ଭିକ୍ଷୁକ ମୁକ୍ତ ହେବ ଏକାମ୍ରକ୍ଷେତ୍ର

ଭୁବନେଶ୍ୱର, ଭୁବନେଶ୍ୱରକୁ ମନ୍ଦିରମାଳିନୀ ସହରର ପରିଚୟ ମିଳିଥିବାବେଳେ ଏକାମ୍ରକ୍ଷେତ୍ରକୁ ଐତିହ୍ୟ ହବ୍ ହେବ। ଲିଙ୍ଗରାଜଙ୍କ ବିକାଶ କାର୍ଯ୍ୟକୁ ଅଧିକରୁ ଅଧିକ ତ୍ୱରାନ୍ୱିତ କରାଯିବ। ପାରିପାଶ୍ୱିର୍କ ସୌନ୍ଦର୍ଯ୍ୟକରଣଠାରୁ ଆରମ୍ଭ କରି, ଚଉଡା ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ବିକାଶ କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ଜମି ଅଧିଗ୍ରହଣ କାର୍ଯ୍ୟ ସରିବ ବୋଲି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ମଙ୍ଗଳବାର ପ୍ରକାଶ କରିଛି।
ଏଯାବତ୍ ଲିଙ୍ଗରାଜ ବିକାଶ ଯୋଜନା (ଏକାମ୍ର)ରେ ୯୦% ଲୋକଙ୍କଠାରୁ ଜମି ଅଧିଗ୍ରହଣ କାର୍ଯ୍ୟ ସରିଯାଇଛି। ବାକି ଥିବା ଜମିକୁ ଡିସେମ୍ବର ଶେଷ ସୁଦ୍ଧା ଅଧିଗ୍ରହଣ କାର୍ଯ୍ୟ ପୁରା ହେବ ବୋଲି ନୋଡାଲ ଅଧିକାରୀ ତଥା ବିଏମସି ଡେପୁଟି କମିଶନର କମଲଜିତ୍ ଦାସ କହିଛନ୍ତି। ସେହିପରି ବର୍ତ୍ତମାନ ସାନିଟାରିଅମ୍ ଛକରୁ ଲିଙ୍ଗରାଜ ମନ୍ଦିର ଯାଏ ଏକ ୬୦ ଫୁଟ୍ର ରାସ୍ତା ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏହି ରାସ୍ତା ନିର୍ମାଣ ସରିଲେ ଶ୍ରଦ୍ଧାଳୁ ସୁଗମ ଭାବେ ମନ୍ଦିର ନିକଟରେ ପହଞ୍ଚିପାରିବେ। ଏଥିସହ ମହା ଶିବରାତ୍ରୀ ସମୟରେ କିପରି ଭକ୍ତମାନେ ସୁବିଧା ଭାବେ ଦର୍ଶନ ହୋଇପାରିବ ବୋଲି ବିଏମ୍ସି ପକ୍ଷରୁ ପ୍ରକାଶ କରାଯାଇଛି।
ଅନ୍ୟପକ୍ଷେ କିପରି ଅଧିଗ୍ରହଣ କାର୍ଯ୍ୟ କରୋନା କଟକଣା ସମୟରେ ସୁରୁଖୁରୁରେ ହୋଇପାରିବ ସେଥିପ୍ରତି ବିଏମ୍ସି ଧ୍ୟାନ ଦେଇଛି। ବିଏମସି କର୍ତ୍ତୃପକ୍ଷ ଏବେ ଅଧିଗ୍ରହଣ କାର୍ଯ୍ୟ ସାରିବାକୁ ଲୋକଙ୍କ ଘରକୁ ଯିବା ସହ କୋଭିଡ୍ ଗାଇଡ୍ଲାଇନ୍ ପାଳନ କରି ଜମି ମାଲିକଙ୍କଠାରୁ ଦସ୍ତଖତ କରୁଥିବା ବିଏମସି ପକ୍ଷରୁ ପ୍ରକାଶ ପାଇଛି। ଏହାବ୍ୟତୀତ ଏକାମ୍ରକ୍ଷେତ୍ରରେ ଥିବା ବ୍ୟବସାୟୀମାନଙ୍କୁ ନୂଆ ସାଇନ୍ଏଜ୍କୁ ପ୍ରତିଷ୍ଠାନ ବାହାରେ ଲଗାଇବାକୁ ଅନୁରୋଧ କରାଯାଇଥିବା ଜଣାପଡ଼ିଛି।
ସେହିପରି ଅନ୍ୟ ଏକ ଯୋଜନା ଭାବେ ଏକାମ୍ର କ୍ଷେତ୍ରକୁ ଭିକାରୀ ମୁକ୍ତ କରିବାକୁ ବିଏମସି ନିଷ୍ପତ୍ତି ନେଇଛି। ବର୍ତ୍ତମାନ ସମ୍ପୃକ୍ତ ଅଞ୍ଚଳରେ ଥିବା ଭିକ୍ଷୁକମାନଙ୍କୁ ରାଜ୍ୟ ସରକାରଙ୍କ ‘ସହାୟ’ ଯୋଜନାରେ ଥଇଥାନ କରାଯାଇ ସମାଜର ମୁଖ୍ୟ ଶ୍ରୋତରେ ସାମିଲ କରିବାକୁ ଚେଷ୍ଟା କରାଯିବ ବୋଲି ବିଏମସି କହିଛି।

Spread the love