ରାଜ୍ୟର ଟିକସଦାତାଙ୍କ ଅର୍ଥକୁ ଆତ୍ମସାତ୍ କରିଛନ୍ତି ରାଜ୍ୟ ସରକାର: ଗୋଲକ ମହାପାତ୍ର

ଭୁବନେଶ୍ୱର,୧୨/୧୦: ରାଜ୍ୟସରକାର ବିଭିନ୍ନ ବିଭାଗର ଅର୍ଥକୁ ହେରଫେର କରିଛନ୍ତି ବୋଲି ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି । ବିନିଯୋଗ ପ୍ରମାଣପତ୍ର (ୟୁସି) ଦାଖଲ କରିବାରେ ବିଳମ୍ବ ହୋଇଥିବାରୁ ୨୦୧୬-୧୭ ଏବଂ ୨୦୧୮-୧୯ରେ ୪୫,୩୪୦ କୋଟି ଟଙ୍କାର ୨୯,୧୩୮ କୋଟି ଟଙ୍କାର ୟୁସି ବାକି ପଡିଛି । ରାଜ୍ୟସରକାରଙ୍କ ବିଭିନ୍ନ ବିଭାଗର ଅଡିଟ ବେଳେ ସିଏଜି ୯୬୪ କୋଟି ୩୩ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ଚୋରି, ତୋଷାରପାତ, ଅପବ୍ୟବହାର ଭଳି ଗୁରୁତର ଅନିୟମିତତା ହୋଇଛି ବୋଲି ଦର୍ଶାଇଛନ୍ତି। ସିଏଜି ରିପୋର୍ଟ ରାଜ୍ୟସରକାରଙ୍କ ଅସଲ ମୁଖା ଖୋଲିଦେଇଛି। ବିଭିନ୍ନ ଅନିୟମିତତା ସଂପର୍କରେ ସିଏଜି ରାଜ୍ୟସରକାରଙ୍କୁ ଜବାବ ମାଗିଥିଲେ ମଧ୍ୟ ସରକାର କୌଣସି ଉତର ରଖିନଥିଲେ। ଏପରିକି ରେଗୁଲେସନ୍ ଅନ୍ ଅଡିଟ୍ ଆଣ୍ଡ ଆକାଉଂଟସ୍‌-୨୦୦୭କୁ ମଧ୍ୟ ରାଜ୍ୟସରକାର ଗୁରୁତ୍ୱ ଦେଇନଥିଲେ। ରାଜ୍ୟର ଟିକସଦାତାଙ୍କ ଅର୍ଥକୁ ରାଜ୍ୟସରକାର
ଆତ୍ମସାତ୍ କରି ଚାଲିଛନ୍ତି ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର ଅଭିଯୋଗ କରିଛନ୍ତି।

ଶ୍ରୀ ମହାପାତ୍ର କହିଛନ୍ତି ଯେ, ରାଜସ୍ୱ ବିପର୍ଯ୍ୟୟ ବିଭାଗରେ ସର୍ବାଧିକ ୨୪୪.୮୩ କୋଟି, ଗ୍ରାମଉନ୍ନୟନରେ ୧୧୫.୮୬ କୋଟି, ପଂଚାୟତିରାଜରେ ୧୬୦.୯୫ କୋଟି, ନଗର ଉନ୍ନୟନ ବିଭାଗର ୭୯.୮୬ କୋଟି, ଗୃହ ବିଭାଗର ୮୬.୦୭ କୋଟି
ଟଙ୍କାର ହିସାବ ରାଜ୍ୟସରକାର ଦେଇନାହାଁନ୍ତି। ୨୦୧୭ ଫେବୃଆରୀରୁ ୨୦୧୮ ଜୁଲାଇ ମଧ୍ୟରେ ହୋଇଥିବା ଅଡିଟ୍ ବେଳେ ୭ଟି ବିଭାଗ ଅଧୀନରେ ଥିବା କାର୍ଯ୍ୟାଳୟ ଦ୍ୱାରା ଖର୍ଚ୍ଚ ହୋଇଥିବା ୧୭.୦୩ କୋଟି ଟଙ୍କାର ଭାଉଚର ଉପଲବ୍ଧ କରାଯାଇପାରିନଥିଲା। (ପୃଷ୍ଠା-କେବଳ ସେତିକି ନୁହେଁ ଗରିବ ଲୋକଙ୍କୁ ବାର୍ଦ୍ଧକ୍ୟ ଭତା ବଂଟନ ଆଳରେ ଅନେକ ଅର୍ଥ ଆତ୍ମସାତ କରାଯାଇଛି। ପରୀକ୍ଷାମୂଳକଭାବେ ୯ଟି ପଂଟାୟତ ସମିତିରେ ମଧୁବାବୁ ପେନସନ ଯୋଜନାରେ ୭୨ଟି ଗାଁର ୧୫୦ଜଣ ମୃତ ହିତାଧିକାରୀଙ୍କ ବାର୍ଦ୍ଧକ୍ୟ ଭତାକୁ ଆତ୍ମସାତ୍ କରାଯାଇଛି।

ଏନେଇ ୨୦୧୮ ଜୁନ୍ ଓ ସେପ୍ଟେମ୍ବର ମାସରେ ପଂଚାୟତରାଜ ସଚିବଙ୍କୁ ଜବାବ ମଗାଯାଇଥିଲେ ମଧ୍ୟ ୨୦୨୦ ମାର୍ଚ୍ଚ ପର୍ଯ୍ୟନ୍ତ କୌଣସି ଉତର ମିଳିନିଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଭଦ୍ରକ, ବୋଲଗଡ, ଚିଲିକା, କୁଆଁରମୁଣ୍ଡା, କୁଜଙ୍ଗ, ସୁନ୍ଦରଗଡର ନୂଆଗାଁ, ଓଡଗାଁ, ପାଟଣାଗଡ ଓ ସାନଖେମୁଣ୍ଡି ବ୍ଲକର ୧୯ଟି ପଂଚାୟତର ୧୫୪୯୭ ଜଣ ହିତାଧିକାରୀଙ୍କ ରେକର୍ଡକୁ ଯାଂଚ ବେଳେ ୭୨ଟି ଗାଁର ୧୫୦ ଜଣ ମୃତ ହିତାଧିକାରୀଙ୍କ ଭତାବାବଦ ୨.୭୯ ଲକ୍ଷ ଟଙ୍କା ଆତ୍ମସାତ କରାଯାଇଥିବା ଜଣାପଡିଛି। ହିତାଧିକାରୀଙ୍କ ମୃତ୍ୟୁ ପରେ ବିତରଣ ଅଧିକାରୀମାନେ ବିତରଣ ପୁସ୍ତିକାରେ ଅନ୍ୟ ଲୋକଙ୍କ ଆଙ୍ଗୁଠି ଛାପ ନେଇ ଭତା ବଂଟନ କରୁଛନ୍ତି। ଏଥିରୁ ରାଜ୍ୟସରକାର ଏବଂ ତାଙ୍କ ଅଧିକାରୀମାନଙ୍କର ଦୂର୍ନୀତି ଲୋକଲୋଚନକୁ ଆସିଛି ବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି। ପଂଚାୟତରାଜ ଓ ପାନୀୟ ଜଳ ବିଭାଗରେ ଆବଂଟନ ନିୟନ୍ତ୍ରଣ ବ୍ୟାଙ୍କ ଖାତା ସହ କ୍ୟାସ ବହିର ମେଳ ନହେବା ଫଳରେ ୧ କୋଟି ୩ ଲକ୍ଷ ଟଙ୍କା ଆତ୍ମସାତ ହୋଇଛି। ଜମି ଉପଲବ୍ଧତାକୁ ସୁନିଶ୍ଚିତ ନକରି ରାସ୍ତା ନିର୍ମାଣ କାର୍ଯ୍ୟ ଅଧାରୁ ବନ୍ଦ ହେବା ଦ୍ୱାରା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ୫ କୋଟି ୩୧ଲକ୍ଷ ଟଙ୍କା ଅଯଥାରେ ବ୍ୟୟ ହୋଇଛି । ସେହିପରି ମଦ ଲାଇସେନ୍ସ ବାବଦରେ ଲାଇସେନ୍ସଧାରୀଙ୍କଠାରୁ ୧୦.୨୩ କୋଟିର ଅବକାରୀ ଶୁକ୍ଲ ଆଦାୟ କରାଯାଇନାହିଁ। ନୂଆପଡା ଜିଲ୍ଲାର ରେଶ୍ୱର ପଂଚାୟତର ପୂର୍ବତନ ସରପଂଚ ଓ ପଂଚାୟତ ନିର୍ବାହୀ ଅଧିକାରୀ ମିଶି ୩ ଲକ୍ଷ ଟଙ୍କାର ଭତା ଟଙ୍କା ହେରଫେର କରିଛନ୍ତି । ନୂଆପଡା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ବରିଷ୍ଠ କିରାଣୀ ଓ ପିଅନ ୭ଟି ବ୍ୟାଙ୍କ ଖାତାରୁ ଏକ କୋଟିରୁ ଅଧିକ ଟଙ୍କା ଆତ୍ମସାତ କରାଯାଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଜଳସଂପଦ ବିଭାଗରେ ଜଳର ଉପଲବ୍ଧତା ସୁନିଶ୍ଚିତ ନକରି ପ୍ରକଳ୍ପ କାର୍ଯ୍ୟ ସଂପାଦନ କରାଯିବା ଫଳରେ ୩୩.୨୨ କୋଟିର ବ୍ୟୟ ନିଷ୍ଫଳ ହୋଇଛି। ଏହା ସହ ଅତିରିକ୍ତ ସିମେଂଟ କଂକ୍ରିଟର ବ୍ୟବସ୍ଥା ଯୋଗୁଁ ପରିହାର୍ଯ୍ୟ ବ୍ୟୟ ୧୫.୫୨ କୋଟି ହୋଇଛି। ଯେଉଁ ସିମେଂଟ ବ୍ୟବହାର ହେବା କଥା ତାହା ନହୋଇ ନିମ୍ନମାନର ସିମେଂଟ ବ୍ୟବହାର ହେବା ଫଳରେ ସାଢେ ୧୫ କୋଟି ଟଙ୍କା ଅଧିକ ଖର୍ଚ୍ଚ ହୋଇଛି। ମୂଲ୍ୟାଙ୍କନ ଏବଂ ସ୍ୱଳ୍ପ ଶୁକ୍ଲ ହେତୁ ରାଜ୍ୟସରକାର ୭୯୫ କୋଟି ଟଙ୍କାର ରାଜସ୍ୱ ହାନୀ କରିଛନ୍ତି । ୨୭୫.୨୭ କୋଟି ବ୍ୟୟ ନକରି ମଧ୍ୟ ରାଜ୍ୟସରକାର ବିନିଯୋଗ ପ୍ରମାଣପତ୍ର କେନ୍ଦ୍ରସରକାରଙ୍କୁ ଦେଇ ବେଆଇନ କାର୍ଯ୍ୟପନ୍ଥାକୁ ଆପଣାଇଛନ୍ତି ବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି । କୋଇଲା ଦେୟ ମୂଲ୍ୟ ନିର୍ଦ୍ଧାରଣ କରିବା ସମୟରେ ୧୧୨.୨୬ କୋଟିର କ୍ଷତି ହୋଇଛି। ପଣ୍ୟ ବହି ଏବଂ ଚୁକ୍ତିଭିତିକ
ଯାନ କର ଏବଂ ଅତିରିକ୍ତ କର ବାବଦକୁ ୨୬ କୋଟି ୭୪ ଲକ୍ଷ ଏବଂ ଜରିମନା ବାବଦକୁ ୫୩ କୋଟି ୪୮ଲକ୍ଷ ଆଦାୟ ହୋଇନାହିଁ । ଘରୋଇ ସେବାଯାନ ଏବଂ ଶିକ୍ଷାନୁଷ୍ଠାନ ବସ୍ ଠାରୁ କର ବାବଦକୁ ୪ କୋଟି ଏବଂ ଜରିମନା ବାବଦକୁ ୮ କୋଟି ଟଙ୍କା ଆଦାୟ ହୋଇନି। ମହୁଲଫୁଲର ଅଭାବୀବିକ୍ରି ପାଇଁ ମହୁଲ ଫୁଲ ସଂଗ୍ରହକାରୀମାନେ ୬୦ କୋଟି ୬୩ଲକ୍ଷ ହରାଇଛନ୍ତି। ପ୍ରାମାଣିକ ବାର୍ଷିକ ସମୀକ୍ଷା ରିପୋର୍ଟ ଦାଖଲ ନକରିବାରୁ ବ୍ୟବସାୟୀଙ୍କ ବିରୁଦ୍ଧରେ ହୋଇଥିବା ୫ କୋଟି ଟଙ୍କାର ଜରିମନା ଆଦାୟ ହୋଇନାହିଁ କି ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ କାହିଁକି ନିଆଯାଇନାହିଁ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।

୨୦୧୭-୧୮ ବର୍ଷରେ ରାଜ୍ୟସରକାର ୩୬,୨୮୧.୭୯କୋଟି ଟଙ୍କା ସଂଗ୍‌ୃହିତ ରାଜସ୍ୱରୁ ୪୮,୮୯୨ କୋଟି କେନ୍ଦ୍ର
ସରକାରଙ୍କ ଠାରୁ ପ୍ରାପ୍ତ କରିଛନ୍ତି ଅର୍ଥାତ ଏହି ବର୍ଷରେ ରାଜ୍ୟସରକାରଙ୍କ ମୋଟ ରାଜସ୍ୱ ପ୍ରାପ୍ତି ୮୫,୧୭୩.୭୯ କୋଟି ଟଙ୍କା। ମୋଟ ରାଜସ୍ୱର ରାଜ୍ୟସରକାରଙ୍କ ଭାଗ ୪୨.୬୦ ହୋଇଥିବାବେଳେ କେନ୍ଦ୍ରସରକାରଙ୍କ ଭାଗ ୫୭.୪୦ ପ୍ରତିଶତ ରହିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

Spread the love