ବିଧାୟକମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବୋଧନ: ସଙ୍କଟ ସମୟରେ ଲୋକଙ୍କ ସାଥୀରେ ରୁହ

ଭୁବନେଶ୍ୱର, ୩୦/୦୮: ସବୁ ପିଲା ଆମ ପରିବାରର । ଏ କଷ୍ଟ ସମୟରେ ଆପଣ ସେମାନଙ୍କ ସାଥିରେ ରୁହନ୍ତୁ । ପିଲାମାନେ ଯେପରି ଭଲରେ ପରୀକ୍ଷାଦେବେ ସେଥିପାଇଁ ସହଯୋଗ କରନ୍ତ। ଆପଣମାନେ ଜାଣନ୍ତି, କରୋନା ସଂକ୍ରମଣରେ ଭାରତ ଆଜି ସାରା ବିଶ୍ବରେ ସବୁଠାରୁ ଉପରେ ଅଛି। ଆମ ଦେଶରେ ପ୍ରତି ଦୁଇ ଦିନରେ ଏକ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି । ଆମ ରାଜ୍ୟ ଓଡିଶା ମଧ୍ୟ କରୋନାର କଡା ମୁକାବିଲା କରୁଛି। ଆମର କୋଭିଡ ଯୋଦ୍ଧାମାନଙ୍କର ତ୍ୟାଗ ଓ ପରିଶ୍ରମ ଏବଂ ଆପଣମାନଙ୍କ ସହଯୋଗ ଯୋଗୁ ରାଜ୍ୟରେ ଆରୋଗ୍ୟ ହାର ବଢୁଛି ଓ ମୃତ୍ୟୁ ହାର ସବୁଠାରୁ କମ୍‌ ଅଛି। ମୋର ଅନୁରୋଧ, ଏହି ସଂକଟ ସମୟରେ ଆପଣମାନେ ଲୋକଙ୍କ ସାଥିରେ ରୁହନ୍ତୁ । ଆମର କୋଭିଡ ଯୋଦ୍ଧା ମାନଙ୍କ ସାଥିରେ ରୁହନ୍ତୁ । ସେମାନଙ୍କ କାମକୁ ପ୍ରଶଂସା କରନ୍ତୁ । ସେମାନଙ୍କ ସୁଖ ଦୁଃଖରେ ସାମିଲ ହୁଅନ୍ତୁ । ମୃତ କୋଭିଡ ରୋଗୀଙ୍କ ଶବ ସଂସ୍କାର କ୍ଷେତ୍ରରେ କେତେକ ଅସୁବିଧା ହେଉଛି । ଏଥିପାଇଁ ଆପଣ ଲୋକଙ୍କୁ ବୁଝାନ୍ତୁ ଏବଂ ମୃତ ଦେହ ସଂସ୍କାରରେ ସହଯୋଗ କରନ୍ତୁ । ଆପଣମାନେ ଜାଣି ଖୁସି ହେବେ ଯେ ଆଜିଠାରୁ ଗଞ୍ଜାମରେ ୫ଟି କୋଭିଡ ଗୃହ ବନ୍ଦ କରାଗଲା । ସେଠାରେ ପରିସ୍ଥିତିରେ ଉନ୍ନତି ଆସିଛି। କିନ୍ତୁ ଖୋର୍ଦ୍ଧା ଓ କଟକରେ ପରିଚାଳନା କରିବା ପାଇଁ ଆମକୁ ଅଧିକ ପରିଶ୍ରମ କରିବାକୁ ହେବ। ମୋର ଅନୁରୋଧ ଆପଣମାନେ ନିଜେ ଯତ୍ନବାନ ରୁହନ୍ତୁ ଏବଂ ଲୋକଙ୍କୁ ସଚେତନ କରାନ୍ତୁ ।କୋଭିଡ ଯୋଗୁ ଅନ୍ୟ ରାଜ୍ୟରେ ଥିବା ଆମର ୧୦ ଲକ୍ଷ ଭାଇଭଉଣୀ ଓଡିଶା ଫେରିଛନ୍ତି । ସେମାନଙ୍କ ମଧ୍ୟରୁ କେହି ବି ଯୋଗ୍ୟ ଲୋକ ଯେପରି ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେବ ନାହିଁ, ସେଥିପ୍ରତି ଆପଣ ଧ୍ୟାନ ଦିଅନ୍ତୁ । ସେହିପରି ଅନ୍ୟ ରାଜ୍ୟରୁ ଆସୁଥିବା ଭାଇଭଉଣୀ ମାନେ ଯେପରି ନିର୍ମାଣ ଶ୍ରମିକ ଯୋଜନା ପାଇଁ ସୁବିଧାରେ ପଞ୍ଜିକରଣ କରିପାରିବେ, ସେଥିରେ ଆପଣ ସହଯୋଗ କରନ୍ତୁ । ଲଘୁଚାପ ବର୍ଷାରେ ରାଜ୍ୟରେ ବନ୍ୟା ଆସିଛି । ଲୋକଙ୍କ ଏ ଅସୁବିଧା ସମୟରେ ଆପଣ ଲୋକଙ୍କ ସାଥିରେ ରୁହନ୍ତୁ । ଲୋକଙ୍କ ଅସୁବିଧା ଦୂର କରିବା ପାଇଁ ରାଜ୍ୟ ସରକାର ସବୁ ସହଯୋଗ ଯୋଗାଇ ଦେବେ।ବର୍ତ୍ତମାନ କେବଳ ସାରା ଓଡିଶା ନୁହେଁ, ସାରା ଭାରତର ଅର୍ଥନୀତି ଆହ୍ବାନମୂଳକ ସମୟ ଦେଇ ଗତି କରୁଛି। ତଥାପି ଲୋକଙ୍କ କଲ୍ୟାଣ ପାଇଁ ବିଧାୟକ ପାଣ୍ଠିକୁ ଆଉ ୧ କୋଟି ଟଙ୍କା ଦେବା ପାଇଁ ମୁଁ ନିର୍ଦ୍ଦେଶ ଦେଇଛି। ଏହି ଟଙ୍କାରେ ସ୍ବୟଂ ସହାୟକ ଗୋଷ୍ଠୀରୁ ମାସ୍କ ମଧ୍ୟ କିଣା ଯାଇ ପାରିବ । ଏହାଦ୍ବାରା ସ୍ବୟଂ ସହାୟକ ଗୋଷ୍ଠୀର ମା ମାନେ ରୋଜଗାର ପାଇବେ ଏବଂ ଲୋକମାନେ ମଧ୍ୟ ନିରାପଦ ରହିବେ।କୋଭିଡ ଏବଂ ବନ୍ୟା ପରିସ୍ଥିତିରେ ପିଲାଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି NEET ଓ JEE ପରୀକ୍ଷା ଘୁଞ୍ଚାଇବା ପାଇଁ ମୁଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲି । କିନ୍ତୁ ହେଲା ନାହିଁ। ବର୍ତ୍ତମାନ ଆମ ପାଖରେ 48ଘଣ୍ଟାରୁ କମ୍‌ ସମୟ ରହିଛି । ପିଲାମାନେ ଆମ ଦେଶର ଭବିଷ୍ୟତ ଓଡ଼ିଶା ର ଭବିଷ୍ୟତ ।ସେମାନେ ଆମ ପରିବାର ର ଓ ସେମାନଙ୍କ ସୁରକ୍ଷା ଆମ ଦାୟିତ୍ବ । ତେଣୁ ପିଲାମାନେ ଯେପରି ଭଲରେ ଭଲରେ ପରୀକ୍ଷା ଦେବେ, ସେଥିପାଇଁ ରାଜ୍ୟ ସରକାର ମାଗଣାରେ ପରିବହନ ଓ ରହିବାର ବ୍ୟବସ୍ଥା କରିଛନ୍ତି। ଆପଣଙ୍କ ଅଞ୍ଚଳର ପିଲାମାନେ ଯେପରି ସୁବିଧାରେ ପରୀକ୍ଷା ଦେବେ, ସେଥିରେ ଆପଣ ପୁରା ସହଯୋଗ କରନ୍ତୁ।ମୁଁ ସବୁବେଳେ କହି ଆସିଛି ଯେ, ସାଢେ ଚାରି କୋଟି ଓଡିଶାବାସୀ ହେଉଛନ୍ତି ମୋ ପରିବାର । ସେମାନଙ୍କ କଲ୍ୟାଣ ଆମ ଦାୟିତ୍ବ । ‘ଓଡିଶା – ମୋ ପରିବାର’ programme ରେ ଏ ସମୟରେ ପିଲାଙ୍କୁ ସବୁ ସହଯୋଗ ଯୋଗାଇ ଦିଆଯିବ । ସେହିପରି ଅଧିକ ରକ୍ତଦାନ କ୍ୟାମ୍ପ ପାଇଁ ଆପଣମାନେ କାମ କରିବା ଦରକାର।

Spread the love