ବିଜୁଳି ଟାରିଫ୍ ମାମଲାରେ ଝିଂଟିକା ମାରି ବଣି ପୋଷିବାନୀତି ଅବଲମ୍ବନ କରିଛନ୍ତି ରାଜ୍ୟ ସରକାର : ଗୋଲକ ମହାପାତ୍ର

ଭୁବନେଶ୍ୱର,୨୫/୦୯: କରୋନା ମହାମାରୀ ସମୟରେ ଓଡିଶାର ଘରୋଇ ବିଜୁଳି ଉପଭୋକ୍ତାଙ୍କ ବିଜୁଳି ଦର ବଢିବା ଘଟଣାରେ ଦୃଢ ପ୍ରତିବାଦ କରିଛି ବିଜେପି। ରାଜ୍ୟ ସରକାର ବିଜୁଳି ବିଲ୍ ଆଦାୟ ମାମଲାରେ ଝିଂଟିକା ମାରି ବଣି ପୋଷିବା ନୀତି ଅବଲମ୍ବନ କରିଛନ୍ତି ବୋଲି ବିଜେପି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ଶ୍ରୀ ମହାପାତ୍ର କହିଛନ୍ତି ଲକ୍ ଡ଼ାଉନ୍ ସମୟରେ ବିଦ୍ୟୁତ୍ କିଣିବା ପାଇଁ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନି (ଡ଼ିସକମ) ଗୁଡ଼ିକୁ ଶକ୍ତି ମନ୍ତ୍ରଣାଳୟର ରାଷ୍ଟ୍ରାୟତ ଉଦ୍ୟୋଗ ଦ୍ୱାରା ଦିଆଯାଇଥିବା ୮୪ କୋଟି ଟଙ୍କାର ରିହାତି ଦଆଯାଇଛି । ରାଜ୍ୟର ବିଦ୍ୟୁତ୍ ବିତରଣ କମ୍ପାନି ଗୁଡ଼ିକୁ କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ ଅଧୀନରେ ଥିବା ଏନଏଚପିସି ୩.୭୮ କୋଟି, ଏନଟିପିସି ୫୬.୮ କୋଟି ଏବଂ ପିଜିସିଆଇଏଲ ପକ୍ଷରୁ ୨୪.୩୫ କୋଟି ରିହାତି ଦିଆଯାଇଛି । କରୋନା ସମୟରେ ଉପଭୋକ୍ତାମାନଙ୍କ ପାଇଁ ନିରନ୍ତର ବିଦ୍ୟୁତ୍ ସରବରାହ ହୋଇପାରିବା ଲକ୍ଷ୍ୟରେ ଏହି ଆର୍ôଥକ ରିହାତି ଦିଆଯାଇଛି । ଏହାସତ୍ୱେ ରାଜ୍ୟରେ ଅକ୍ଟୋବର ପହିଲାରୁ ବିଜୁଳି ଦର ୟୁନିଟ୍ ପିଛା ୨୦ ପଇସା ବୃଦ୍ଧି ଲାଗି ଓଡ଼ିଶା ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି)ଙ୍କ ନିଷ୍ପତି ନେଇଛନ୍ତି । ତେବେ କରୋନା ପରିସ୍ଥିତିରେ ଲୋକ ଦୁର୍ଦିନ ଭିତରେ ଥିବା ବେଳେ ବିଦ୍ୟୁତଦର ବୃଦ୍ଧି ନିଷ୍ପତି କେତେଦୂର ଯୁକ୍ତିଯୁକ୍ତ ? କରୋନା ସମୟରେ ସରକାରଙ୍କ ଏପରି ନିଷ୍ପତି ଲୋକଙ୍କ ବୋଝ ଉପରେ
ନଳିତା ବିଡା ସଦୃଶ। ଗ୍ରିଡକୋ ପକ୍ଷରୁ ପ୍ରଦାନ କରାଯାଇଥିବା ତଥ୍ୟରୁ ଜଣାପଡ଼ିଛି ଯେ ରାଜ୍ୟର ଚାରୋଟି ବିଦ୍ୟୁତ ବିତରଣ କମ୍ପାନୀ ଉପରେ ୫୯୬୩.୨୧ କୋଟି ଟଙ୍କା ବକେୟା ଅଛି। ସେଥିମଧ୍ୟରୁ ୱେସ୍କୋ ଉପରେ ୧୧୧୪.୬୫ କୋଟି, ନେସ୍କୋ ଉପରେ ୧୦୨୪.୦୬ କୋଟି, ସାଉଥକୋ ଉପରେ ୧୧୬୩.୬୯ କୋଟି ଓ ସେସୁ ଉପରେ ୨୬୬୦ କୋଟି ବକେୟା ରହିଛି।
ବିଜୁଳି ଦର ୟୁନିଟ ପିଛା ୨୦ ପଇସା ବଢିବ ବୋଲି ସରକାର କହୁଛନ୍ତି କିନ୍ତୁ ଇଡକୋ ଠାରୁ ବିଦ୍ୟୁତ ବିତରଣ କମ୍ପାନୀ(ଡ଼ିସକମ) ୭ ପଇସାରେ କିଣିବେ ଅଥଚ ଉପଭୋକ୍ତା ୨୦ ପଇସା ଦେବେ। ଅପରପକ୍ଷରେ ୭ମାସ ତଳେ ଓଇଆରସିକୁ ଓଏସଟିସି ଏବଂ ଗ୍ରୀଡ଼କୋ ବିଦ୍ୟୁତ ରେଟ୍ ବଢାଇବା ପାଇଁ କହିଥିଲେ କିନ୍ତୁ ବିରୋଧ ହେବାରୁ ସରକାର ବିଦ୍ୟୁତ ଦର୍ ବଢାଇବା ପାଇଁ ମନା କଲେ ।

ଓଡ଼ିଶାରେ କରୋନା ଦ୍ୱାରା ପ୍ରଭାବିତ ଶକ୍ତି କ୍ଷେତ୍ର ଏବଂ ବିଦ୍ୟୁତ୍ ବିତରଣ କମ୍ପାନିକୁ ସହାୟତା ପ୍ରଦାନ କରିବା ପାଇଁ ଦୃଢ଼ ପଦକ୍ଷେପ ନେବା ସହ ମୋଦି ସରକାର ନିରନ୍ତର ସହଯୋଗ ଦେଉଛନ୍ତି।ଅପରପକ୍ଷରେ କିନ୍ତୁ କୋଭିଡ଼୍ ସମୟରେ ରାଜ୍ୟବାସୀ ଜୀବନ ଜୀବିକାକୁ ନେଇ ଆତଙ୍କଜନକ ପରିସ୍ଥିତିରେ ଥିବା ବେଳେ ଓଇଆରସିର ବିଦ୍ୟୁତ ଦର ବୃଦ୍ଧି ନିଷ୍ପତି କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ । ଏହାକୁ ବିଜେପି ପକ୍ଷରୁ କଡା ନିନ୍ଦା କରାଯାଉଛି। ରାଜ୍ୟ ବିଦ୍ୟୁତ ନିୟାମକଆୟୋଗ ତୁରନ୍ତ ଏହି ନିଷ୍ପତି ପ୍ରତ୍ୟାହାର କରନ୍ତୁ। ଏପରି ନହେଲେ ବିଜେପି ଦଳ ଲୋକଙ୍କ ସ୍ୱାର୍ଥ ପାଇଁ ରାସ୍ତାକୁ ଓହ୍ଲାଇବ। ବିଧାନସଭାରେ ବି ଏହି ପ୍ରସଙ୍ଗ ଉଠାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଦାୟିତ୍ୱ ସମ୍ପନ୍ନ ମୁଖ୍ୟ ବିରୋଧୀ ଦଳ ଭାବରେ ରାଜ୍ୟରେ ଆସନ୍ନ ଉଚ୍ଚ ବିଜୁଳି ଟାରିଫ୍ ବୃଦ୍ଧି ଅବ୍ୟବହିତ ପୂର୍ବରୁ ଏଥିରୁ ଖ୍ୟାନ୍ତ ରହିବାକୁ ରାଜ୍ୟ ସରକାରଙ୍କୁ ଶ୍ରୀ ମହାପାତ୍ର ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ରାଜ୍ୟର ବଡ ଶିଳ୍ପାନୁଷ୍ଠାନ, ବିଜୁଳି ଉତ୍ପାଦନକାରୀ କମ୍ପାନୀ ମାନଙ୍କୁ ରାଜ୍ୟର ଗରିବ ଜନସାଧାରଣଙ୍କ ଝାଳବୁହା ଟିକସ ଟଙ୍କାରୁ ରିହାତି ଅଥବା ବିଭିନ୍ନ ଆଳରେ ପଡି ରହିଥିବା ମୋଟା ବିଲ୍ ଆଦାୟ ନକରି କାଉ ଖାଇଲା ପଣସ ବଗ ମୁଣ୍ଡରେ ଅଠା ପରି ସାଧାରଣ ଲୋକଙ୍କ ଠାରୁ ଯୋର ଜବରଦସ୍ତି ରାଜ୍ୟ ସରକାର ବୋଝ ଲଦି ଦେଉଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର ସରକାରଙ୍କ ଦ୍ୱାରା ପ୍ରଦତ ବିଭିନ୍ନ ଦସ୍ତାବିଜ୍ ଉପସ୍ଥାପନ କରି ବିଜୁଳି ଶୁଳ୍କ ଆଦାୟ ମାମଲାରେ ପୁଞ୍ଜିପତି ବ୍ୟବସାୟୀଙ୍କ ପ୍ରତି କୋହଳ ଓ ଗରିବ ଉପଭୋକ୍ତାଙ୍କ ପାଇଁ ନିର୍ମମ ଆଭିମୁଖ୍ୟ ନେଇଥିବାରୁ ଦସ୍ତାବିଜ୍ ମାଧ୍ୟମରେ ଯୁକ୍ତି ଉପସ୍ଥାପନ କରିଛନ୍ତି । ଶ୍ରୀ ମହାପାତ୍ର କହିଛନ୍ତି ପୂର୍ବ ଦିନ ମାନଙ୍କରେ ରାଜ୍ୟର ୨୬ଟି ବଡ ଶିଳ୍ପ ସଂସ୍ଥାଙ୍କ ଉପରେ ୨୯୪୯.୬୬ କୋଟି ଟଙ୍କାର ବକେୟା ବିଜୁଳି ବିଲ୍ ପଡିରହିଛି । ସରକାର ଓ ପ୍ରଶାସନର ପ୍ରଚ୍ଛନ୍ନ ଷଡଯନ୍ତ୍ରରେ ଏହି କମ୍ପାନୀମାନେ କୋଟରୁ ରହିତାଦେଶ ଆଣି ରାଜ୍ୟ ରାଜକୋଷକୁ ଋଗଣ୍ କରିଛନ୍ତି।
ଶ୍ରୀ ମହାପାତ୍ର କହିଛନ୍ତି ରାଜ୍ୟ ସରକାର ବିଧାନସଭାର ଦେଇଥିବା ତଥ୍ୟନୁସାରେ ବାହାର ରାଜ୍ୟକୁ ଓଡିଶା ସରକାର
ଯେଉଁ ବିଜୁଳି ବିକୁଛନ୍ତି ତାହାର ୟୁନିଟ୍ ପିଛା ମୂଲ୍ୟ ୩ଟ ୨୧ପଇସା ରହିଛି। ମାତ୍ର ବାହାର ରାଜ୍ୟ ମାନଙ୍କରୁ ଯେଉଁ ବିଜୁଳି
ରାଜ୍ୟ ସରକାର କିଣୁଛନ୍ତି ତାହାର ୟୁନିଟ୍ ପିଛା ହାରାହାରି ମୂଲ୍ୟ ରହିଛି ୩ଟ୮୧ ପଇସା। କିଣାବିକାରେ ଏହି ତାରତମ୍ୟ କାରଣରୁ ରାଜ୍ୟର ରାଜକୋଷ ଦୁର୍ବଳ କରି କେଉଁମାନେ ଏଥିରୁ ଲାଭ ଉଠାଉଛନ୍ତି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି । ଏହାସହ କମ୍ ଦରରେ ବିଜୁଳି ବିକି ଚଢା ଦରରେ ବିଜୁଳି କିଣି ଏହାର ବୋଝ ସାଧାରଣ ଖାଉଟିଙ୍କ ମୁଣ୍ଡରେ ଲଦିବାର କାରଣକଣ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି। ଏହାସହ ରାଜ୍ୟ ସରକାରଙ୍କର ଖାଉଟି ମାରଣ କମ୍ପାନୀ ପ୍ରିତୀର ଉଦାହରଣ ଏକ ଆରଟିଆଇ ଉତର ଆଧାରରେ ଖୁଲାସା କରିଛନ୍ତି ଶ୍ରୀ ମହାପାତ୍ର। ଆରଟିଆଇ ଉତର ଆଧାରରେ ଶ୍ରୀ ମହାପାତ୍ର କହିଛନ୍ତି ରାଜ୍ୟରେ ୩୩୨ଟି କମ୍ପାନୀ ଉପରେ ଜଳକର ବାବଦରେ ୫୧୫ କୋଟିରୁ ଅଧିକ ଟଙ୍କା ଦୀର୍ଘ ଦିନରୁ ପଡିରହିଛି। ରାଜ୍ୟ ସରକାର କୋହଳ ଭାବ ଅବଲମ୍ବନ କରି ଏହି କମ୍ପାନୀ ମାନଙ୍କ ଠାରୁ ପଡିରହିଥିବା ଟିକସ ଆଦାୟ କରୁନାହାନ୍ତି। ସେହିପରି ବିଭିନ୍ନ ବିଦ୍ୟୁତ ବଂଟନ କମ୍ପାନୀମାନଙ୍କ ଉପରେ ମୋଟ ୩୯୩୭.୪୮ କୋଟି ଚଙ୍କା ବକେୟା ରହିଛି। ଅପରପକ୍ଷରେ ସାଧାରଣ ଖାଉଟିଙ୍କ ମୁଣ୍ଡରେ ନଡିଆ ଫଟେଇ ରାଜ୍ୟ ରାଜକୋଷକୁ ସମୃଦ୍ଧ କରିବାର ପଣ୍ୟ ଫଳ ପାଇଁ ଚେଷ୍ଟା କରୁଛନ୍ତି ବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି।
ରାଜ୍ୟ ସରକାର ଯେଉଁ ବିତରକ କମ୍ପାନୀ ମାନଙ୍କ ପାଇଁ ସାଧାରଣ ଖାଉଟିଙ୍କୁ ବଳିଦେବାକୁ ଚାହୁଁଛନ୍ତି ସେମାନେ ରାଜ୍ୟ ସରକାରଙ୍କ ଅଧିନସ୍ଥ ଗ୍ରୀଡକୋକୁ ହଜାର ହଜାର କୋଟି ଟଙ୍କା ପୈଠ କରୁନାହାନ୍ତି। ଆଜି ଦିନରେ ରାଜ୍ୟ ସରକାର ନିଜ ଅଧୀନରୁ ବିତରଣ କମ୍ପାନୀ ଗୁଡିକୁ ବେସରକାରୀ ସଂସ୍ଥା ମାନଙ୍କୁ ହସ୍ତାନ୍ତର କରୁଛନ୍ତି ସେତେବେଳେ ବିତରଣ କମ୍ପାନୀ ମାନଙ୍କଠାରୁ ପାଇବାକୁ ଥିବା ବକେୟା ଅର୍ଥ ସମ୍ବନ୍ଧରେ ଅହେତୁକ ନିରବତା ଅବଲମ୍ବନ କରୁଛନ୍ତି। ବିଧାନସଭାରେ ରାଜ୍ୟ ସରକାରଙ୍କ ପ୍ରଦତ ଉତର ଆଧାରରେ ଶ୍ରୀ ମହାପାତ୍ର କହିଛନ୍ତି ୪ଟି ବିତରକ କମ୍ପାନୀ ଉପରେ ମାର୍ଚ୍ଚ ୨୦୧୯ ସୁଦ୍ଧା ଗ୍ରୀଡକୋର ବକେୟା ୩୯୩୭.୪୮ କୋଟି ଟଙ୍କା ପଡିରହିଛି । ଏହାସହ ଏହି କମ୍ପାନୀମାନଙ୍କ ପାଇଁ ବିଶ୍ୱ ବ୍ୟାଙ୍କ ଓ ସରକାର ୨୯୦୮.୫୫ କୋଟି ଟଙ୍କା ଋଣ ଯୋଗାଇଦେଇଛନ୍ତି। ଏତେ ସୁବିଧା ଦିଆଯିବା ପରେ ବି ବିତରକ କମ୍ପାନୀ ମାନଙ୍କ ପାଇଁ ବିଜୁଳି କାଟିବା ଓ ବିଜୁଳି ଟାରିଫ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର କାହିଁକି ତତ୍ପର ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।
ଏହାସହ ଶ୍ରୀ ମହାପାତ୍ର ଆରଟିଆଇ ତଥ୍ୟ ଆଧାରରେ କହିଛନ୍ତି ବିଗତ ଦିନମାନଙ୍କରେ ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟ ସରକାରଙ୍କ ଉଦ୍ୟୋଗ ଓଏଚପିସିକୁ କମ୍ ଦରରେ ବିଜୁଳି ଉତ୍ପାଦନ ପାଇଁ ୫୨୨୫ କୋଟି ଟଙ୍କା ଛାଡ କରାଯାଇଛି।

ଏହାପରେ ବି ବିଦ୍ୟୁତ ନିୟାମକ ଆୟୋଗ ସାମ୍ନାରେ ଓଏଚପିସି ତରଫରୁ ବିଜୁଳି ଟାରିଫ୍‌ରେ ବଡ ବୃଦ୍ଧି ପାଇଁ ଦାବୀ କରାଯାଇଛି। ଏତେ ବଡ ପାଣି ବିଲ୍ ଛାଡ କଲା ପରେ ବି ଏହି ସରକାରୀ କମ୍ପାନୀ ଖାଉଟି ମାନଙ୍କ ଉପରେ ବୋଝ ଲଦିବା ପାଇଁ କାହିଁକି ଦାବୀ କରୁଛି ଓ ଏଥିପାଇଁ ରାଜ୍ୟ ସରକାରଙ୍କ ସ୍ୱୀକୃତି ନେଇଛି ନା ନାହିଁ ବୋଲି ଏହା ସ୍ପଷ୍ଟ କରିବା ପାଇଁ ଶ୍ରୀ ମହାପାତ୍ର ଦାବୀ କରିଛନ୍ତି। ଶ୍ରୀ ମହାପାତ୍ର କହିଛନ୍ତି ଯେ ଓଡିଶାରେ ଘରୋଇ ବିଦ୍ୟୁତ ଟାରିଫ ୟୁନିଟ ପିଛା ପ୍ରଥମ ୫୦ ୟିନିଟ୍ ପର୍ଯ୍ୟନ୍ତ ୨ଟ ୫୦ ପଇସା ରହିଥିବା ବେଳେ ଦେଶର ସିକିମ ରାଜ୍ୟରେ ଯଥାକ୍ରମେ ୟୁନିଟ୍ ପିଛା ୧ଟ ୨୦ ପଇସା, ଆନ୍ଧ୍ର ଓ ତେଲେଙ୍ଗାନାରେ ୧.୪୫ଟ, ଗୋଆରେ ୧.୪୦ଟ ଓ ଛତିଶଗଡରେ ୨.୪୦ଟ ରହିଛି । ସେହିପରି ତାମିଲନାଡୁ ଭଳି
ରାଜ୍ୟରେ ୧୦୦ ୟୁନିଟ ଯାଏଁ ମାଗଣା ବ୍ୟବସ୍ଥା ରହିଛି ଅର୍ଥାତ୍ ୧୦୦ ୟୁନିଟ୍ ଯାଏଁ କୌଣସି ଟଙ୍କା ଦେବାକୁ ପଡେନାହିଁ।
ଖାଉଟିମାନଙ୍କର ବିଜୁଳି ଟାରିଫ୍ ଅପରିବର୍ତିତ ରଖିବା ସହ ରାଜ୍ୟର କୃଷକ ମାନଙ୍କୁ ଶାସକ ଦଳର ପ୍ରତିଶ୍ରୁତି ଅନୁସାରେ ମାଗଣା ବିଜୁଳି ଯୋଗାଇଦେବା ପାଇଁ ଦାବୀ କରିଛନ୍ତି। ଏହାସହ ରାଜ୍ୟରେ ଶିଳ୍ପ ବିକାଶ ପାଇଁ ବର୍ତମାନ ପ୍ରଚଳିତ ୟୁନିଟ୍ ପିଛା ୫ ଟଙ୍କା ୭୦ ପଇସାର ଟାରିଫ୍ ବଦଳରେ ଦେଶର ଶିଳ୍ପ ସମୃଦ୍ଧ ରାଜ୍ୟ ଗୁଜୁରାଟ ପରି ୪ ଟଙ୍କା ୫୦କୁ କମ୍ କରିବା ପାଇଁ ଦାବୀ କରିଛନ୍ତି। ଏହାସହ ଆନ୍ଧ୍ର ଓ ଗୁଜୁରାଟ ଭଳି ରାଜ୍ୟରେ ଅଣୁ କ୍ଷୁଦ୍ର ଶିଳ୍ପ ପାଇଁ ବିଶେଷ ରିହାତି ସହ ୟୁନିଟ୍ ପିଛା ମୂଲ୍ୟ ୨ ଟଙ୍କା ୬୦ ପଇସା ରଖାଯାଇଛି। ଓଡିଶାର ଶିଳ୍ପ ବିକାଶ ପାଇଁ ଏହି ଶିଳ୍ପ ଅଗ୍ରଣୀ ରାଜ୍ୟ ମାନଙ୍କର ପଦାଙ୍କ ଅନୁସରଣ କରିବାପାଇଁ ଶ୍ରୀ ମହାପାତ୍ର ଦାବୀ କରିଛନ୍ତି। ଏହି ଅବସରରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ଉପସ୍ଥିତ ଥିଲେ ।

Spread the love