ବିଜୁ ଯୁବ ବାହିନୀଙ୍କୁ ମୋବାଇଲ ବାଣ୍ଟିବା ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଦାବିକଲା ବିଜେପି

ରାଜ୍ୟ ସରକାରଙ୍କର ବାହୁଛାୟା ତଳେ ଯେଉଁ ଦୁର୍ନୀତିଗ୍ରସ୍ତ ଖଣି କମ୍ପାନୀ ଓ ଚିଠଫଣ୍ଡ କମ୍ପାନr ଏବଂ ଧାନ କିଣାରେ ଚାଷୀମାନଙ୍କୁ କଳାକନା ବୁଲାଇଥିବା ମିଲର ଗୁଡିକ ସଂପୃକ୍ତି ଅଛି ସେହି ବ୍ୟବସାୟୀମାନେ ଏବେ ନିର୍ବାଚନର ଠିକ୍ ପୁର୍ବରୁ ବିଜୁ ଯୁବ ବାହିନୀ ମାଧ୍ୟମରେ ରାଜ୍ୟର ସମସ୍ତ 314ଟି ବ୍ଲକରେ ପ୍ରତି ବ୍ଲକରେ 5 ହଜାର ଲେଖାଏଁ ମୋବାଇଲ୍ ବାଣ୍ଟିବା ପାଇଁ ଯାଉଛନ୍ତି । ଜିଲ୍ଲା ଏବଂ ବ୍ଲକର ପ୍ରଶାସନିଲ ଅଧିକାରୀମାନେ ଏହି ମୋବାଇଲ ବଣ୍ଟାକୁ ଏକ ସରକାରୀ ଯୋଜନା ଭଳି ମନିଟର କରୁଛନ୍ତି ।

ହେଲେ ଆଶ୍ଚର୍ଯ୍ୟର କଥା ସେହି ମୋବାଇଲ ବଣ୍ଟା ନେଇ କୌଣସି ଟେଣ୍ଡର ହୋଇନାହିଁକି ସରକାରୀ ସ୍ତରରେ କୌଣସି ବଜେଟ ବ୍ୟବସ୍ଥା ନାହିଁ । ପ୍ରାୟ 750 କୋଟି ଟଙ୍କା ବ୍ୟୟରେ ପ୍ରାୟ 20 ଲକ୍ଷ ମୋବାଇଲ୍ ହ୍ୟାଣ୍ଡସେଟ ବାଣ୍ଟିବା ପାଇଁ ମସୁଧା ଚାଲିଛି   ବୋଲି ବିଜେପି ଅଭିଯୋଗ ଆଣିଛି।  ବିନା ସରକାର ନିଷ୍ପତିରେ କାହିଁକି ଏତେ ମୋବାଇଲ ବଂଟାଯାଉଛି ଓ ସମ୍ପୃକ୍ତ ଘରୋଇ କମ୍ପାନୀମାନେ କାହିଁକି ମୋବାଇଲ ବାଣ୍ଟିବା ପାଇଁ ଅର୍ଥ ଖର୍ଚ୍ଚ କରୁଛନ୍ତି ।

ଏଥିରୁ ଏକ ବୃହତ ଆର୍ଥୀକ ଅନିୟମିତତାର ଗନ୍ଧ ବାହାରୁଛି । ଏ ପ୍ରସଙ୍ଗରେ ଆଜି ଭାରତୀୟ ଜନତା ପାର୍ଟି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭୂବନେଶ୍ୱରସ୍ଥିତ ପ୍ରବର୍ତନ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ଓ ରାଜ୍ୟ ଆୟକର କମିଶନରକୁ ଭେଟି ରାଜ୍ୟ ସରକାର, ବିଜୁ ଯୁବ ବାହିନୀ ଓ ସମ୍ପୃକ୍ତ ଦୁର୍ନୀତି ଗ୍ରସ୍ତ କମ୍ପାନୀ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ଶ୍ରୀ ମହାନ୍ତି କହିଛନ୍ତି ଯେ ରାଜ୍ୟରେ ଚାଷୀମାନଙ୍କୁ ସରକାର ମୋବାଇଲ୍ ଯୋଗାଇବା କଥା କହିଥିଲେ ।

ହେଲେ ସୁଚନା ଅଧିକାର ଆଇନ ଅନୁସାରେ ମିଳିଥିବା ତଥ୍ୟ ଅନୁସାରେ ଏବେ ସୁଦ୍ଧା ରାଜ୍ୟସରକାର କୌଣସି ଟେଣ୍ଡର କରିନାହାନ୍ତି କି ମୋବାଇଲ ହ୍ୟାଣ୍ଡସେଟ ଯୋଗାଣର କୌଣସି ସରକାରୀ ବ୍ୟବସ୍ଥା କରିନାହାନ୍ତି । ହେଲେ 20 ଲକ୍ଷ ମୋବାଇଲ ହ୍ୟାଣ୍ଡସେଟ ଯାହା ଏବେ ସରକାରୀ କଳ ମାଧ୍ୟମରେ ବଣ୍ଟାଯିବ ସେ ସବୁ ମୋବାଇଲ ଆସିଲା କୁଆଡୁ ଓ ବିନା ସରକାରୀ ନିର୍ଦ୍ଦେଶରେ କାହିଁକି ବଂଟାଯାଉଛି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । ଏହି ପ୍ରତିନିଧୀ ଦଳରେ ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଣଜିତ୍ ଦାଶ, ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ପ୍ରତାପ ମିଶ୍ର, ଜିଲ୍ଲା ସଭାପତି ହରେକୃଷ୍ନ ଖୁଂଟିଆ, ଅରବିନ୍ଦ ଦାଶ, ହିତେଶ ମହାପାତ୍ର ପ୍ରମୁଖ ସାମିଲ ଥିଲେ ।

Spread the love