ରାଜସ୍ଥାନରେ ମନ୍ଦିର ନିର୍ମାଣ ନିମନ୍ତେ ଖୋଳା ଯାଇଥିବା ନିଅଁରେ ଲୋକେ ଢାଳିଲେ ୧୧ ହଜାର ଲିଟର୍‌ ଦୁଗ୍ଧ, ଦହି ଓ ଘିଅ

ରାଜସ୍ଥାନର ଝଲାଓ୍ଵାର୍‌ ଜିଲ୍ଲା ଅନ୍ତର୍ଗତ ରତଲାଇ ଅଞ୍ଚଳରେ ଦେବନାରାୟଣ ମନ୍ଦିର ନିର୍ମାଣ ନିମନ୍ତେ ଖୋଳା ଯାଇଥିବା ନିଅଁରେ ଶନିବାର ଦିନ ଲୋକେ ସମୁଦାୟ ୧୧୦୦୦ ଲିଟର୍‌ ଦୁଗ୍ଧ, ଦହି ଓ ଦେଶୀ ଘିଅ ଢାଳିଛନ୍ତି। ମନ୍ଦିର ନିର୍ମାଣ କମିଟିର ମୁଖପାତ୍ର ରାମଲାଲ୍‌ ଗୁଜ୍ଜର କହିଛନ୍ତି, ପ୍ରତ୍ୟକ୍ଷ ଦେବତା ପ୍ରଭୁ ଦେବନାରାୟଣଙ୍କ ସମ୍ମାନାର୍ଥେ ଦେବନାରାୟଣ ମନ୍ଦିରର ନିଅଁ ଖୋଳା ଉତ୍ସବ ନିମନ୍ତେ ଆମେ ଗୁଜ୍ଜର ସମ୍ପ୍ରଦାୟର ସଦସ୍ୟ ଏବଂ ଅନ୍ୟମାନଙ୍କ ଠାରୁ ୧୧, ୦୦୦ ଲିଟର୍‌ ଦୁଗ୍ଧ, ଦେଶୀ ଘିଅ ଓ ଦହି ସଂଗ୍ରହ କରିଥିରୁ।
୧୧୦୦୦ ଲିଟର୍‌ରୁ ୧୫୦୦ ଲିଟର୍‌ ଥିଲା ଦହି ଏବଂ ୧ କ୍ୱିଣ୍ଟାଲ୍‌ ଥିଲା ଦେଶୀ ଘିଅ। ବାକି ଥିଲା ଦୁଗ୍ଧ। ଏ ସମୁଦାୟ ସାମଗ୍ରୀର ମୂଲ୍ୟ ପ୍ରାୟ ୧.୫୦ ଲକ୍ଷ ଟଙ୍କା ହେବ ବୋଲି ସେ କହିଛନ୍ତି।
ଉତ୍ସବର ଆୟୋଜନ କରାଯିବାର ଦିନକ ପୂର୍ବରୁ ଆମେ ଗୁଜ୍ଜର ସମ୍ପ୍ରଦାୟର ସଦସ୍ୟମାନଙ୍କୁ ନିବେଦନ କରିଥିଲୁ। ଲୋକେ ବଦାନ୍ୟତାର ସହ ଏସବୁ ଅର୍ପଣ କରିଥିଲେ। ଏ ଭଳି ଉତ୍ସବରେ ଦୁଗ୍ଧ ଢାଳିବା ବାଧ୍ୟତାମୂଳକ ପ୍ରଥା ବୋଲି କି, ପଚରା ଯିବାରୁ ରାମଲାଲ୍‌ କହିଲେ ଯେ, ଏଇଟା ବାଧ୍ୟତାମୂଳକ ନୁହେଁ। କିନ୍ତୁ, ଅତୀତରେ ଅନେକ ବାର ଏ ଭଳି କାର୍ଯ୍ୟ କରାଯାଇଛି। ପ୍ରଭୁ ଆମକୁ ଯାହା ଦେଇଛନ୍ତି, ତା’ ତୁଳନାରେ ଏଇଟା କିଛି ନୁହେଁ। ଏଥିଯୋଗୁଁ ବିପୁଳ ସମ୍ବଳ ନଷ୍ଟ ହେଲା ବୋଲି ଯୁକ୍ତି କରାଯିବାରୁ ସେ କହିଲେ, ପ୍ରଭୁ ଦେବନାରାୟଣ ଆମ ଗୋରୁମାନଙ୍କୁ ସୁରକ୍ଷା ଦେଉଥିବାରୁ ଦୁଗ୍ଧ ଢାଳିବା ଗୁଜ୍ଜର ସମ୍ପ୍ରଦାୟ ନିମନ୍ତେ ଆଦୌ ଅପଚୟ ନୁହେଁ। ସବୁ ଜିନିଷ ପାଇଁ ଆମେ ପ୍ରଭୁଙ୍କ ଠାରେ ଋଣୀ। ତେଣୁ ଶିଳାନ୍ୟାସ ଉତ୍ସବ ନିମନ୍ତେ ଆମେ ଦୁଗ୍ଧଜାତ ସାମଗ୍ରୀ ପ୍ରଦାନ କଲୁ। ପ୍ରାୟ ୧ କୋଟି ଟଙ୍କା ବିନିମୟରେ ନିର୍ମାଣ ହେବାକୁ ଥିବା ମନ୍ଦିର ଦୁଇ ବର୍ଷ ମଧ୍ୟରେ ପ୍ରସ୍ତୁତ ହୋଇଯିବ।

Spread the love