ମୋଦି ସରକାରଙ୍କ କୃଷି ନୀତି ଅନେକ ସମ୍ଭାବନା ଆଣିବ: ଧର୍ମେନ୍ଦ୍ର

ଦେଶ ତଥା ଓଡ଼ିଶାର କୃଷକଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଉଦ୍ୟମ ପ୍ରଶଂସନୀୟ। ତେବେ ନିକଟରେ ହୋଇଥିବା କୃଷି ସଂସ୍କାର ନୀତି କୃଷକଙ୍କ ପାଇଁ ଅନେକ ସମ୍ଭାବନାର ସମ୍ଭାର ଆଣିବ। ଏହା ଆତ୍ମନିର୍ଭର କୃଷି ଓ ଆତ୍ମନିର୍ଭର ଭାରତ ନିର୍ମାଣରେ ସହାୟକ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍‌ କରି ଲେଖିଛନ୍ତି-“କୃଷି ଭାରତୀୟ ଅର୍ଥନୀତିର ମେରୁଦଣ୍ଡ। ଆତ୍ମନିର୍ଭର ଚାଷୀ ଓ ଆତ୍ମନିର୍ଭର କୃଷି କ୍ଷେତ୍ର ବିନା ଆତ୍ମନିର୍ଭରଶୀଳ ଭାରତର କଳ୍ପନା କରାଯାଇପାରିବ ନାହିଁ। ଏହି ପରିପ୍ରେକ୍ଷୀରେ ବିଗତ ୬ ବର୍ଷରେ ମୋଦି ସରକାର ଚାଷୀଙ୍କ ଉନ୍ନତି ପାଇଁ ନିରନ୍ତର ଉଦ୍ୟମ କରୁଛନ୍ତି। ଚାଷୀଙ୍କ କଲ୍ୟାଣ ପାଇଁ ମୋଦି ସରକାର ସଂକଳ୍ପବଦ୍ଧ। ସେଥିପାଇଁ ସର୍ବଦା କାର୍ଯ୍ୟ କରୁଛନ୍ତି। ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) କେବଳ ଚାଷୀଙ୍କୁ ଧାନର ଉଚିତ ମୂଲ୍ୟ ଦେଉନାହିଁ, ବରଂ କଠିନ ସମୟରେ ପିଏମ୍‌ କିଷାନ ଭଳି କୃଷି ନୀତି ସେମାନଙ୍କୁ ସୁବିଧା ମଧ୍ୟ ଦେଇଛି।”ସେ ଆହୁରି ଲେଖିଛନ୍ତି-“କରୋନା ମହାମାରୀ ସମୟରେ ଓଡ଼ିଶାର ୩୬.୫ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀ ଡିବିଟି ଜରିଆରେ ସିଧାସଳଖ ୨ ହଜାର ଟଙ୍କା ପାଇଛନ୍ତି। ସେହିପରି ‘କୃଷକଙ୍କ ପାଇଁ ଗୋଟିଏ ଦେଶ, ଗୋଟିଏ ବଜାର’ କେବଳ ଉତ୍ପାଦନକାରୀଙ୍କୁ ସଶକ୍ତ କରିନାହିଁ, ବରଂ ଗ୍ରାହକଙ୍କୁ ମଧ୍ୟ ମଜବୁତ କରିଛି। ପ୍ରତିବନ୍ଧକ ମୁକ୍ତ ବାଣିଜ୍ୟ ଚାଷୀଙ୍କୁ ସଠିକ ମୂଲ୍ୟ ଯୋଗାଇବ ଓ ସେମାନେ ନିଜର ଉତ୍ପାଦିତ ସାମଗ୍ରୀକୁ ନିଜ ପସନ୍ଦ ଅନୁସାରେ ବଜାରରେ ବିକ୍ରି କରିପାରିବେ। ମୋଦି ସରକାରଙ୍କ କୃଷି ନୀତି କାରଣରୁ କୁଚିଣ୍ଡା କିମ୍ୱା କୋରାପୁଟର ଚାଷୀ ଦେଶର ଯେକୌଣସି ବଜାରରେ ଲଙ୍କା ଓ ଅଦା ବିକ୍ରି କରିବାକୁ ସାମର୍ଥ୍ୟ ହେବ। ଏହାସହ କନ୍ଧମାଳର ଜଣେ ଚାଷୀ ଆମେରିକା ବଜାରରେ ହଳଦୀ ବିକିବାକୁ ମଧ୍ୟ ସକ୍ଷମ ହୋଇପାରିବ। ଏହି ନୀତି କାରଣରୁ ଓଡ଼ିଶାର ଅଧିକାଂଶ ଅଞ୍ଚଳର ଚାଷୀମାନେ ମଧ୍ୟ ଲାଭ ପାଇବେ। ଅପରପକ୍ଷରେ ୧ ଲକ୍ଷ କୋଟି ଟଙ୍କାର କୃଷି ଭିତ୍ତିଭୂମି ପାଣ୍ଠି ପଣ୍ୟାଗାର, ଶୀତଳ ଭଣ୍ଡାର ଓ ଖାଦ୍ୟ ପ୍ରକ୍ରିୟାକରଣ ଭଳି ପରିଚାଳନାରେ ଥିବା ବିପୁଳ ସୁଯୋଗକୁ ସୃଷ୍ଟି କରିବାରେ ସହାୟକ ହେବ। ଏହାସହ ଚାଷୀଭାଇମାନଙ୍କୁ ଜୈବିକ ଓ ଭିଟାମିନଯୁକ୍ତ ଖାଦ୍ୟ ପ୍ରସ୍ତୁତି କରିବାରେ ସହଯୋଗ ହେବ। କୃଷି ଭିତ୍ତିଭୂମି ପାଣ୍ଠି କୃଷି କ୍ଷେତ୍ରରେ ଷ୍ଟାଟ୍‌-ଅପ୍‌କୁ ପ୍ରୋତ୍ସାହନ ଦେବା ଦ୍ୱାରା ଏକ ଇକୋସିଷ୍ଟମ୍‌ ତିଆରି ହେବ। ଏହା ଦ୍ୱାରା ଦେଶର କୋଣ ଅନୁକୋଣରେ ଥିବା ଚାଷୀଙ୍କ ପାଖରେ ଏହି ସୁବିଧା ପହଞ୍ଚି ପାରିବ ଓ କୃଷି କ୍ଷେତ୍ରରେ ପ୍ରତିଯୋଗିତାକୁ ବଢ଼ାଇବ।”

Spread the love