ଭାଇ ମୁଁ ରାକ୍ଷୀ ବାନ୍ଧି ପାରିଲିନି…

ସମୟ ଆସି ସକାଳ ୧୧ଟା ବାଜିଲାଣି । ରୂପା ଘରେ ଶୋଇଛି ଏପର୍ଯ୍ୟନ୍ତ ନିଦରୁ ଉଠିନାହିଁ । ଆଜି ରାକ୍ଷୀ ପୂର୍ଣ୍ଣିମା ବୋଲି ତାର କଣ ମନେ ନାହିଁ । ତା ପିଉସୀ ପୁଅ ଅଫିସ ବାହାରିଲାଣି ସେ ରାକ୍ଷୀ ବାନ୍ଧିବନି । ଏମିତି ପାଟି କରି ଘରର ବାଲକୋନି ଉପରୁ ଡାକ ଛାଡୁଥାନ୍ତି ରୁପାର ବାପା । ମା ରୋଷେଇ ଘରେ କଣ ଗୋଟେ ରାନ୍ଧୁଥାନ୍ତି । ପ୍ରେସରକୁକରରେ ବସିଥିବା ତରକାରୀ ହେଲାଣି ବୋଲି ପ୍ରେସର ସିଟି ମାରୁଥାଏ । ଆଉ ରୁପାର ବାପାଙ୍କ ପାଟି ତାଙ୍କୁ ଶୁଭୁନଥାଏ । ଦୁଇ ତିନିଥର ଏମିତି ବାଲକୋନିରୁ ଡାକ ମାରିବା ପରେ ଓଲ୍ହାଇ ଆସି ରୋଷେଇ ଘରକୁ ଗଲେ ବାପା । ହୋଇଓ ତମକୁ କେତେ ଥର ଡାକ ମାରିଲିନି ରୂପା କଣ ଏପର୍ଯ୍ୟନ୍ତ ଶୋଇଛି । ଆଜି ରାକ୍ଷୀ ପୂର୍ଣ୍ଣିମା ବୋଲି ସେ କଣ ଭୁଲିଯାଇଛି ।
ଏଇ କେଇ ପଦ କଥା ଶୁଣିଲା ପରେ ଭୋ ଭୋ କରି କାନ୍ଦିଉଠେ ରୂପାର ବୋଉ । ଆଉ ମୁହଁକୁ ଲୁଗାରେ ଚାପି ରଖି କୋହ ଭରା କଣ୍ଠରେ କୁହେ ଆଜି ଦିନକୁ କଣ ସେ ଭୁଲିପାରିବ । ହଁ ତମେ ଭୁଲିପାରିବ ନା ମୁଁ ଭୁଲିପାରିବି ଆଜିର ଦିନକୁ । ଏତକ କଥା ଶୁଣି ରାଗ ତମତମ ପାଟି କରି ଆସିଥିବା ବାପା ମଧ୍ୟ ଭୋ ଭୋ କରି କାନ୍ଦିଉଠନ୍ତି, ଆଉ ଆଖିକୁ ଛଳଛଳ କରି କୁହନ୍ତି ହେଲେ ରୂପା କାହିଁ ସେ ତ ସକାଳୁ ଶୀଘ୍ର ଉଠିପଡ଼େ । କାନ୍ଦୁ କାନ୍ଦୁ ମନକୁ କିଛି ଭାବି ଦୁହେଁ ଦୌଡ଼ି ଆସନ୍ତି ରୂପା ରୁମ କୁ । ଆଉ ଦେଖନ୍ତି ତ କବାଟ ଖୋଲା ରହିଥାଏ ,ଫେନ ଚାଲୁଥାଏ । ଆଉ ଟେବୁଲ ଉପରେ ଥିବା ଫୁଲ ରାକ୍ଷୀଟି ପବନରେ ତଳକୁ ପଡ଼ିବାକୁ ଆସୁଥାଏ । ରୂପା ରୂପା ଦୁହେଁ ଡାକିବାକୁ ଲାଗିଲେ । ତିନି ଚାରି ଥର ଡାକିବା ପରେ ମଧ୍ୟ କେହି ଶୁଣୁ ନଥାଏ । କୁଆଡ଼େ ଗଲା ରୂପା ଚିନ୍ତା କରୁ କରୁ କେହି ଜଣେ ଡାକ ମାରି କୁହନ୍ତି ରୂପାରେ ରାସ୍ତାରେ ବସିଛି ଆଉ କାହାକୁ କଣ ଗୋଟେ କହୁଛି ।
ଦୁହେଁ ବାପା ମାଆ ରାସ୍ତାକୁ ଯାଇ ଦେଖନ୍ତି ତ ରୂପା ଗୋଟିଏ ମଟରସାଇକେଲ ବ୍ୟକ୍ତିଙ୍କୁ ଅଟକାଇ କାନ୍ଦି କରି କିଛି କହୁଥାଏ । କିଛି ସମୟ ଲକ୍ଷ୍ୟ କଲା ପରେ ଜାଣିବାକୁ ପାଇଲେ ରାସ୍ତାରେ କ୍ଷିପ୍ର ଗତିରେ ଯାଉଥିବା ମଟରସାଇକେଲ ବ୍ୟକ୍ତିଙ୍କୁ ଅଟକାଇ ରୂପା ବୁଝାଉଥାଏ ଗୋଟେ ଭଉଣୀର ରାକ୍ଷୀର ମୂଲ୍ୟ ।
କାରଣ ଗତ ବର୍ଷ ରୂପା ଗାଁରେ ଥିବା ବେଳେ ତା ଭାଇ ଥାଏ ଭୁବନେଶ୍ୱରରେ । ଅଫିସ କାମ ପାଇଁ ଭାଇ ଦୁଇଥର ରାକ୍ଷୀ ପୂର୍ଣ୍ଣିମାରେ ଗାଁକୁ ଆସିପାରି ନଥାଏ । ରୂପା ସାଙ୍ଗ ମାନଙ୍କର କିଛି ଭାଇ ମାନେ ଗାଁକୁ ଆସିବା କଥା ଶୁଣି ରୂପା ମଧ୍ୟ ତା ଭାଇକୁ ଫୋନ ଲଗାଏ । ଆଉ କୁହେ ଭାଇ ତୁ ଯେମିତି ହେଲେ ଏଥର ଘରକୁ ଆସିବୁ ମୁଁ ରାକ୍ଷୀ ବାନ୍ଧିବି । ଦୁଇଥର ରାକ୍ଷୀ ପୂର୍ଣ୍ଣିମାରେ ତୁ ଆସିନୁ ଘରକୁ । ଏଥର ଯେମିତି ହେଲେ ଆସିବୁ ଭାଇ । ଭଉଣୀର ଦୁଃଖ ମନକୁ ବୁଝିପାରୁଥାଏ ଭାଇ । ଆଉ କହୁଥାଏ ହୋଉ ମୁଁ ଚେଷ୍ଟା କରିବି ଯିବା ପାଇଁ । ଶୀଘ୍ର ଯିବି ଆଉ ଶୀଘ୍ର ଆସିବି । ରୂପାର ମନ ଖୁସିରେ ଫାଟିପଡୁଥାଏ । ମାଟିରେ ପାଦ ଲାଗୁନଥାଏ । ଯେତେ ହେଲେ ବି ଭାଇ ଭଉଣୀର ସମ୍ପର୍କ ।
ଭାଇ ଆସିବା କଥା ଶୁଣି ରୂପା ଏକ ରୂପା ଭଳି ଚିକ ଚିକ କରୁଥିବା ରାକ୍ଷୀ ଆଣିଥାଏ । ଏଥର କିନ୍ତୁ ଦୁଇଟି ରାକ୍ଷୀ ଆଣିଥାଏ ରୂପା । କାରଣ କେହି କେହି କୁହନ୍ତି ଭାଇର ଯେଉଁ ହାତରେ ରାକ୍ଷୀ ବାନ୍ଧିବୁ ସେହି ହାତଟି ଭଉଣୀ ପାଇଁ ହୋଇଥାଏ । ତେଣୁ ରୂପା ଦୁଇଟା ରାକ୍ଷୀ ଆଣି ଭାଇର ଦୁଇଟା ହାତରେ ବାନ୍ଧିବା ପାଇଁ ମନେ କରିଥାଏ । ସେପଟେ ରୂପା ମା’କୁ କହିଥାଏ ତୁ ମୋ ଭାଇର ମନ ପସନ୍ଦର ମିଠା କର ।
ଗତବର୍ଷ ରାକ୍ଷୀ ପୂର୍ଣ୍ଣମୀ ଥାଏ ଅଗଷ୍ଟ ମାସ ୧୫ ତାରଖ । ସକାଳୁ ରୁପା ଭାଇକୁ ଫୋନ କଲା ଆଉ ପଚାରିଲା ଭାଇ ତୁ କୋଉଁଠି ଆସୁଛୁ । ଭାଇ କହୁଥାଏ ମୁଁ ଯାଜପୁର ପହଁଚିଗଲିଣି । ଆଉ ପ୍ରାୟ କେଇ ଘଣ୍ଟା ଲାଗିବ ଭଦ୍ରକ ପହଞ୍ଚିବାକୁ । ସେତେବେଳେ ସମୟ ଥାଏ ସକାଳ ୮ଟା ବାଜି ୩୨ ମିନିଟ । ପ୍ରାୟ ଦେଢ଼ ଘଣ୍ଟା ଗଲା ପରେ ରୂପା ବ୍ୟସ୍ତ ହୋଇ ପୁଣି ଭାଇକୁ ଫୋନ କରିଥାଏ ଆଉ କହୁଥାଏ ତୁ ଗାଡ଼ି ଚଲାଇ ଆସୁଛୁ ନା କଇଁଛ ପିଠିରେ ଆସୁଛୁ ଏତେ ସମୟ ଲାଗୁଛି । ସେପଟୁ ଭାଇ କହୁଥାଏ ମୁଁ ଶୀଘ୍ର ପହଁଚୁଛି ତୁ ବ୍ୟସ୍ତ ହେନା । ତୁ ସବୁ ରେଡିକରି ରଖେ ମୁଁ ଶୀଘ୍ର ଫେରିବି । ଭାଇ କଥା ଶୁଣି ରୁପା ରାକ୍ଷୀ, ଫୁଲ, ଚନ୍ଦନ ସବୁ ଗୋଟେ ଥାଳିରେ ସଜାଇଵାରେ ଲାଗିପଡ଼ିଥାଏ । ଆଉ ପଡୋଶୀ ଘରକୁ ଅନାଇ ଦେଖୁଥାଏ ଚୁମୁକି ତା ଭାଇ ହାତରେ ରାକ୍ଷୀ ବାନ୍ଧୁଛି । ଦେଖୁ ଦେଖୁ ହଠାତ ରୁପା ବାପା ପାଖକୁ ଫୋନ ଆସିଲା । ଆଉ ରୂପା ଧାଇଁ ଯାଇ ଫୋନ ଟି ଉଠାଉ ଉଠାଉ ବାପା ଫୋନଟି ଉଠାଇଲେ ଫୋନରେ ଜୋର ପାଟିରେ ଶୁଭୁଥାଏ ଆପଣ ରୁଦ୍ରଙ୍କ ବାପା । ବାପା ହଁ କହିବାକୁ ବେଳକୁ ସେପଟୁ କିଏ ଜଣେ କହୁଥାଏ ଭଦ୍ରକ ଠାରେ ଟ୍ରକ ଦୁର୍ଘଟଣାରେ ଆପଣଙ୍କ ପୁଅ ସିରିଏସ । ଆପଣ ଶୀଘ୍ର ଆସନ୍ତୁ । ଏତକ ଶୁଣି ବାପା ତଳେ ପଡିଯାଇଥାନ୍ତି । ଫୋନରେ ସେପଟୁ ପୁଣି ଶୁଭୁଥାଏ କାଇଁ ମିଛ କହୁଛ ଡେଥ ହୋଇଯାଇଛି କାହୁନ। ଏତେ କ୍ଷିପ୍ର ଗତିରେ କେହି ଗାଡ଼ି ଚଲାଏ । ପାଖରେ ଥିବା ରୂପା ଶୁଣିକରି ଥରି ଉଠୁଥାଏ , ଆଖିରୁ ଅମାନିଆ ସ୍ନେହର ଲୁହ ବହିଯାଉଥାଏ । ଆଉ ରୂପା ଜୋରରେ କାନ୍ଦିକରି କହୁଥାଏ ଭାଇ ମୁଁ ରାକ୍ଷୀ ବାନ୍ଧିପାରିଲିନି ।

Spread the love