କୋଣାର୍କରେ ନିର୍ମାଣ ହେବ ଧର୍ମପଦଙ୍କ ପ୍ରତିମୂର୍ତି

ପଥର ଦେହରେ ସୂକ୍ଷ୍ମ କାରୁକାର୍ଯ୍ୟକୁ ନେଇ ବିଶ୍ବ ଐତିହ୍ୟର ମାନ୍ୟତା ଲାଭ କରିଛି କୋଣାର୍କ ସୂର୍ଯ୍ୟ ମନ୍ଦିର। ସୂର୍ଯ୍ୟମନ୍ଦିର ନିର୍ମାଣ ସହିତ ଯୋଡ଼ି ହୋଇରହିଛି ଅନେକ ଐତିହାସିକ ଓ ପୌରାଣିକ ତଥ୍ୟ। ସେଥିରେ ରହିଛି ବାର ଶହ ଶିଳ୍ପୀକୁଳକୁ ରକ୍ଷା କରିବା ପାଇଁ ବଳିଦାନ ଦେଇଥିବା ବାରବର୍ଷର ବାଳକ ଧର୍ମପଦ। ତ୍ରୟୋଦଶ ଶତାଦ୍ଦୀରେ ଶିଳ୍ପୀକୁଳର ଗାରିମା ବଞ୍ଚାଇବା ପାଇଁ ବଳିଦାନ ଦେଇଥିବା ବାରବର୍ଷର ବାଳକ ଧର୍ମପଦର ଏକ ପ୍ରତିମୂର୍ତି କୋଣାର୍କରେ ନିର୍ମାଣ ପାଇଁ ଆଜି ଅନୁଷ୍ଠିତ ହୋଇଛି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ। ସଂସ୍କୃତିପ୍ରେମୀ ଉମେଶ ସ୍ବାଇଁଙ୍କ ଆବାହକତ୍ବରେ ଅନୁଷ୍ଠିତ ଏହି ବୈଠକରେ ସଭାପତିତ୍ବ କରିଥିଲେ ଆନ୍ତର୍ଜାତୀୟ ଖ୍ୟାତିସଂପନ୍ନ ପ୍ରସ୍ତରଶିଳ୍ପୀ ପଦ୍ମଶ୍ରୀ ପ୍ରଭାକର ମହାରଣା। ଅର୍କଶ୍ରୀ ଶିଳ୍ପୀ ବାଟିକା ପରିସରରେ ଅନୁଷ୍ଠିତ ଆଜିର ବୈଠକରେ ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରତିଷ୍ଠିତ ଶିଳ୍ପୀ, ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନର କର୍ମକର୍ତା ଏବଂ ସଂସ୍କୃତିପ୍ରେମୀ ଯୋଗ ଦେଇଥିଲେ। ବୈଠକରେ ଧର୍ମପଦ ଶିଳାଶିଳ୍ପୀ ସମନ୍ବୟ ସମିତି ନାମରେ ଏକ ସଂଗଠନ ଗଠନ କରିବାକୁ ନିଷ୍ପତ୍ତି ହୋଇଛି। ଆସନ୍ତା ଉତ୍କଳ ଦିବସରେ ଏହି କମିଟିର ପୂର୍ଣ୍ଣାଙ୍ଗ ରୂପରେଖ ପ୍ରସ୍ତୁତ କରାଯିବ।

ଆଜି ବୈଠକର ନିଷ୍ପତ୍ତି ଅନୁଯାୟୀ, 25 ଫୁଟ୍‌ ବ୍ୟାସ ପରିମିତ ଜାଗା ଉପରେ ଧର୍ମପଦଙ୍କ ପ୍ରତିମୂର୍ତି ନିର୍ମାଣ କରାଯିବ। ପ୍ରତିମୂର୍ତି ନିର୍ମାଣରେ ସୂର୍ଯ୍ୟମନ୍ଦିରର ପୂର୍ଣ୍ଣାଙ୍ଗ ଚୁଡ଼ା (ଦଧିନଉତି ଓ କଳସ)ର କାରୁକାର୍ଯ୍ୟ ପ୍ରଦର୍ଶିତ ହେବ। ଦଧିନଉତି ଉପରେ ଶିଳ୍ପୀ ବାଳକ ଧର୍ମପଦର ପୂର୍ଣ୍ଣାଙ୍ଗ ଅବୟବ ପ୍ରତିମୂର୍ତି ଦୃଶ୍ୟମାନ ହେବ। ଦଧିନଉତିର ପାଦଦେଶରେ ବାରଶହ ବଢ଼େଇ ଓ ବଳିଆ କୁକୁରର ଦୃଶ୍ୟ ସ୍ଥାନ ପାଇବ। ଏଥି ପାଇଁ ରାଜ୍ୟର ସମସ୍ତ ଶିଳ୍ପୀ ସମୂହଙ୍କ ସହଯୋଗ ନିଆଯିବ ବୋଲି ପଦ୍ମଶ୍ରୀ ପ୍ରଭାକର ମହାରଣା କହିଥିଲେ। ଏ ସଂପର୍କରେ ରାଜ୍ୟ ପର୍ଯ୍ୟଟନ, ସଂସ୍କୃତି ବିଭାଗ ସହିତ ରାଜସ୍ବ ବିଭାଗକୁ ମଧ୍ୟ ଧର୍ମପଦ ଶିଳାଶିଳ୍ପୀ ସମନ୍ବୟ ସମିତି ପକ୍ଷରୁ ପତ୍ର ଲେଖାଯିବ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କୋଣାର୍କ ସାହିତ୍ୟ ସଂସଦର ସଂପାଦକ ରବିନ୍ଦ୍ରନାଥ ବାହିନୀପତି, ଶିଳ୍ପୀ ଲିଙ୍ଗରାଜ ମହାରଣା, ରତ୍ନାକର ମହାରଣା, ଉପେନ୍ଦ୍ର ମହାରଣା, ଧ୍ରୁବଚରଣ ସ୍ବାଇଁ, ଶଙ୍କର୍ଷଣ ସେଠୀ, କୋଣାର୍କ ଐତିହ୍ୟ ପରିଷଦର ସଦସ୍ୟ ସୁବାସ ବରାଳ, ପ୍ରଫୁଲ୍ଲ ପାତ୍ର, ନିରଂଜନ ସାହୁ, ରାମକୃଷ୍ଣ ମହାନ୍ତି, ସୁବାସ ନାୟକଙ୍କ ସମେତ ବିଭିନ୍ନ ସଂଗଠନର କର୍ମକର୍ତାମାନେ ଉପସ୍ଥିତ ଥିଲେ।

Spread the love