7 ଜିଲ୍ଲାରେ ଏନ୍‌ସିଡି ପଞ୍ଜୀକରଣ

ଅଣ ସଂକ୍ରମିତ ରୋଗ ବା ଏନ୍‌ସିଡି ଚିହ୍ନଟ ପ୍ରକ୍ରିୟାରେ ରାଜ୍ୟରେ 10ଲକ୍ଷରୁ ଅଧିକ ଲୋକ ପଞ୍ଜୀକୃତ ହୋଇଛନ୍ତି। ଚଳିତ ମାସ ଶେଷ ସୁଦ୍ଧା ଏହି ଚିହ୍ନଟ ପ୍ରକ୍ରିୟା ଜାରି ରହିବ। ରାଜ୍ୟର 7ଟି ଜିଲ୍ଲାରେ ମିସନ୍‌ ମୋଡ୍‌ରେ ଚିହ୍ନଟ ପ୍ରକ୍ରିୟା କରାଯାଉଛି। କଟକ, ଖୋର୍ଧା, ପୁରୀ, କଳାହାଣ୍ଡି, ରାୟଗଡ଼ା, ସମ୍ବଲପୁର ଓ ଗଞ୍ଜାମ ଜିଲ୍ଲାରେ ଜନସଂଖ୍ୟା ଆଧାରିତ ସ୍କ୍ରିନିଂ ବା ପିବିଏସ୍ ଜିଲ୍ଲା ରହିଛି। ଏହି ଜିଲ୍ଲାଗୁଡ଼ିକର ସମସ୍ତ ଉପଖଣ୍ଡ ଚିକିତ୍ସାଳୟରେ ସ୍କ୍ରିନିଂ ହେଉଥିବା ବେଳେ ବଳକା 23ଟି ଜିଲ୍ଲାରେ ହେଲ୍‌ଥ ଓ ୱେଲନେସ୍ କେନ୍ଦ୍ର ଭାବେ ଚିହ୍ନଟ ହୋଇଥିବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ରୋଗୀଙ୍କୁ ଏହି ସୁବିଧା ଦିଆଯାଉଛି। ମୁଖଗହ୍ବର, ଗର୍ଭାଶୟ କର୍କଟ, ସ୍ତନ କର୍କଟକୁ ମିଶାଇ ମଧୁମେହ ଓ ଉଚ୍ଚ ରକ୍ତଚାପର ସ୍କ୍ରିନିଂ କରାଯାଉଛି। ଆଶା କର୍ମୀମାନେ ଘରକୁ ଘର ବୁଲି 30ବର୍ଷ ବୟସରୁ ଅଧିକ ବୟସର ଲୋକଙ୍କଠାରୁ ଏହି ସୂଚନା ସଂଗ୍ରହ କରୁଛନ୍ତି। ଇଚ୍ଛୁକ ବ୍ୟକ୍ତିମାନଙ୍କର ପଞ୍ଜୀକରଣ କରାଯାଉଛି। ପରବର୍ତୀ ସମୟରେ ଏହି ତଥ୍ୟକୁ ଏନ୍‌ସିଡି ଆପ୍‌ରେ ସଂରକ୍ଷିତ କରାଯାଉଛି। ଯେଉଁ ବ୍ୟକ୍ତିମାନଙ୍କର ପଞ୍ଜୀକରଣ ହେଉଛି, ସେମାନେ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ସେମାନଙ୍କ ପରୀକ୍ଷା କରାଉଛନ୍ତି।

ଯେଉଁ ବ୍ୟକ୍ତିଙ୍କ କ୍ଷେତ୍ରରେ 5ଟି ରୋଗ ଚିହ୍ନଟ କରାଯାଉଛି, ସେମାନଙ୍କୁ ମାଗଣାରେ ସମସ୍ତ ପ୍ରକାର ଚିକିତ୍ସା ଯୋଗାଇ ଦିଆଯାଉଛି। ଏବେ ସୁଦ୍ଧା ଅଢ଼େଇ ଲକ୍ଷରୁ ଅଧିକ ଲୋକଙ୍କ ପରୀକ୍ଷା ହୋଇସାରିଥିବା ସୂଚନା ମିଳିଛି। ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ପୂର୍ବରୁ ଓ ଚଳିତ ମାସରୁ ମିସନ୍‌ ମୋଡରେ ଆରମ୍ଭ ହୋଇଥିବା ଏହି ପଞ୍ଜୀକରଣରେ ରାଜ୍ୟର 10ଲକ୍ଷରୁ ଅଧିକ ବ୍ୟକ୍ତି ପଞ୍ଜୀକୃତ ହୋଇଛନ୍ତି। ଦେଶରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଏନ୍‌ସିଡିରେ ପଞ୍ଜୀକରଣ ଯଥେଷ୍ଟ ଆଗରେ ରହିଛି। ଚଳିତ ମାସ ଶେଷସୁଦ୍ଧା ଏହି ସଂଖ୍ୟାରେ ଆହୁରି ବୃଦ୍ଧି ଘଟିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି।

Spread the love