ତାମିଲନାଡୁରେ ‘ସିବିଆଇ’ ହେପାଜତରେ ଥିବା ୪୫ କୋଟି ଟଙ୍କାର ସୁନା ଗାଏବ

ଏକ ଚଢ଼ାଉରୁ ଜବତ କରାଯାଇ ‘ସିବିଆଇ’ ହେପାଜତରେ ଥିବା ପ୍ରାୟ ୪୫ କୋଟି ଟଙ୍କା ମୂଲ୍ୟର ୧୦୩ କିଲୋରୁ ଅଧିକ ସୁନା ଗାଏବ ହୋଇଯାଇଛି। ଶୁକ୍ରବାର ଦିନ ମାଡ୍ରାସ ହାଇକୋର୍ଟ ଏହି ଘଟଣାର ତଦନ୍ତ ଭାର ତାମିଲନାଡୁର ‘ସିବି-ସିଆଡି’କୁ ଦେବା ପରେ ଘଟଣାଟି ଲୋକଲୋଚନକୁ ଆସିଛି।
୨୦୧୨ରେ ଚେନ୍ନାଇର ସୁରନା କର୍ପୋରେସନ୍‌ ଲିମିଟେଡ୍‌ କାର୍ଯ୍ୟାଳୟରେ ଚଢ଼ାଉ କରି ‘ସିବିଆଇ’ ଜବତ କରିଥିବା ୪୦୦.୫ କିଲୋ ସୁନା ବିସ୍କୁଟ୍‌ ଓ ସୁନା ଅଳଙ୍କାରର ଅଂଶବିଶେଷ। ‘ସିବିଆଇ’ର ‘ଲକ୍‌’ ଓ ‘ସିଲ୍‌’ରେ ଜବତ ହୋଇଥିବା ଏହି ସୁନା ସୁରନାର ‘ଲକର୍‌’ରେ ଥିଲା।
‘ସିବିଆଇ’ ମାମଲା ପାଇଁ ଚେନ୍ନାଇରେ ଥିବା ପ୍ରମୁଖ ସ୍ୱତନ୍ତ୍ର ଅଦାଲତଙ୍କୁ ଉକ୍ତ ‘ଲକର୍‌’ର ୭୨ଟି ଚାବି ହସ୍ତାନ୍ତର କରାଯାଇଥିଲା ବୋଲି ‘ସିବିଆଇ’ କହିଛି। ଜବତ ସମୟରେ ଏକତ୍ର କରାଯାଇ ସୁନା ବିସ୍କୁଟ୍‌ଗୁଡ଼ିକୁ ଓଜନ କରାଯାଇଥିଲା। କିନ୍ତୁ, ସୁରନା ଏବଂ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ ମଧ୍ୟରେ ଥିବା ଋଣ ପରିଶୋଧ ମାମଲାରେ ନିଯୁକ୍ତ ‘ଲିକୁଇଡେଟର୍‌ଙ୍କୁ’ ଜବତ ସୁନା ହସ୍ତାନ୍ତର କରାଯିବା ବେଳେ ସୁନା ବିସ୍କୁଟ୍‌ଗୁଡ଼ିକୁ ଗୋଟି ଗୋଟି କରି ଓଜନ କରାଯିବାରୁ ସମୁଦାୟ ଓଜନ କମ୍‌ ହୋଇଥିଲା।

ଏଭଳି ସଫେଇକୁ ଗ୍ରହଣ ନ କରି ଜଣେ ଏସ୍‌ପି ପାହ୍ୟାର ଅଧିକାରୀଙ୍କଦ୍ୱାରା ଛଅ ମାସ ମଧ୍ୟରେ ଏହି ଘଟଣାର ତଦନ୍ତ ଶେଷ କରିବାକୁ ବିଚାରପତି ପ୍ରକାଶ ‘ସିବି-ସିଆଇଡି’କୁ ନିର୍ଦେଶ ଦେଇଛନ୍ତି। ସ୍ଥାନୀୟ ପୁଲିସ ଦ୍ୱାରା ଯଦି ଏହି ତଦନ୍ତ କରାଯାଏ ତେବେ ତା’ର ସମ୍ମାନହାନୀ ହେବ ବୋଲି ‘ସିବିଆଇ’ ବିଚାରପତି ପ୍ରକାଶଙ୍କୁ କହିଛି।

ଏହାର ଉତ୍ତରରେ ବିଚାରପତି ପ୍ରକାଶ କହିଲେ, ଆଇନ ଏ ଭଳି ଯୁକ୍ତିକୁ ଅନୁମୋଦନ କରେ ନାହିଁ। ସମସ୍ତ ପୁଲିସ କର୍ମଚାରୀଙ୍କୁ ବିଶ୍ୱାସ କରାଯିବା ଉଚିତ।

Spread the love