ନାସାରନ୍ଧ୍ରରୁ ବାହରିଲା ଗଲ୍ଫ ବଲ୍ ଆକାରର ଟ୍ୟୁମର :ସମ୍ ଅଲ୍ଟିମେଟ ମେଡିକେୟାରର ସ୍କଲ ବେସ୍ ସର୍ଜରୀ ବିଶେଷଜ୍ଞଙ୍କ ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର,୧୦/ ୩ : ସମ୍ ଅଲ୍ଟିମେଟ୍ ମେଡିକେୟାରର ସ୍କଲ ବେଶ୍ ସର୍ଜରୀ ବିଶେଷଜ୍ଞଙ୍କର ବିରଳ ଅସ୍ତ୍ରୋପଚାର। ଜଣେ ମଧ୍ୟ ବୟସ୍କ ବ୍ୟକ୍ତିଙ୍କର ନାସାରନ୍ଧ୍ରରୁ ଏକ ଟ୍ୟୁମରକୁ ଆଧୁନିକ ଅସ୍ତ୍ରୋପଚାର ଦ୍ୱାରା ସଫଳତାର ସହ ବାହାର କରାଗଲା। ନାସାରନ୍ଧ୍ରଟି ମସ୍ତିଷ୍କ ସହ ଜଡିତ ଥିବାବେଳେ ମିନିମାଲ୍ ଇନ୍‌ଭାସିଭ୍ ମେଥଡ୍ ଦ୍ୱାରା ଏହା କରାଯାଇପାରିଛି।ପଂଚାନନ ପାଣିଗ୍ରାହୀ ନାମକ ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କର ନାସାରନ୍ଧ୍ରରେ ଏକ ଟ୍ୟୁମର୍ ସୃଷ୍ଟି ହୋଇଥିଲା।

ଏହା ଗନ୍ଧ ବାରିପାରୁଥିବା ନର୍ଭ ସହିତ ଜଡିତ ଥିଲା ଯାହାକି ମସ୍ତିଷ୍କ ଭିତରକୁ ଯାଉଥିଲା । ସମ୍ ଅଲ୍ଟିମେଟ୍ ମେଡିକେୟାରର  ଇଏନ୍‌ଟି ଆଣ୍ଡ ସ୍କଲ୍ ବେଶ ସର୍ଜରୀ ମୁଖ୍ୟ ଡଃ ରାଧାମାଧବ ସାହୁ ଟ୍ରାନ୍ସ ନାଜାଲ୍ ଏଣ୍ଡୋସ୍କୋପିକ୍ ଓ ସ୍କଲ୍ ବେଶ ସର୍ଜରୀ ଦ୍ୱାରା ଏହି ଟ୍ୟୁମରକୁ ବାହାର କରିବାରେ ସଫଳ ହୋଇଥିଲେ। ସଂପୃକ୍ତ ରୋଗୀ ଜଣକଙ୍କ ନାକରୁ ରକ୍ତ ବାହାରୁଥିଲା, ମୁଣ୍ଡ ବିନ୍ଧୁଥିଲା ଏବଂ ସେ ଗନ୍ଧ ମଧ୍ୟ ବାରି ପାରୁନଥିଲେ । ଏହି ସମସ୍ୟା ନେଇ ଚିକିତ୍ସା ନିମନ୍ତେ ସେ ଡଃ ସାହୁଙ୍କ ନିକଟକୁ ଆସିଥିଲେ। ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ତୁରନ୍ତ ଅପରେସନ୍ କରିବା ପାଇଁ ନିଷ୍ପତି ନିଆଯାଇଥିଲା। ଏହି ବିରଳ ପ୍ରକ୍ରିୟାରେ ସଂପୃକ୍ତ ବ୍ୟକ୍ତିଙ୍କ ନାକରୁ ଗଲ୍ଫ ବଲ୍ ଆକାରର ଟ୍ୟୁମର୍ ଏଣ୍ଡୋସ୍କୋପିକ୍ ପ୍ରକ୍ରିୟାରେ ବାହାର କରାଯାଇଥିଲା। ଏହାକୁ ଗ୍ଲୋମାନ୍‌ଜିଓପେରିସାଇଟୋମା ଅଥବା ଜିପିସି ବୋଲି ମଧ୍ୟ କୁହାଯାଏ। ଏହି ଟ୍ୟୁମର ରକ୍ତ ନଳୀରୁ ସୃଷ୍ଟି ହୋଇଥାଏ ଏବଂ ଠିକ୍ ଭାବେ ଏହାକୁ କଢ଼ା ନ ଗଲେ ରୋଗୀ ପାଇଁ ଅନେକ ବିପଦ ଦେଖାଦେଇଥାଏ ବୋଲି ଡଃ ସାହୁ କହିଛନ୍ତି।

ଅଧିକାଂଶ କ୍ଷେତ୍ରରେ ନାକରେ ସୃଷ୍ଟି ହୋଇଥିବା ଟ୍ୟୁମରଗୁଡ଼ିକୁ ଅନୁଧ୍ୟାନ କଲେ ଏହି ଟ୍ୟୁମରର ମାତ୍ରା ମାତ୍ର ୦.୫ % ଅଟେ ବୋଲି ଜଣାପଡିଛି। ଡଃ ସାହୁ କହିଛନ୍ତି ଯଦିଓ ପୂର୍ବରୁ ଓପନ୍ ଏକ୍ସଟ୍ରା ନାଜାଲ୍ ପଦ୍ଧତିରେ ଚିକିତ୍ସା କରାଯାଉଥିଲା ତେବେ ଏହା ଖୁବ୍ ବିପଦସଙ୍କୁଳ ଥିଲା। ବର୍ତମାନ ଅତ୍ୟାଧୁନିକ ମିନିମଲ୍ ଇନ୍‌ଭାସିଭ୍ ଏଣ୍ଡୋସ୍କୋପିକ୍ ଚିକିତ୍ସା ଦ୍ୱାରା ଏହାର ଚିତ୍ର ବଦଳିଛି। ବିନା ଦାଗରେ ସର୍ଜରି କରାଯାଉଛି ଏବଂ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇପାରୁଛି। ହାତ ଗଣତି ସ୍କଲ ବେଶ୍ ସର୍ଜନ୍‌ଙ୍କ ମଧ୍ୟରେ ଡଃ ସାହୁ ଅନ୍ୟତମ। ସେ ପୂର୍ବରୁ ମଧ୍ୟ ଏଭଳି ଅନେକ ବିରଳ ଅସ୍ତ୍ରୋପଚାର କରିଛନ୍ତି।

Spread the love