ଦିଲ୍ଲୀରେ ଓଡ଼ିଶା ସାଂସ୍କୃତିକ କେନ୍ଦ୍ର ଓ ପାଠାଗାର ପ୍ରତିଷ୍ଠା ଲାଗି ଜମି ଆବଣ୍ଟନ କରାଯାଉ : ସସ୍ମିତ ପାତ୍ର

ନୂଆଦିଲ୍ଲୀରେ ଓଡ଼ିଶା ସାଂସ୍କୃତିକ କେନ୍ଦ୍ର ଓ ପାଠାଗାର ପ୍ରତିଷ୍ଠା ପାଇଁ ଶୀଘ୍ର ଜମି ଯୋଗାଇ ଦେବା ପାଇଁ ରାଜ୍ୟସଭା ସଦସ୍ୟ ଡଃ ସସ୍ମିତ ପାତ୍ର କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନା କରିଛନ୍ତି। ଆଜି ଡଃ ପାତ୍ର ଏହି ପ୍ରସଙ୍ଗକୁ ରାଜ୍ୟସଭାରେ ସ୍ପେଶାଲ ମେନସନ୍ ଜରିଆରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ସାଂସଦ ଶ୍ରୀ ପାତ୍ର କହିଥି‌ଲେ ଯେ ଓଡ଼ିଶା ସଂସ୍କୃତି ଓ ପରମ୍ପରାର ରାଜ୍ୟ, ଓଡ଼ିଶୀ ନୃତ୍ୟକୁ ବିଶ୍ବ ଦରବାରରେ ସ୍ବତନ୍ତ୍ର ପରିଚୟ ମିଳିଥିବା ବେଳେ ଓଡ଼ିଆ ଭାଷା ଦେଶର ଷଷ୍ଠ ଶାସ୍ତ୍ରୀୟ ଭାଷା ରୂପେ ମାର୍ଯ୍ୟଦା ପାଇଛି। ଏଥିସହିତ ଓଡ଼ିଶାର ପାରମ୍ପରିକ ଖାଦ୍ୟ, ଚାଲିଚଳଣ, ହସ୍ତତନ୍ତ ଓ ହସ୍ତଶିଳ୍ପ, ବୟନକଳା ନିଜର ବୈଶିଷ୍ଟ୍ୟ ପାଇଁ ଦେଶ ଓ ଦେଶ ବାହାରେ ଖୁବ୍ ପ୍ରସିଦ୍ଧ ଅର୍ଜନ କରିଛି।ଓଡ଼ିଶାର ସଂସ୍କୃତିକୁ ଜାତୀୟ ରାଜଧାନୀରେ ଉପସ୍ଥାପନା କରିବା ପାଇଁ ସ୍ଥାୟୀ କୋଠା କିମ୍ବା ସାଂସ୍କୃତିକ କେନ୍ଦ୍ର ନାହିଁ।  ରାଜ୍ୟ ସରକାରଙ୍କ ଦ୍ବାରା ଦିଲ୍ଲୀରେ ଓଡ଼ିଶା ସାଂସ୍କୃତିକ କେନ୍ଦ୍ର ଓ ପାଠାଗାର ପ୍ରତିଷ୍ଠା ନିଷ୍ପତ୍ତି ନିଆଯାଇଥିଲା।

ଗତବର୍ଷ ଡିସେମ୍ବର ୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରୀକୁ ପତ୍ର ଲେଖି ଦିଲ୍ଲୀରେ ସାଂସ୍କୃତିକ କେନ୍ଦ୍ର ଓ ପାଠାଗାର ପ୍ରତିଷ୍ଠା ପାଇଁ ଜମି ଆବଣ୍ଟନ ପାଇଁ ଅନୁରୋଧ କରିଥିଲେ ବୋଲି ଡଃ ପାତ୍ର କହିଥିଲେ।  କେନ୍ଦ୍ରମନ୍ତ୍ରୀଙ୍କୁ ପତ୍ର ଲେଖିବାର ୯ମାସ ବିତିଯିବା ସତ୍ତ୍ବେ ବର୍ତ୍ତମାନ ସୁଦ୍ଧା ଜମି ଆବଣ୍ଟନ କରାଯାଇ ନାହିଁ।  ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ଅନୁଯାୟୀ କେନ୍ଦ୍ର ସରକାର ଖୁବଶୀଘ୍ର ଓଡ଼ିଶା ସାଂସ୍କୃତିକ କେନ୍ଦ୍ର ଓ ପାଠାଗାର ସ୍ଥାପନା ପାଇଁ ଦିଲ୍ଲୀ‌ରେ ଜମି ଆବଣ୍ଟନ କରିବାକୁ ନେଇ ତତ୍ପରତା ପ୍ରକାଶ କରିବେ ବୋଲି ଡଃ ସସ୍ମିତା ପାତ୍ର ଉପସ୍ଥାପନା କରିବା ସମୟରେ ଆଶା ବ୍ୟକ୍ତ କରିଥିଲେ।

Spread the love