ପ୍ରସିଦ୍ଧ ଗାୟକ ଏସ.ପି ବାଲାସୁବ୍ରମଣ୍ୟମଙ୍କ ପରଲୋକ

ନୂଆଦିଲ୍ଲୀ,୨୫/୦୯: ୭୪ ବର୍ଷ ବୟସରେ ପ୍ରସିଦ୍ଧ ପ୍ଲେବ୍ୟାକ ସିଙ୍ଗର ବାଲାସୁବ୍ରମଣ୍ୟମଙ୍କ ପରଲୋକ ହୋଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗତ ୨୪ ଘଣ୍ଟା ହେବ ଗମ୍ଭୀର ଥିଲା। ସ୍ୱାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ଦେଖା ଦେଇନଥିଲା। ଏହି କାରଣରୁ ସୁବ୍ରମଣ୍ୟମଙ୍କୁ ଲାଇଫ ସପୋର୍ଟ ସିଷ୍ଟମରେ ରଖା ଯାଇଥିଲା। ଏହାର ସୂଚନା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ତରଫରୁ ଜାରି କରାଯାଇଥିଲା। ତେବେ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ସୁବ୍ରମଣ୍ୟମ।

ଗତ ଅଗଷ୍ଟ ୫ ରେ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଫେସବୁକରେ ସୂଚନା ଦେଇଥିଲେ ବାଲା ସୁବ୍ରମଣ୍ୟମ। ଯାହାପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେ ଠିକ ଥିବା ଏବଂ ତାଙ୍କୁ ନେଇ କେହି ଚିନ୍ତିତ ନ ହେବା ପାଇଁ ସେ କହିଥିଲେ। କେବଳ ତାଙ୍କ ଛାତିରେ ସାମାନ୍ୟ ଯନ୍ତ୍ରଣା ହେଉଥିବା ସେ ଏକ ଭିଡ଼ିଓ ମାଧ୍ୟମରେ ଜଣାଇଥିଲେ । ତଥାପି ଏହାକୁ ଅତି ସହଜରେ ନେବା ଅନୁଚିତ ଭାବି ହସ୍ପିଟାଲରେ ଭର୍ତ୍ତି ହୋଇଥିବା କଥା ସେ କହିଥିବା ଭିଡ଼ିଓରେ ନଜର ଆସିଥିଲା ।

ସେପ୍ଟେମ୍ବର ୨୨ରେ ଭେଣ୍ଟିଲେଟରରେ ଥାଇ ମଧ୍ୟ ସାମାନ୍ୟ ସୁସ୍ଥ ଅନୁଭବ କରୁଛି ଏବଂ ଖୁବଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ ହେବାକୁ ଚାହୁଁଛି ବୋଲି ସେ ସୂଚନା ଦେଇଥିଲେ। ସୂଚନାଯୋଗ୍ୟ ୧୬ଟି ଭାଷାରେ ସେ ୪୦ ହଜାରରୁ ଅଧିକ ଗୀତ ରେକର୍ଡ଼ କରି ଗିନିଜ ଓ୍ୱାର୍ଲଡ ରେକର୍ଡ଼  କରିଛନ୍ତି ।

Spread the love