ଅଦାଲତରେ ପହଞ୍ଚିଲା କୃଷ୍ଣ ଜନ୍ମଭୂମି ମାମଲା

ମଥୁରା, ୨୬/୦୯:  ମଥୁରାର କୃଷ୍ଣ ଜନ୍ମଭୂମି ଜମି ବିବାଦ ଅଦାଲତରେ ପହଞ୍ଚିଛି।  ମଥୁରାରେ ବିରାଜିତ କୃଷ୍ଣ ଜନ୍ମଭୂମିର ୧୩.୩୭ ଏକର ଜମିକୁ ନେଇ ଅଦାଲତରେ ମାମଲା ରୁଜୁ ହୋଇଛି । ଏହାସହ ମଥୁରା ଶ୍ରୀକୃଷ୍ଣ ଜନ୍ମଭୂମି ମନ୍ଦିରକୁ ଲାଗି ରହିଥିବା ଇଦଗା ମସଜିଦକୁ ହଟାଇବା ପାଇଁ ଦାବି କରାଯାଇଛି। ରଞ୍ଜନା ଅଗ୍ନିହୋତ୍ରୀ ଓ ଅନ୍ୟ ୬ ଜଣ ଭକ୍ତ ଏହି ମାମଲା ରୁୁଜୁ କରିଛନ୍ତି ।

ଆଇନଜୀବୀ ହରିଶଙ୍କର ଜୈନ ଓ ବିଷ୍ଣୁଶଙ୍କର ଜୈନଙ୍କ ସୂଚନା ଅନୁସାରେ ଏହି ମକଦ୍ଦମା ମସଜିଦ୍ ଇଦଗା ପ୍ରବନ୍ଧନ ସମିତି ଦ୍ବାରା କରାଯାଇଥିବା ଅତିକ୍ରମଣକୁ ହଟାଇବା ପାଇଁ ଦାୟର କରାଯାଇଛି। ଏପରି କ୍ଷେତ୍ରରେ ୧୯୯୧ ପ୍ଲେସେସ ଅଫ୍ ୱରସିପ୍ ଆକ୍ଟ ଏହି ମାମଲା କ୍ଷେତ୍ରରେ ଆଉ ଏକ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ଏହି ଆଇନ ଅନୁସାରେ ୧୯୪୭ ଅଗଷ୍ଟ ୧୫ ସୁଦ୍ଧା ଯେଉଁ ସମ୍ପ୍ରଦାୟ ନିକଟରେ ଯେଉଁ ଧାର୍ମିକ ସ୍ଥଳ ରହିଥିବ ତାହା ଭବିଷ୍ୟତରେ ଅନୁରୂପ ରହିବ। ତେବେ ଏହି ଆଇନରେ ଶ୍ରୀରାମଜନ୍ମଭୂମି -ବାବ୍ରି ମସଜିଦ୍ ବିବାଦକୁ ବାଦ ଦିଆଯାଇଥିଲା।

ତେବେ ରଞ୍ଜନା ଅଗ୍ନିହୋତ୍ରୀଙ୍କ ପକ୍ଷରୁ ଦାୟର ମାମଲାରେ କୁହାଯାଇଛି ଯେ ସୁନ୍ନି ୱାକଫ ବୋର୍ଡ଼, ଟ୍ରଷ୍ଟ ମସଜିଦ୍ ଇଦଗା ବା ମୁସଲମାନ ସମ୍ପ୍ରଦାୟର କୌଣସି ବ୍ୟକ୍ତିଙ୍କୁ କଟରା କେଶବ ଦେବଙ୍କ ସମ୍ପତ୍ତିରେ କୌଣସି ଆଗ୍ରହ ନାହିଁ। ଏହି ଜମି ଭଗବାନ ଶ୍ରୀକୃଷ୍ଣଙ୍କର। ଇତିହାସକାର ଯଦୁନାଥ ସରକାର ତାଙ୍କ ପୁସ୍ତକରେ ଏହା ଉଲ୍ଲେଖ କରିଛନ୍ତି। ୧୬୬୯-୭୦ ମସିହାରେ  ମୋଗଲ ସମ୍ରାଟ ଆଉରଙ୍ଗଜେବ କଟରା କେଶବଦେବ ସ୍ଥିତ ଶ୍ରୀକୃଷ୍ଣ ଜନ୍ମଭୂମି ମନ୍ଦିରକୁ ନଷ୍ଟ କରି ଦେଇଥିଲେ। ଏହା ଉପରେ ସେ ଆଉଏକ ଢ଼ାଞ୍ଚା ନିର୍ମାଣ କରିଥିଲେ। ଯାହାକୁ ଇଦଗା ମସଜିଦ କୁହାଯାଉଥିଲା। ଏହାର ପ୍ରାୟ ୧୦୦ ବର୍ଷ ପରେ ମରାଠା ଯୋଦ୍ଧାମାନେ ପୁରା ଅଞ୍ଚଳରେ ବିଜୟଲାଭ କରିଥିଲେ ଓ ମନ୍ଦିରର ବିକାଶ ସହ ପୁନରୁଦ୍ଧାର କରିଥିଲେ।

ମରାଠାମାନେ ଆଗ୍ରା ଓ ମଥୁରା ଭୂମିକୁ ନଜୁଲ ଭୂମି ଘୋଷଣା କରିଥିଲେ ଓ ୧୮୦୩ ମସିହାରେ ମଥୁରାକୁ ଦଖଲ ପରେ ଇଂରେଜମାନେ ମଧ୍ୟ ଏହାକୁ ନଜୁଲ ଭୂମି ଭାବରେ ଘୋଷଣା କରିଥିଲେ । ପରେ ୧୮୧୫ ମସିହାରେ ବ୍ରିଟିଶମାନେ ୧୩.୩୭ ଏକର ଜମିକୁ ନିଲାମ କରିଥିଲେ ଓ ବନାରସର ରାଜା ପଟନିମଲ ଏହାକୁ ଖରିଦ କରିଥିଲେ । ୧୯୨୧ ମସିହାରେ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ସିଭିଲ କୋର୍ଟରେ ଏ ସଂକ୍ରାନ୍ତରେ ଏକ ଆବେଦନ ହୋଇଥିଲା, ମାତ୍ର ଏହାକୁ ଅଦାଲତ ଖାରଜ କରି ଦେଇଥିଲା । ୧୯୪୪ମସିହାରେ ରାଜା ପାଟନିମଲଙ୍କ ଉତ୍ତରାଧିକାରୀ ଏହି ୧୩.୩୭ ଏକର ଜମିକୁ ପଣ୍ଡିତ ମଦନ ମୋହନ ମାଲବ୍ୟ, ଗୋସ୍ବାମୀ ଗଣେଶ ଦତ୍ତ ଓ ଭିକନ ଲାଲଜୀ ଆତ୍ରେଙ୍କୁ ୧୯୪୦୦ ଟଙ୍କାରେ ବିକି ଦେଇଥିଲେ।  ପରେ ୧୯୫୧ ମସିହାରେ ଏଠାରେ ଏକ ଟ୍ରଷ୍ଟ ଗଠନ ହୋଇଥିଲା ଓ ପୁରା ଜମି ଟ୍ରଷ୍ଟକୁ ପ୍ରଦାନ କରାଯାଇଥିଲା । ଏବେ କୃଷ୍ଣ ଜନ୍ମଭୂମି ମାମଲାରେ ଏହି ପୁରା ଜମି ଉପରେ ନିଜର ଅଧିକାର ଦାବି କରାଯିବା ସହ ଏଠାରୁ ମସଜିଦ୍ ହଟାଇବା ପାଇଁ ଅଦାଲତ ନିକଟରେ ଆବେଦନ କରାଯାଛି ।

Spread the love