ଆଜିଠୁ ଯୁକ୍ତ 2 ପରୀକ୍ଷା : ପରୀକ୍ଷା ଦେବେ 3 ଲକ୍ଷ 69ହଜାର 537 ଛାତ୍ରଛାତ୍ରୀ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ +2 ପରୀକ୍ଷା ଗୁରୁବାରଠାରୁ ଆରମ୍ଭ ହେବ। ପ୍ରଥମ ଦିନ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଏମ୍‌ଆଇଏଲ୍‌(ଓଡ଼ିଆ) ବିଷୟ ପରୀକ୍ଷା ଥିବା ବେଳେ ଶୁକ୍ରବାରଠାରୁ କଳା ବିଭାଗର ପରୀକ୍ଷା ଆରମ୍ଭ ହେବ। ମାଟ୍ରିକ୍‌ ପରୀକ୍ଷାରେ ପ୍ରତିଦିନ ପ୍ରଶ୍ନପତ୍ର ଭାଇରାଲ ହୋଇଥିବାରୁ ଯୁକ୍ତ2 ପରୀକ୍ଷା ସମୟରେ ଯେମିତି ସେଭଳି ଘଟଣା ନ ହୁଏ ସେଥିପାଇଁ ପରୀକ୍ଷା ହଲ୍‌କୁ ମୋବାଇଲ୍‌ ଏବଂ ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ ନେବା ଉପରେ କଟକଣା ଜାରି ହୋଇଛି। ପ୍ରଶ୍ନପତ୍ର ଭାଇରାଲ୍‌ କିମ୍ବା ପରୀକ୍ଷା ଚାଲିଥିବା ସମୟରେ ଯଦି ଲିକ୍‌ ହୁଏ ତେବେ ସଙ୍ଗେ ସଙ୍ଗେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଜେଲ୍‌ ସହ ଜରିମାନା ମଧ୍ୟ ହୋଇପାରେ। ଚଳିତବର୍ଷ 1556ଟି ଜୁନିଅର କଲେଜର 3 ଲକ୍ଷ 69ହଜାର 537ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏଥିପାଇଁ 1091ଟି ପରୀକ୍ଷା କେନ୍ଦ୍ର ହୋଇଛି। କଳା ବିଭାଗରେ ସର୍ବାଧିକ 2ଲକ୍ଷ 35 ହଜାର 183ଜଣ, ବିଜ୍ଞାନରେ 99ହଜାର 18ଜଣ, ବାଣିଜ୍ୟରେ 27 ହଜାର 278 ଜଣ ଓ ଧନ୍ଦାମୂଳକ ଶିକ୍ଷାରେ 8 ହଜାର 58ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ପରୀକ୍ଷାର ସୁପରିଚାଳନା ପାଇଁ 202ଟି ହବ୍‌ ହୋଇଛି। ସମସ୍ତ ହବ୍‌ରେ 24 ଘଣ୍ଟା ସୁରକ୍ଷା ବ୍ୟବସ୍ଥା ସହ ପୁଲିସ ମୁତୟନ କରାଯାଇଛି। ପରୀକ୍ଷା ଆରମ୍ଭ ହେବାର ଘଣ୍ଟାଏ ପୂର୍ବରୁ ହବ୍‌ରୁ ପ୍ରଶ୍ନପତ୍ର ବାହାରି ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ। ବୁଧବାର ସନ୍ଧ୍ୟା ସୁଦ୍ଧା 951 ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିଛି। ଆଉ ପ୍ରାୟ 150 କେନ୍ଦ୍ରରେ ଭିତ୍ତିଭୂମି ଅଭାବରୁ ସିସିଟିଭି ଲାଗିପାରିନି। ଯେଉଁଠି ସିସିଟିଭି ଲାଗିନି ତାହାକୁ ସମ୍ବେଦନଶୀଳ କେନ୍ଦ୍ର ବୋଲି ଘୋଷଣା କରାଯାଇଛି। ‌ସେହି କେନ୍ଦ୍ରଗୁଡ଼ିକୁ ଅଧିକ ସଂଖ୍ୟକ ସ୍କ୍ବାଡ୍‌ ପଠାଇବାକୁ ନିଷ୍ପତ୍ତି ହୋଇଛି। ପରୀକ୍ଷା ସମ୍ପର୍କିତ ସୂଚନା ତଥା ଅଭିଯୋଗ ଲାଗି 24 ଘଣ୍ଟିଆ କଣ୍ଟ୍ରୋଲରୁମ୍‌(ନମ୍ବର 0674-2303803 ଏବଂ 0674-2300099) ଖୋଲାଯାଇଛି। ଯଦି କୌଣସି ପରୀକ୍ଷାର୍ଥୀ କିମ୍ବା ଅଭିଭାବକଙ୍କର ‌କିଛି ସମସ୍ୟା ଥିବ ‌ସେମାନେ ଉକ୍ତ ନମ୍ବରରେ ଯୋଗାଯୋଗ କରିପାରିବେ।

କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ବାଡ୍‌ ବ୍ୟବସ୍ଥା ହୋଇଛି। କେନ୍ଦ୍ରୀୟ, ଜୋନାଲ୍‌ ଓ ଜିଲ୍ଲାସ୍ତରୀୟ ସ୍କ୍ବାଡ୍‌ ଗଠନ ହୋଇଛି। ଏହି ସ୍କ୍ବାଡ୍‌ ସମସ୍ତ ପରୀକ୍ଷା କେନ୍ଦ୍ର ଉପରେ ଅଚାନକ ଚଢ଼ଉ କରିବେ। ହବ୍‌ରୁ ପ୍ରଶ୍ନପତ୍ର ନେଇ ପରୀକ୍ଷା କେନ୍ଦ୍ରକୁ ଯାଉଥିବା ଅଧ୍ୟାପକମାନଙ୍କୁ ବି ସ୍କ୍ବାଡ୍‌ ଭାବେ ନିୟୋଜିତ କରାଯିବ। ସେମାନେ ସେଠାରେ ଉପସ୍ଥିତ ରହିବେ। ଛାତ୍ରଛାତ୍ରୀ ପରୀକ୍ଷା‌ କେନ୍ଦ୍ରକୁ ‌ଯେପରି ମୋବାଇଲ୍‌, ସ୍ମାର୍ଟ ଘଣ୍ଟା, କ୍ୟାମେରା ପେନ୍ ଏବଂ କୌଣସି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ନେଇ ନଯିବେ ସେଥିପାଇଁ କଡ଼ାକଡ଼ି ଯାଞ୍ଚ କରାଯିବ। ନିରୀକ୍ଷକମାନେ ବି ପରୀକ୍ଷା ହଲ୍‌କୁ ମୋବାଇଲ୍ ନେଇପାରିବେନି। ପରୀକ୍ଷା କେନ୍ଦ୍ର ସୁପରିନ୍‌ଟେଣ୍ଡେଣ୍ଟ କେବଳ ମୋବାଇଲ୍‌ ବ୍ୟବହାର କରିବେ। ସମସ୍ତ ନିରୀକ୍ଷକ କେନ୍ଦ୍ର ସୁପରିନ୍‌ଟେଣ୍ଡେଣ୍ଟଙ୍କ ନିକଟରେ ମୋବାଇଲ୍‌ ସୁଇଚ୍‌ ଅଫ୍ କରି ଦାଖଲ କରିବେ। ସୁପରିନ୍‌ଟେଣ୍ଡେଣ୍ଟ୍‌ ଏହା ନିଶ୍ଚିତ କରିବା ପରେ ନିରୀକ୍ଷକଙ୍କୁ ପରୀକ୍ଷା ହଲ୍‌କୁ ଛଡ଼ାଯିବ। କର୍ମଚାରୀମାନେ ବି କେନ୍ଦ୍ର ସୁପରିନ୍‌ଟେଣ୍ଡେଣ୍ଟଙ୍କ ନିକଟରେ ମୋବାଇଲ୍‌ ଦାଖଲ କରିବାକୁ କୁହାଯାଇଛି। ଅଧ୍ୟାପିକାମାନେ ହିଁ କେବଳ ଛାତ୍ରୀଙ୍କୁ ଯାଞ୍ଚ କରିବେ। ପରୀକ୍ଷା କେନ୍ଦ୍ର ନିକଟରେ ଯେପରି ଅଭିଭାବକ ଏକାଠି ନ ହୁଅନ୍ତି ସେଥିପ୍ରତି ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଛି। ଦରକାର ପଡ଼ିଲେ ପରୀକ୍ଷା କେନ୍ଦ୍ର ସୁପରିନ୍‌ଟେଣ୍ତେଣ୍ଟ ସ୍ଥାନୀୟ ପୁଲିସର ସହାୟତା ନେଇପାରିବେ। ପରୀକ୍ଷା କେନ୍ଦ୍ରର କୌଣସି ଅଧ୍ୟାପକ ଓ କର୍ମଚାରୀ କପି ଯୋଗାଣରେ ସମ୍ପୃକ୍ତ ଥିବା ନଜରକୁ ଆସେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପରିଷଦର ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ସୂଚନା ଦେଇଛନ୍ତି।

Spread the love