ପ୍ରସାରଭାରତୀର ପୂର୍ବତନ ଅତିରିକ୍ତ ମହାନିର୍ଦେଶକ ଅଭୟ ପାଢୀଙ୍କ ଦେହାନ୍ତ
ପ୍ରସାରଭାରତୀର ପୂର୍ବତନ ଅତିରିକ୍ତ ମହାନିର୍ଦେଶକ ତଥା କବି, ପ୍ରାବନ୍ଧିକ, ସମାଲୋଚକ ଅଭୟ ପାଢୀ(୭୧)ଙ୍କ ସକାଳ ୧୦.୩୦ରେ ବରଗଡ଼ ବିକାଶସ୍ଥିତ କୋଭିଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି। କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ସେ ୯ ତାରିଖରୁ ଏଠାରେ ଭର୍ତ୍ତି ହୋଇଥିଲେ। ୩ ଦିନ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଆଇସିୟୁ ଭେଣ୍ଟିଲେଟରରେ ଥିଲେ। କିଡନୀ ଜନୀତ ସମସ୍ୟା ଉତ୍ପନ୍ନ ହେବାରୁ ଡାଏଲିସିସ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନଥିଲା। ସେ ନିଜ ଅନ୍ତେ ପତ୍ନୀ ତଥା ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ବାସନ୍ତୀ ମହାନ୍ତି, ଝିଅ ଡା.ନେହା ପାଢୀ ଏବଂ ପୁଅ ବିଶ୍ବରୂପ ପାଢୀଙ୍କୁ ଛାଡ଼ି ଯାଇଛନ୍ତି। କୋଭିଡ କଟକଣା ମଧ୍ୟରେ ସମ୍ବଲପୁର ରାଜଘାଟରେ ଅପରାହ୍ଣ ୫.୩୦ରେ ତାଙ୍କର ଅନ୍ତିମ ସଂସ୍କାର ହୋଇଛି। ଝିଅ ଡା.ନେହା ପାଢୀ ମୁଖାଗ୍ନି ଦେଇଥିଲେ।
ଅଭୟ ପାଢୀ ଏହି ନାମଟି ଆସିଲେହିଁ ତାଙ୍କ ଲିଖିତ ଧାରାବାହିକ ପ୍ରବନ୍ଧ ଗୁପାଗୁଲା ଏବଂ ଆକାଶବାଣୀ ପ୍ରସାରିତ ‘ଟିକେ ଶୁନନ୍’ ମନେ ପଡ଼ିଯାଏ। ଆଜି ସେ ନାହାନ୍ତି ସତ ମାତ୍ର ତାଙ୍କ କୃତୀ ଆଜି ବି ବଞ୍ଚି ରହିଛି। ୧୯୪୯ ମସିହା ସେପ୍ଟେମ୍ବର ୧୬ ତାରିଖରେ ସମ୍ବଲପୁରରେ ତାଙ୍କ ଜନ୍ମ। ପଟନାୟକ ପଡ଼ା ପ୍ରାଥମିକ ସ୍କୁଲ, ନୃସିଂହ ଗୁରୁ ଟାଉନ ହାଇସ୍କୁଲ, ଗଙ୍ଗାଧର ମେହେର କଲେଜରେ ପାଠ ପଢିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ଶାସନ ସଚିବ ପ୍ରମୋଦ ମିଶ୍ର ତାଙ୍କ ସହପାଠୀ ଥିଲେ। ଉଭୟ ମିଶି କଲେଜରେ ସାହିତ୍ୟ ଏବଂ ସାଂସ୍କୃତିକ ପରିଷଦ ଗଠନ କରି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ଆୟୋଜନ କରୁଥିଲେ। ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଇଂରାଜୀ ବିଭାଗରେ ସ୍ନାତକୋତ୍ତର ସମ୍ପୂର୍ଣ୍ଣ କରିବା ପରେ ସ୍ବଳ୍ପ ସମୟ ପାଇଁ ବରଗଡ଼ସ୍ଥିତ ପଞ୍ଚାୟତ କଲେଜରେ ଇଂରାଜୀ ବିଭାଗରେ ଅଧ୍ୟାପନା କରୁଥିଲେ। ଏହା ପରେ ସେ ଭାରତୀୟ ସୂଚନା ସେବାରେ ଯୋଗଦାନ କରି ଆକାଶବାଣୀରେ ଟ୍ରାନ୍ସମିସନର ଏକ୍ସିକ୍ୟୁଟିଭ ଭାବରେ କାର୍ଯ୍ୟାରମ୍ଭ କରିଥିଲେ। ଏହାପରେ ସେ କାର୍ଯ୍ୟକାଳ ଭିତରେ ଅରୁଣାଚଳ ପ୍ରଦେଶ, ମିଜୋରାମ ଆକାଶବାଣୀ ଏବଂ ଦୂରଦର୍ଶନରେ ଅନେକ ଗୁରୁତ୍ବପୂର୍ଣ୍ଣ ପଦରେ ରହିଥିଲେ। ପ୍ରଶାସନିକ ସେବାରେ ରହିଥିବା ସମୟରେ ମଧ୍ୟ ସାହିତ୍ୟ ଏବଂ ସମାଜ ସଂସ୍କାର ସମ୍ପର୍କୀତ ବିଭିନ୍ନ କାର୍ଯ୍ୟକ୍ରମରେ ଜଡ଼ିତ ଥିଲେ। ଆକାଶବାଣୀରେ ଥିବା ଅନେକ ସୂଚନାଧର୍ମୀ କାର୍ଯ୍ୟକ୍ରମ ପ୍ରସାରିତ ହୋଇଛି। ସମ୍ବଲପୁର ଆକାଶବାଣୀରେ ସମ୍ବଲପୁରୀ ଏବଂ ଜଗଦଲପୁର ଆକାଶବାଣୀରେ ହଲବିର ବ୍ୟବହାରରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ତାଙ୍କ କାର୍ଯ୍ୟକ୍ରମରେ ସ୍ଥାନୀୟତାକୁ ଗୁରୁତ୍ବ ଦେଉଥିଲେ।
କେନ୍ଦ୍ର ସାହିତ୍ୟ ଏକାଡେମି ପ୍ରକାଶିତ ଏକ ବହିରେ ତାଙ୍କ କବିତାର ହିନ୍ଦୀ ଅନୁବାଦ ସ୍ଥାନ ପାଇଛି। ଭାରତୀୟ ଜନସଂଚାର ସଂସ୍ଥାନ(ଆଇଆଇଏମସି, ଢେଙ୍କାନାଳ) ସମେତ ଅନେକ ଗଣମାଧ୍ୟମ ସଂସ୍ଥାନରେ ସେ ଅତିଥି ଅଧ୍ୟାପକ ଥିଲେ। ସ୍ବର୍ଗତ ଅଭୟ ପାଢୀ ଜଣେ କବି, ସାହିତ୍ୟିକ, ସୁବକ୍ତା ଭାବରେ ପରିଚିତ ଥିଲେ। ଇଂରାଜୀ, ଓଡ଼ିଆ ସହିତ ସମ୍ବଲପୁରୀ ଭାଷାରେ ତାଙ୍କ ଅଖଣ୍ଡ ଦଖଲ ଥିଲା। ଡ.ପ୍ରଫୁଲ୍ଲ ତ୍ରିପାଠୀଙ୍କ ସହିତ ସମ୍ବଲପୁରୀ-କୋଶଲୀ ବ୍ୟାକରଣ ବହି ପ୍ରକାଶନ କରିଥିଲେ। ତାଙ୍କ ରଚିତ ‘ଜନ୍ମାନ୍ଧର ଇନ୍ଦ୍ରଧନୁ ଦର୍ଶନ’ ଆଦି ଅନ୍ୟ ଭାଷାରେ ଅନୁବାଦ ହୋଇଛି। ପ୍ରତ୍ୟେକ ବିଷୟରେ ତାଙ୍କର ଅଗାଧ ଦଖଲ ଥିଲା। ଲୋକଭାଷା, ଲୋକ ସାହିତ୍ୟ, ପରମ୍ପରା ଠାରୁ ଆରମ୍ଭ କରି ପରିବେଶ ପର୍ଯ୍ୟନ୍ତ। ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଲଗାତାର ଯୋଗଦାନ କରି ବିଭିନ୍ନ ପ୍ରସଙ୍ଗରେ ନିଜ ବିଚାର ବ୍ୟକ୍ତ କରୁଥିଲେ। ତାଙ୍କ ମୃତ୍ୟୁରେ ଓଡ଼ିଶା ମାଟି ଜଣେ ପ୍ରଖର ଏବଂ ବିଜ୍ଞ ସନ୍ତାନକୁ ହରାଇଲା।