ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଗୋପାଳନ ନିମନ୍ତେ ପର୍ଯ୍ୟାପ୍ତ ରିହାତିର ବ୍ୟବସ୍ଥା କରାଯାଇଛି’ : ମନ୍ତ୍ରୀ ଅରୁଣ ସାହୁ

ଭୁବନେଶ୍ୱର, ୨୦/୧୧: ରାଜ୍ୟରେ ଦୁଗ୍ଧ ଓ ଦୁଗ୍ଧଜାତୀୟ ଖାଦ୍ୟର ପର୍ଯ୍ୟାପ୍ତ ଚାହିଦା ରହିଥିବାରୁ ଗୋପାଳନ କରି ଆତ୍ମନିଯୁକ୍ତି ପାଇବା ସହିତ ଚାଷୀଙ୍କର ଆୟ ବୃଦ୍ଧିର ସୁଯୋଗ ରହିଛି। ବର୍ଦ୍ଧିତ ଜନସଂଖ୍ୟାର ଖାଦ୍ୟର ଆବଶ୍ୟକତା ମେଣ୍ଟାଇବା ସହିତ ଲୋକମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇଦେବା ନିମନ୍ତେ ଗୋପାଳନ ଏକ ବିସ୍ତୃତ କ୍ଷେତ୍ର ଯାହାର ସଠିକ୍‌ ଉପଯୋଗ କରିବା ପାଇଁ ଯୁବକଯୁବତୀ ଓ ଚାଷୀମାନେ ଆଗେଇ ଆସନ୍ତୁ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।

ଆଜି ପୂର୍ବାହ୍ନରେ ଓଡ଼ିଶା ପ୍ରାଣୀଚିକିତ୍ସା ପରିଷଦ ପରିସରରେ ଆୟୋଜିତ ୬୯ତମ ରାଜ୍ୟସ୍ତରୀୟ ଗୋସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଡ. ସାହୁ କହିଲେ ଚାଷୀମାନଙ୍କର ଆୟକୁ ଦ୍ୱିଗୁଣିତ ଏବଂ ବହୁଗୁଣିତ କରିବା ଦିଗରେ ସରକାର କୃଷି ସହିତ ଆନୁଷଙ୍ଗିକ କ୍ଷେତ୍ର, ଗୋପାଳନ, ମତ୍ସ୍ୟଚାଷ, କୁକୁଡ଼ାଚାଷ ଆଦିର ବିକାଶ ନିମନ୍ତେ ଅନେକ ଯୋଜନା ପ୍ରଣୟନ କରି ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଯୋଗାଇ ଦେଇଛନ୍ତି, ଯାହାର ଲାଭ ଚାଷୀମାନେ ପାଇବା ଦରକାର। କୋଭିଡ୍‌-୧୯ ସ୍ଥିତିରେ ଓଡ଼ିଶାର କୃଷକମାନଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ଲୋକମାନଙ୍କର ଖାଦ୍ୟ ନିରାପତ୍ତାକୁ ସୁଦୃଢ଼ କରାଯାଇଛି। କୋଭିଡ୍‌-୧୯ ଯୋଗୁଁ ବାହାର ରାଜ୍ୟକୁ ଫେରିଥିବା ପ୍ରବାସୀମାନେ କୃଷି ଓ ଆନୁଷଙ୍ଗିକ କୃଷି ପ୍ରତି ଆଗ୍ରହ ପ୍ରକାଶ କରୁଥିବାବେଳେ ସେମାନଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବା ଦିଗରେ କ୍ଷେତ୍ରସ୍ତରର ଅଧିକାରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ ।

ପଶୁପକ୍ଷୀ ଗଣନା ଅନୁଯାୟୀ ରାଜ୍ୟରେ ଗାଈଗୋରୁଙ୍କ ସଂଖ୍ୟା ବୃଦ୍ଧି ପାଇଥିବାବେଳେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ୨୦୧୮-୧୯ ବର୍ଷରେ ଦୈନିକ ହାରାହାରି ୬୩ ଲକ୍ଷ ଲିଟର ଥିବାବେଳେ ୨୦୧୯-୨୦ ବର୍ଷରେ ଏହା ୬୪ ଲକ୍ଷ ଲିଟରକୁ ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଗୋପାଳନ ନିମନ୍ତେ ପର୍ଯ୍ୟାପ୍ତ ସୁଯୋଗ ଓ ରିହାତିର ବ୍ୟବସ୍ଥା କରାଯାଇଛି। ଏଥିସହିତ ଦୁଗ୍ଧ ଉତ୍ପାଦନ ଖର୍ଚ୍ଚ ହ୍ରାସ ନିମନ୍ତେ ଚାଷୀମାନେ ସବୁଜ ଘାସ ଚାଷ କରିବା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ବିଗତ ବର୍ଷ ରାଜ୍ୟରେ ୧୮,୯୪୨ ଗୋଟି ଘାସ ମଞ୍ଜି କିଟ୍‌ ସବୁଜ ଘାସ ଚାଷ ନିମନ୍ତେ ଗୋପାଳକଙ୍କୁ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଛି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ ।

ଉତ୍ସବରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଆର୍‌. ରଘୁପ୍ରସାଦ ଉଦ୍‌ବୋଧନ ଦେଇ କହିଲେ ରାଜ୍ୟରେ ସରକାରଙ୍କ ସୁଦୂରପ୍ରସାରୀ ପ୍ରଜନନ କାର୍ଯ୍ୟକ୍ରମ ଦ୍ୱାରା ବିଗତବର୍ଷରେ ୧୪.୩୯୫ ଲକ୍ଷ କୃତି୍ରମ ପ୍ରଜନନ କରାଯାଇଥିଲା। ଏହି କୃତି୍ରମ ପ୍ରଜନନ ମାଧ୍ୟମରେ ୫.୬୩ ଲକ୍ଷ ବାଛୁରି ଜନ୍ମ ହୋଇଛନ୍ତି । ବିଗତ ବର୍ଷମାନଙ୍କରେ ରାଜ୍ୟରେ ଶଙ୍କର ଜାତୀୟ ଗାଈଗୋରୁଙ୍କ ସଂଖ୍ୟା ବୃଦ୍ଧି ପାଇଛି । ପ୍ରତିଷେଧକ ଓ ରୋଗ ନିରାକରଣ ନିମନ୍ତେ ୩୭୩.୩୪ ଲକ୍ଷ ଟୀକା ଦିଆଯାଇଛି । ପ୍ରାଣୀ ସ୍ୱାସ୍ଥ୍ୟସେବା ବାବଦରେ ୧୦୮.୬୮ ଲକ୍ଷ ପ୍ରାଣୀଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି ବୋଲି ସଚିବ ଆର୍‌. ରଘୁପ୍ରସାଦ କହିଥିଲେ । ଉତ୍ସବରେ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ  ରତ୍ନାକର ରାଉତ ସ୍ୱାଗତ ଭାଷଣ ପ୍ରଦାନ ସହିତ ଗୋସମ୍ବର୍ଦ୍ଧନା ସପ୍ତାହ ପାଳନର ମହତ୍ତ୍ୱ ସଂପର୍କରେ ଆଲୋକପାତ କରିଥିଲେ ।

ରାଜ୍ୟରେ ୬୯ତମ ଗୋସମ୍ବର୍ଦ୍ଧନା ସପ୍ତାହ ନଭେମ୍ବର ୧୬ ତାରିଖଠାରୁ ୨୨ ତାରିଖ ପର୍ଯ୍ୟନ୍ତ ପାଳିତ ହେଉଥିବାବେଳେ ପ୍ରତିଜିଲ୍ଲାରେ ସାମାଜିକ ଦୂରତ୍ୱ ରକ୍ଷା କରି ଏବଂ କୋଭିଡ୍‌-୧୯ର ମାର୍ଗଦର୍ଶିକା ପାଳନ କରି ଗୋଚିକିତ୍ସା ଶିବିର, ଗୋସମ୍ବର୍ଦ୍ଧନା, କୃଷକ ସଚେତନତା ଓ ପ୍ରଶିକ୍ଷଣ ଶିବିର ଆଦି କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଆଜିର ରାଜ୍ୟ ସ୍ତରୀୟ ଗୋସମ୍ବର୍ଦ୍ଧନା ଉତ୍ସବ ଓ କୃଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲାର ଗୋପାଳକ ଭାଇଭଉଣୀଙ୍କ ସମେତ ଜିଲ୍ଲା, ଉପଖଣ୍ଡ ଓ ବ୍ଲକ୍‌ସ୍ତରୀୟ ଅଧିକାରୀମାନେ ଭର୍ଚୁଆଲ୍‌ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ। ଉତ୍ସବରେ ଉପଖଣ୍ଡ ପ୍ରାଣୀଚିକିତ୍ସା ଅଧିକାରୀ  ଶଶିଭୂଷଣ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଡ. ସାହୁ ଗୋପାଳକମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଗୋପୂଜନ କରିଥିଲେ ।

Spread the love