ଚାଷୀ, ମିଶନ ଶକ୍ତି ଗୋଷ୍ଠୀ ଓ ଏମଏସ୍ଏମଇମାନଙ୍କ ଆବଶ୍ୟକତା ପୂରଣ ପର୍ଯ୍ୟନ୍ତ ଋଣ ଯୋଗାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଓଡିଶା ଆଜି ସଫଳତାର ସହ କୋଭିଡ ପରିଚାଳନା କରି ସାରା ଦେଶରେ ଉଦାରହଣ ସୃଷ୍ଟି କରିପାରିଛି । ଟିକା ଆସିବାର ସମ୍ଭାବନା ସହିତ ନୂଆବର୍ଷକୁ ଆମେ ନୂଆ ଆଶା ସହିତ ସ୍ବାଗତ କରୁଛୁ । ଏଭଳି ସମୟରେ ଅର୍ଥନୀତିର ପୁନରୁଦ୍ଧାରର ଆଶାକୁ ଆମେ ରାଜ୍ୟର ପ୍ରତ୍ୟେକ ପରିବାର ନିକଟରେ ପହଞ୍ଚାଇବାକୁ ଚାହୁଁଛୁ । କିନ୍ତୁ ଯଦି ସେମାନଙ୍କର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଆବଶ୍ୟକତା ଆମେ ପୂରଣ ନ କରି ପାରୁ, ତେବେ ଆମ ବ୍ୟବସ୍ଥା, ଆମର ସଂସ୍ଥା ମାନଙ୍କର କୌଣସି ମୂଲ୍ୟ ରହିବ ନାହିଁ । ରାଜ୍ୟର ଲକ୍ଷ ଲକ୍ଷ ଚାଷୀ, ମିଶନ ଶକ୍ତି ଗୋଷ୍ଠୀ ଓ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉଦ୍ୟୋଗୀ ମାନଙ୍କର ବର୍ତ୍ତମାନ ଋଣ ହେଉଛି ପ୍ରଥମ ଆବଶ୍ୟକତା । ଋଣ ପାଇଲେ ହିଁ ସେମାନେ ନିଜ ଗୋଡରେ ହିଁ ଠିଆ ହୋଇପାରିବେ ଏବଂ ଆମର ଅର୍ଥନୀତି ମଧ୍ୟ ଗତିଶୀଳ ହୋଇପାରିବ। ଆମେ ସେମାନଙ୍କୁ ପୂର୍ଣ୍ଣ ପ୍ରାଣରେ ସାହାଯ୍ୟ କରିବା ଆବଶ୍ୟକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର କୃଷକ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ଏମଏସଏମଇକୁ ଋଣ ପ୍ରଦାନ ସଂପର୍କରେ ଜିଲ୍ଲାପାଳ ଓ ବ୍ୟାଙ୍କରମାନଙ୍କ ସହିତ ସମୀକ୍ଷା କରି ଏହି ପରାମର୍ଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ କିଛି ସପ୍ତାହ ମଧ୍ୟରେ ଋଣ ପ୍ରଦାନ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହୋଇଥିଲେ ମଧ୍ୟ ଋଣ ଚାହୁଁଥିବା ପ୍ରତ୍ୟେକ ନାଗରିକର ଆବଶ୍ୟକତା ପୂରଣ ହେବା ପର୍ଯ୍ୟନ୍ତ ଏହି ଧାରା ଅବ୍ୟାହତ ରହିବା ଜରୁରୀ। ଚାଷୀମାନଙ୍କ ସମସ୍ୟା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ପ୍ରତିବର୍ଷ ଅନିୟମିତ ପାଣିପାଗର କଷ୍ଟ ସହୁଥିବା ଚାଷୀମାନଙ୍କୁ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ଋଣ ପ୍ରଦାନ କରି ସେମାନଙ୍କୁ ସାହାଯ୍ୟ କରିପାରିବା। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅଧିକାଂଶ ଜିଲ୍ଲାରେ ଚାଷୀମାନଙ୍କୁ ଋଣପ୍ରଦାନ କ୍ଷେତ୍ରରେ ଭଲ ଅଗ୍ରଗତି ହୋଇଛି ।ସୁନ୍ଦରଗଡ, ସୋନପୁର ଓ ବଲାଙ୍ଗୀର ଜିଲ୍ଲାରେ ଚାଷୀମାନଙ୍କୁ ଋଣପ୍ରଦାନ କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପ୍ରଶଂସା କରିଥିଲେ। ମାଲକାନଗିରି, ଢେଙ୍କାନାଳ ଓ କଳାହାଣ୍ଡି ଜିଲ୍ଲାକୁ ଏ କ୍ଷେତ୍ରରେ ଅଧିକ ଉନ୍ନତି ଆଣିବା ପାଇଁ ପରାମର୍ଶ ଦେଇଥିଲେ । ସେହିପରି ରାଜ୍ୟ ସମବାୟ ବ୍ୟାଙ୍କ, କାନାରା ବ୍ୟାଙ୍କ ଓ ବନ୍ଧନ ବ୍ୟାଙ୍କ ଋଣ ପ୍ରଦାନରେ ଭଲ ପ୍ରଦର୍ଶନ କରିଥିବାରୁ ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ, ପଞ୍ଜାବ ନେସ୍ନାଲ ବ୍ୟାଙ୍କ ଓ ୟୁକୋ ବ୍ୟାଙ୍କକୁ ଏ କ୍ଷେତ୍ରରେ ଆହୁରି ଭଲ ପ୍ରଦର୍ଶନ ପାଇଁ ପରାମର୍ଶ ଦେଇଥିଲେ।