ସମଗ୍ର ଦେଶରେ କେନ୍ଦ୍ରୀୟ ବିଦ୍ୟାଳୟରେ ଆଡ୍‌ମିସନ୍‌ ଲାଗି ମନ୍ତ୍ରୀଙ୍କ ଅନୁମୋଦନ ସୀମା ଉଠିଲା

କେନ୍ଦ୍ର ସରକାରଙ୍କ ପରିଚାଳିତ ଦେଶବ୍ୟାପୀ ଥିବା କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକରେ ନାମ ଲେଖାଇବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସର୍ବାଧିକ 450ଟି ଅନୁମୋଦନକୁ ଏହି ସ୍କୁଲ୍‌ଗୁଡ଼ିକର ବୋର୍ଡ ଅଫ୍‌ ଗଭର୍ଣ୍ଣର୍‌ର୍ସ ଉଠାଇ ଦେଇଛନ୍ତି। କିନ୍ତୁ, ଏଥିପାଇଁ ବୋର୍ଡ ଗୋଟାଏ ସର୍ତ୍ତ ମଧ୍ୟ ରଖିଛି। ତାହା ହେଲା ଯଦି ଶ୍ରେଣୀରେ 50 ଜଣ ଛାତ୍ରଛାତ୍ରୀ ନ ଥିବେ ସେ କ୍ଷେତ୍ରରେ ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କ କୋଟାରେ ନାମ ଲେଖାଇବାକୁ ଅନୁମତି ମିଳିବ।ଫେବ୍ରୁଆରି 20 ତାରିଖ ଦିନ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନର ବୋର୍ଡ ଅଫ୍‌ ଗଭର୍ଣ୍ଣର୍ସଙ୍କ ଏକ ବୈଠକରେ ଏ କଥା ସ୍ଥିର କରାଯାଇଛି। ଏଡି ବୋର୍ଡର ଅଧ୍ୟକ୍ଷ ହେଉଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଡ୍‌କର। 

ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଆସନ୍ତା ଶିକ୍ଷାବର୍ଷ ଠାରୁ ସର୍ବାଧିକ 450 ଅନୁମୋଦନକୁ ଉଠାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି। କାରଣ ଏହାର ବାସ୍ତବ ଉପଯୋଗ ହୋଇ ପାରୁ ନ ଥିବା ଜଣା ପଡ଼ିଲା। ଗରିବ ଓ ଅଭାବଗ୍ରସ୍ତମାନଙ୍କୁ ନାମ ଲେଖାଇବାକୁ ସୁଯୋଗ ଦେବା ଲାଗି ଏହା ବ୍ୟବହାର କରାଯାଉଥିଲା। 

ଏହା କୋଟା ଉପରେ କୋଟା ପରି ଜଣାପଡ଼ିଲା। 450 ଅନୁମୋଦନ ସୀମା ସତ୍ତ୍ୱେ 2018-19 ଶିକ୍ଷାବର୍ଷରେ ମାନବସମ୍ବଳ ମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ସମୁଦାୟ 8, 952 ଜଣଙ୍କର ନାମ ଲେଖାଯାଇଛି। ଶିକ୍ଷା ଦାନର ମାନ ଦୃଷ୍ଟିରୁ ଗୋଟିଏ ଶ୍ରେଣୀଗୃହରେ 50ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇବାକୁ ଅନୁମତି ନ ଦେବାକୁ ବୋର୍ଡ ନିଷ୍ପତ୍ତି ଗ୍ରହଣ କରିଥିଲା।

Spread the love