କୋଣାର୍କକୁ ଗଡ଼ିଲା ‘ମୋ ବସ୍‌’

ଭୁବନେଶ୍ୱର, 27/9 : ବିଶ୍ୱ ପର୍ଯ୍ୟଟନ ଦିବସରେ ଅର୍କକ୍ଷେତ୍ର କୋଣାର୍କକୁ ଗଡ଼ିଲା ‘ମୋ ବସ୍‌’। ବିଶ୍ୱ ଐତିହ୍ୟ ପର୍ଯ୍ୟଟନସ୍ଥଳୀକୁ ‘ମୋ ବସ୍‌’ ସେବା ଆରମ୍ଭ ହେବା ପରେ ପର୍ଯ୍ୟଟକମାନେ ବିଶେଷ ଭାବେ ଉପକୃତ ହେବେ ବୋଲି ଆଶା କରାଯାଉଛି। ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରୁ ସକାଳ ୬ଟା ୩୦ରୁ ବାହାରି କୋଣାର୍କରେ ସକାଳ ୧୦ଟାରେ ପହଞ୍ଚିଥିଲା ‘ମୋ ବସ୍‌’। କୋଭିଡ୍ ଗାଇଡ୍‌ଲାଇନ୍‌ ଭିତରେ ଯାତ୍ରୀମାନେ ବସ୍‌ରେ ଯାତ୍ରା କରିଛନ୍ତି।ସେହିପରି ଭୁବନେଶ୍ୱରରୁ ପୁରୀକୁ ମଧ୍ୟ ଗଡ଼ିଛି ‘ମୋ ବସ୍’। ପୂର୍ବରୁ କଟକ ଓ ଭୁବନେଶ୍ୱରରେ ସୀମିତ ରହିଥିଲା ‘ମୋ ବସ୍’ ସେବା ଏବେ ପୁରୀ ଓ କୋଣାର୍କକୁ ଗଡ଼ିବା ପରେ ଅଧିକ ସଂଖ୍ୟାରେ ଯାତ୍ରୀ ଓ ପର୍ଯ୍ୟଟକ ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି। ଯାତ୍ରୀଙ୍କ ବଢ଼ୁଥିବା ଚାହିଦା ଓ ଲୋକଙ୍କ ସୁବିଧା ପାଇଁ ‘ମୋ ବସ’ ଆରମ୍ଭ କରାଯାଇଥିବା ବସ୍‌ ପରିଚାଳକ କହିଛନ୍ତି।ଅନ୍ୟପକ୍ଷରେ ଆଜି ହେଉଛି ବିଶ୍ୱ ପର୍ଯ୍ୟଟନ ଦିବସ। ବିଶ୍ୱ ପର୍ଯ୍ୟଟନ ଦିବସରେ ଚଳିତବର୍ଷର ଥିମ୍‌ ରହିଛି ‘ଟୁରିଜିମ୍‌ ଆଣ୍ଡ ରୁରାଲ ଡେଭଲପ୍‌ମେଣ୍ଟ’ ଅର୍ଥାତ ‘ପର୍ଯ୍ୟଟନ ଓ ଗ୍ରାମୀଣ ବିକାଶ’। ଏହି ଅବସରରେ ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ହୋଇଛି ବାଇକ ଶୋଭାଯାତ୍ରା। ଭୁବନେଶ୍ୱର ପଟିଆରୁ ଧଉଳି ଶାନ୍ତି ସ୍ତୁପ ପର୍ଯ୍ୟନ୍ତ ବାଇକ ଶୋଭାଯାତ୍ରା ହୋଇଥିଲା। ଏହା ପୂର୍ବରୁ ଏଥିରେ ସାମଲି ହୋଇଥିବା ବାଇକ ଚାଳକଙ୍କୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ୱାଗତ କରାଯାଇଥିଲା।

ସେପଟେ ଓଡ଼ିଶାକୁ ବୁଲି ଆସିବା ଲାଗି ପର୍ଯ୍ୟଟକଙ୍କୁ ଭିଡିଓ ବାର୍ତ୍ତା ଜରିଆରେ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହିପରି କରୋନା ମହାମାରି ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ପର୍ଯ୍ୟଟନ ଜଗତର ସ୍ଥିତି ସୁଧାରିବା ପାଇଁ ପୁଣି ଥରେ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ପର୍ଯ୍ୟଟନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଓଡ଼ିଶା ବାଏ ରୋଡ୍‌ କାର୍ଯ୍ୟକ୍ରମ।

Spread the love