ଅନଲାଇନରେ ସୋଆ ଜାଗୋର ୧୪ତମ ପ୍ରତିଷ୍ଠା ଦିବସ ପାଳନ
ଭୁବନେଶ୍ୱର, ୧୧/୧୦ : ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ଡିମଡ ଟୁ ବି ୟୁନିଭର୍ସିଟି)ର ସାମାଜିକ ଶାଖା \”ଜାଗୋ\’ର୧୪ ତମ ପ୍ରତିଷ୍ଠା ଦିବସ ଅନଲାଇନ ମାଧ୍ୟମରେ ପାଳିତ ହୋଇଯାଇଛି। କରୋନା ମହାମାରୀ ସମୟରେ ଏବଂ ଏହାପରେ କିଭଳି ଭାବରେ ବିଭିନ୍ନ ସୁଖ ସ୍ୱାଚ୍ଛନ୍ଦ୍ୟରୁ ବଂଚିତ ହୋଇଥିବା ପିଲା ଏବଂ ତାଙ୍କ ପରିବାରକୁ ସାହାଯ୍ୟ ଓ ସହଯୋଗ କରାଯାଇ ପାରିବ ତାହାହିଁ ଏହି ପ୍ରତିଷ୍ଠା ଦିବସର ମୁଖ୍ୟ ପ୍ରସଙ୍ଗ ଥିଲା।
ଏହି ଅନଲାଇନ କାର୍ଯ୍ୟକ୍ରମରେ ସୋଆର ଉପସଭାପତି ଶ୍ରୀମତୀ ଶାଶ୍ୱତୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାଗୋର ସଦସ୍ୟ ମାନଙ୍କୁ ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଥିଲେ। ବିଭିନ୍ନ ସୁଖ ସୁବିଧାରୁ ବଂଚିତ ହେଉଥିବା ପିଲାମାନଙ୍କୁ ସାହାଯ୍ୟ କରିବା ହିଁ \”ଜାଗୋ\’ର ମୁଖ୍ୟ ଉଦ୍ଦେଶ୍ୟ । କରୋନା ମହାମାରୀ ସମୟରେ ଏହି ପିଲାମାନେ ସ୍ୱତନ୍ତ୍ର ଯତ୍ନ ପାଇବା ଜରୁରୀ ଏବଂ ରୋଗ ସଂପର୍କରେ ସେମାନେ ସଚେତନ ହେବା ମଧ୍ୟ ଆବଶ୍ୟକ। ତେଣୁ ସେମାନେ କିଭଳି ସୁରକ୍ଷିତ ରହିବେ, ମାସ୍କ ପିନ୍ଧିବେ, ନିୟମିତ ହାତ ଧୋଇବେ ଏବଂ ସାମାଜିକ ଦୂରତ୍ୱ ବଜାୟ ରଖିବେ ସେ ଦିଗରେ \”ଜାଗୋ\’ ସଦସ୍ୟ ମାନେ ଧ୍ୟାନ ଦେବା ଉଚିତ ବୋଲି ଶ୍ରୀମତୀ ଦାସ କହିଥିଲେ। କରୋନା ମହାମାରୀ ସମୟରେ ଆମେ ଏହି ପିଲାମାନଙ୍କୁ କିଭଳି ସୁରକ୍ଷିତ ରଖିପାରିବା ସେ ଦାୟିତ୍ୱ ଆମ କାନ୍ଧ ଉପରେ ରହିଛି ବୋଲି ସେ କହିଥିଲେ।
ଅନଲାଇନ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସୋଆର ଛାତ୍ରମଙ୍ଗଳ ଡିନ୍ ଡ. ଜ୍ୟୋତିରଞ୍ଜନ ଦାସ କହିଥିଲେ ଯେ ଜାଗୋର ସଦସ୍ୟମାନଙ୍କ ମଧ୍ୟରେ ଅନେକ ଅନ୍ତର୍ନିହିତ ଗୁଣ ଭରି ରହିଛି । ବିଶେଷ କରି ସେମାନେ ଯେଉଁଭଳି ଭାବରେ ନିକଟତମ ବସ୍ତିଗୁଡିକର ପିଲାମାନଙ୍କୁ ଏକାଠି କରି ଶିକ୍ଷା ପ୍ରଦାନ ଏବଂ ସଚେତନତା ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରୁଛନ୍ତି ତାହା ଖୁବ୍ ପ୍ରଶଂସନୀୟ ବୋଲି ଡ. ଦାସ କହିଥିଲେ।
୨୦୦୭ ଅକ୍ଟୋବର ୧୧ ତାରିଖରେ ଏକ ମହତ ଉଦ୍ଦେଶ୍ୟ ନେଇ ଜାଗୋର ପ୍ରତିଷ୍ଠା କରାଯାଇଥିବାବେଳେ ସେ କାର୍ଯ୍ୟ ଖୁବ୍ ଭଲ ଭାବରେ ଗତ ୧୩ ବର୍ଷ ମଧ୍ୟରେ ସଂପାଦିତ ହୋଇ ପାରିଛି। ଚଳିତ ବର୍ଷ ମାର୍ଚ୍ଚ ମାସରେ ସାରା ଦେଶରେ କରୋନା ମହାମାରୀର କାୟା ବିସ୍ତାର ହୋଇଥିବାବେଳେ ଏହି ଘଡ଼ିସନ୍ଧି ମୁହୂର୍ତରେ ବଂଚିତ ପରିବାର ଗୁଡିକୁ ସାହାଯ୍ୟ, ସହଯୋଗ ଓ ସଚେତନ କରାଇବାର ଲକ୍ଷ୍ୟ ନେଇ ଆଗେଇ ଆସିଥିଲେ ଜାଗୋ ସଦସ୍ୟ । ବିଭିନ୍ନ ବସ୍ତି ଗୁଡିକରେ ଆବଶ୍ୟକୀୟ ସାମଗ୍ରୀ ବଂଟନ କରାଯାଇଥିବା ବେଳେ ଅନଲାଇନ ମାଧ୍ୟମରେ ବିଭିନ୍ନ ବସ୍ତିକୁ ଯାଇ ସଦସ୍ୟମାନେ ସଚେତନତା ସୃଷ୍ଟି କରାଇବା ସହ ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରିଥିଲେ।
ଆଗାମୀ ଦିନରେ ମଧ୍ୟ କରୋନା ମହାମାରୀକୁ ଦୃଷ୍ଟିରେ ରଖି ବିଭିନ୍ନ ଚିକିତ୍ସା ସମ୍ବନ୍ଧୀୟ ଓ ମାନସିକ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ପ୍ରତିଷ୍ଠା ଦିବସରେ ନିଷ୍ପତି ନିଆଯାଇଛି।
କାର୍ଯ୍ୟକ୍ରମ ଶେଷରେ ଜାଗୋର ସଂଯୋଜିକା ପ୍ରଫେସର ଅନିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡ. ଶାନ୍ତିଲତା ଚମ୍ପତି, ଡ. ସ୍ୱୟଂପ୍ରଭା ଶତପଥି, ଡ. ଦେବବ୍ରତ ସିଂ ଓ ଶ୍ରୀମତି ମୋନାଲିସା ମିଶ୍ର ମଧ୍ୟ ଉପସ୍ଥିତ ଥିଲେ। ଜାଗୋର ସଦସ୍ୟ ଓ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଅନଲାଇନରେ ସାଂସ୍କୃତିକ କାର୍ଯ୍ରକ୍ରମ ପରିବେଷଣ କରାଯାଇଥିଲା। ଏହି ଅନଲାଇନ କାର୍ଯ୍ୟକ୍ରମରେ ଅନେକ ଛାତ୍ରଛାତ୍ରୀ, ଜାଗୋ ସଦସ୍ୟ ଓ ଅଧ୍ୟାପକ, ଅଧ୍ୟାପିକା ମାନେ ଯୋଗ ଦେଇଥିଲେ।