ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର: ପର୍ଯ୍ୟଟକଙ୍କୁ ଛାଡି ସମସ୍ତ ବିଦେଶୀ ଆସିପାରିବେ ଭାରତ

କେନ୍ଦ୍ର ଗୃହ ମନ୍ତ୍ରାଳୟ ଗୁରୁବାର ଦିନ ଏକ ବୟାନ୍ ଜାରି କରି ସମସ୍ତ ଓଭରସିଜ୍ ସିଟିଜେନ୍ ଅଫ୍ ଇଣ୍ଡିଆ (OCI) ଏବଂ ପର୍ସନ୍ ଅଫ୍ ଇଣ୍ଡିଆ ଓରିଜିନ୍ (PIO) ଜାର୍ଡ଼ ଧାରକ ଓ ଅନ୍ୟ ସମସ୍ତ ବିଦେଶୀ ନାଗରିକଙ୍କୁ ଭାରତ ଆସିବାକୁ ଅନୁମତି ଦେଇଛି। ମନ୍ତ୍ରାଳୟ କହିଛି ଯେ ସରକାର ପର୍ଯ୍ୟଟକ ଭିସା ଛାଡି, ସମସ୍ତ ଓସିଆଇ, ପିଆଇଓ କାର୍ଡ ଧାରକ ଓ ଅନ୍ୟ ବିଦେଶୀ ନାଗରିକଙ୍କୁ ଯେକୌଣସି ଉଦ୍ଦେଶ୍ୟରେ ଭାରତକୁ ଆସିବାକୁ ଅନୁମତି ଦେଇଛି। ଅଧିକୃତ ବିମାନବନ୍ଦର ଏବଂ ସିପୋର୍ଟ ଇମିଗ୍ରେସନ୍ ଚେକ୍ ପୋଷ୍ଟ ମାଧ୍ୟମରେ ଦେଶରେ ପ୍ରବେଶ କରିପାରିବେ।

ଏହାଛଡା ମନ୍ତ୍ରାଳୟ କହିଛି ଯେ ସରକାର ଇଲେକ୍ଟ୍ରୋନିକ, ପର୍ଯ୍ୟଟନ ଓ ଚିକିତ୍ସା ଶ୍ରେଣୀକୁ ଛାଡି ସମସ୍ତ ଭିସା ତତ୍କାଳ ପ୍ରଭାବକୁ ପୁନସ୍ଥାପନା କରିବାକୁ ନିଷ୍ପତ୍ତି ନେଇଛି। ଚିକିତ୍ସା ଉପଚାର ପାଇଁ ଭାରତ ଆସିବାକୁ ଇଛୁକ ବିଦେଶୀ ନାଗରିକ ମେଡିକାଲ ଭିସା ପାଇଁ ମେଡିକାଲ ଆଟେଣ୍ଡେଣ୍ଟ ସମେତ ଆବେଦନ କରିପାରିବେ।

ସବୁ ଯାତ୍ରୀଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଗାଇଡଲାଇନ୍ କଡାକଡି ଭାବେ ପାଳନ କରିବାକୁ ହେବ। ଏମଏଚଏ ଆହୁରି କହିଛି ଯେ ଯଦି ଭିସା ଅବଧି ସମାପ୍ତ ହୋଇଯାଇଛି ତାହେଲେ ଉପଯୁକ୍ତ ଶ୍ରେଣୀର ନୂଆ ଭିସା ଭାରତୀୟ ମିଶନ କିମ୍ବା ଡାକ ଦ୍ୱାରା ପ୍ରାପ୍ତ କରିପାରିବେ। କୋଭିଡ୍-୨୯କୁ ଦୃଷ୍ଟିରେ ରଖି ଭାରତ ସରକାର ଚଳିତ ବର୍ଷ ମାର୍ଚ୍ଚ ମାସରୁ ଅନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କ ଯିବା ଆସିବା ଉପରେ ରୋକ ଲଗାଇଥିଲେ।

ବିଦେଶରେ ବସ କରୁଥିବା ଓ ସେଠାକାର ନାଗରିକତା ପ୍ରାପ୍ତ କରିଥିବା ଭାରତୀୟଙ୍କ ପାଇଁ ଓସିଆଇ କାର୍ଡ ଜାରି କରାଯାଇଥାଏ। ଭାରତୀୟ ଗୃହ ମନ୍ତ୍ରାଳୟ ୱେବସାଇଟ ଅନୁଯାୟୀ, ଓସିଆଇ କାର୍ଡ ଧାରକଙ୍କ ପାଖରେ ଭାରତୀୟ ନାଗରିକଙ୍କ ଭଳି ସବୁ ଅଧିକାର ରହିଛି କିନ୍ତୁ ସେମାନେ ନିର୍ବାଚନ ଲଢ଼ି ପାରିବେନାହିଁ, ଭୋଟ ଦେଇପାରିବେନାହିଁ, ସରକାରୀ ଚାକିରୀ କିମ୍ବା ସାମ୍ବିଧାନିକ ପଦବୀରେ ରହି ପାରିବେନାହିଁ। ତା’ଛଡା ଚାଷ ଜମି ମଧ୍ୟ କିଣି ପାରିବେନାହିଁ। ଓସିଆଇ ଭାରତରେ ସାରା ଜୀବନ ରହିବାକୁ, କାମ କରିବାକୁ ଏବଂ ସବୁ ପ୍ରକାର ଆର୍ଥିକ ଲେଣଦେନ କରିବାକୁ ସୁବିଧା ଦେଇଥାଏ। ପିଆଇଓ କାର୍ଡ ପାସପୋର୍ଟ ଭଳି ୧୦ ବର୍ଷ ପାଇଁ ଜାରି କରାଯାଇଥାଏ।

Spread the love