁ ପରବର୍ତ୍ତୀ ସମୟରେ ୪୧ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଥିଲେ । ସେହିଭଳି ମାଛ ବଜାରରେ ଆମେ କରୋନା ପରୀକ୍ଷା କରିଛୁ । ମାଛ ମାର୍କେଟରୁ ମଧ୍ୟ ୨୧ ଜଣ କରୋନା ପଜିଟିଭ ଚିହ୍ନଟ କରିଥିଲୁ । ମାଛ ମାର୍କେଟରେ ସାମାଜିକ ଦୂରତ୍ୱ ପାଳନ ହେଉ ନାହିଁ । ଫଳରେ କିଛି ଦିନ ପାଇଁ ୟୁନିଟ-୪ ମାଛ ମାର୍କେଟ ବନ୍ଦ କରିଥିଲୁ । ନିକଟରେ ମାଛ ମାର୍କେଟକୁ ଖୋଲାଯାଇଛି ।

Spread the love