ଆଉ ଗୋଟିଏ ଷଢେଇକଳା-ଖରସୁଆଁ ଘଟଣାର ପୁନରାବୃତିହେବାକୁ ଦେବୁନାହିଁ : ସମୀର ମହାନ୍ତି

ଭୁବନେଶ୍ୱର,ତା.୧୩/୦୨: ୧୯୩୬ ମସିହାରେ ଓଡିଶା ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠନ ହୋଇଥିଲା। ପାରଳା ମହାରାଜ କୃଷ୍ଣଚନ୍ଦ୍ର ଗଜପତିଙ୍କ ନେତୃତ୍ୱରେ ସମଗ୍ର ଓଡିଶା ପ୍ରଦେଶରେ ଏକ ଓଡିଆ ଜାତୀୟତାବାଦର ଉଗ୍ର ଭାବନା ଜାଗ୍ରତ ହୋଇଥିଲା। ଯାହାର ଫଳସ୍ୱରୂପ ଭାଷା ଭିତିକ ରାଜ୍ୟ ଭାବରେ ଭାରତବର୍ଷର ପ୍ରଥମ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହୋଇଥିଲା ଓ ଏଥିପାଇଁ ପାରଳା
ମହାରାଜ ନିଜ ଜୀବନ, ଯୈାବନ, ଧନ ସଂପତିକୁ ଉତ୍ସର୍ଗ କରିଥିଲେ। କିନ୍ତୁ ଏବେ ଅବିଭକ୍ତ ଗଂଜାମ ଓ କୋରାପୁଟ ଜିଲ୍ଲାର ଆନ୍ଧ୍ର ସୀମାନ୍ତବର୍ତୀ ଅଂଚଳ ଗୁଡିକ ଅସୁରକ୍ଷିତ ରହିଛି । ଗଭୀର ଭାବଗତ ସମ୍ପର୍କ ସତ୍ୱେ ବାଧ୍ୟବାଧକତାରେ ଓଡିଆ ଲୋକେ ଆନ୍ଧ୍ର ମୁହାଁ ହୋଇଛନ୍ତି ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି । ଯେଉଁ ଅଂଚଳର ଲୋକ ଏହି ରାଜ୍ୟ ଗଠନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥଲେ, ଆଜି ସେହି ଅଂଚଳ ଓ ଅଂଚଳରଲୋକେ ଅସୁରକ୍ଷିତ। ୨୦୦୬ ମସିହାରେ ସୁପ୍ରିମକୋର୍ଟ କୋଟିଆ ଉପରେ ସ୍ଥିତାବସ୍ଥା ରକ୍ଷା କରିବା ପାଇଁ ଆଦେଶ ଦେଲେ । କିନ୍ତୁ ଆନ୍ଧ୍ରପ୍ରଦେଶ ସୁପ୍ରିମକୋର୍ଟର ନିର୍ଦ୍ଦେଶକୁ ଅବମାନନାନ କରି ବିଗତ କିଛିବର୍ଷ ଧରି ମନୋନୟନ ପ୍ରକ୍ରିୟାରେ ନିର୍ବାଚନ କରୁଥିବାବେଳେ ଚଳିତବର୍ଷ ପ୍ରଥମଥର ପାଇଁ ପ୍ରତ୍ୟକ୍ଷ ନିର୍ବାଚନ କରୁଛନ୍ତି। ବିଳମ୍ବରେ ରାଜ୍ୟ ସରକାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇ ଅବୈଧ ନିର୍ବାଚନ ପ୍ରକ୍ରିୟାକୁ ବନ୍ଦ କରିପାରିଲେ ନାହିଁ ।

ଓଡିଶା ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଏବଂ ଗୁଇନ୍ଦା ବିଭାଗ ସଂପୂର୍ଣ୍ଣ ବିଫଳ ହୋଇଛି। କୋଟିଆ ଅଂଚଳରେ ବିକାଶ ପଂହଚିବାରେ ବିଫଳ ହୋଇଥିବାରୁ ଓଡିଶାର ସୀମାନ୍ତବର୍ତୀ ଅଂଚଳର ଲୋକେ ଆନ୍ଧ୍ର ମୁହାଁ ହେଉଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି।ସ୍ୱାସ୍ଥ୍ୟ, ଶିକ୍ଷା, ବାସଗୃହ, ପାନୀୟଜଳ ଓ ରୋଜଗାରର ସୁବିଧା ଓଡିଶାରୁ ମିଳୁନାହିଁ । କେନ୍ଦ୍ର ସରକାରଙ୍କର ଚତୁର୍ଦ୍ଦଶ ଅର୍ଥ କମିଶନରେ ଆସିଥିବା ଅର୍ଥ ବିନିଯୋଗ ହୋଇନାହିଁ। ୨୦୧୮ ମସିହାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗସ୍ତ ପରେ ହିଁ କୋଟିଆ ଅଂଚଳରେ ପ୍ରଧାନମନ୍ତ୍ରୀ ସଡକ ଯୋଜନା ଓ ବିଏସଏନଏଲ ଟାୱାର ସ୍ଥାପନା ସମ୍ଭବ ହୋଇପାରିଛି। ବିବାଦୀୟ ପାଟସେନେରୀ ଗାଁରେ ୩୦ ଜଣ ମନରେଗା ହିତାଧିକାରୀଙ୍କୁ ବିଗତ ୩ ବର୍ଷ ଧରି କାର୍ଯ୍ୟ କରିବା ସତ୍ୱେ କୌଣସି ପାରିଶ୍ରମିକ ମିଳିନାହିଁ । ଆନ୍ଧ୍ର ସରକାରଙ୍କ ଦ୍ୱାରା ଗାଁ ମାନଙ୍କରେ ସୌଭାଗ୍ୟ ଯୋଜନାରେ ବିଜୁଳୀ ସଂଯୋଗୀକରଣ ହୋଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାଟସେନେରୀ
ଗାଁରେ ଗୋଟିଏ ମାତ୍ର ପକ୍କା ଘର ଦେଖିବାକୁ ମିଳିଲା। ସମସ୍ତ ଗୃହ ଆନ୍ଧ୍ର ସରକାର ଦ୍ୱାରା ଚିହ୍ନଟ ହୋଇ ଷ୍ଟିକରିଂ କରାଯାଇଛି । ଅବୈଧ ନିର୍ବାଚନ ପ୍ରକ୍ରିୟାକୁ ଆନ୍ଧ୍ରର ପ୍ରଶାସନିକ ଅଧିକାରୀମାନେ ପ୍ରତ୍ୟକ୍ଷ ଭାବେ ତଦାରଖ କରୁଥିବାବେଳେ ଓଡିଶା ସରକାର କିମ୍ବା କୋରାପୁଟଜିଲ୍ଲା ପ୍ରଶାସନ ଅଧିକାରୀମାନେ ଆଦୌ ଆସୁନଥିବା ଗ୍ରାମବାସୀମାନେ ଅଭିଯୋଗ କରିଥିଲେ । କୋଭିଡ ସମୟରେ ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଯୋଜନାରେ ୮ ମାସ ବଦଳରେ କେବଳ ୨ ମାସର ଚାଉଳ ଓ ଡାଲି ଯୋଗାଇ ଦିଆଯାଇଛି । ରାଜ୍ୟ ସରକାରଙ୍କ ଦାୟୀତ୍ୱହୀନତା, ଉଦାସୀନତା ଓ ସମ୍ବେଦନହୀନତା କାରଣରୁ କୋଟିଆ ଗ୍ରାମପୁଂଜର ୨୧ଟି ବିବାଦୀୟ ଗାଁର ଜନସାଧାରଣ ଆନ୍ଧ୍ର ମୁଖା ହେବାକୁ ବାଧ୍ୟ ହେଉଛନ୍ତି ବୋଲି ଶ୍ରୀ ମହାନ୍ତି ଦୃଢ ଅଭିଯୋଗ କରିଛନ୍ତି ।  ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଏବଂ ଗଂଜାମ ଜିଲ୍ଲାର ବହୁ ସୀମାନ୍ତବର୍ତୀ ଗାଁ ମାନଙ୍କରେ ଆନ୍ଧ୍ର ବେଆଇନ ଭାବେ ପଂଚାୟତ ନିର୍ବାଚନ କରୁଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ରାଜ୍ୟ ସରକାର ଏହି ସବୁ ତଥ୍ୟକୁ ରାଜ୍ୟବାସୀଙ୍କ ଠାରୁ ଲୁଚାଇ ରଖିବା ପରିତାପର ବିଷୟ । ଗଂଜାମ ଜିଲ୍ଲାରେ ଆନ୍ଧ୍ର ନିର୍ବାଚନ କରୁଥିବା ବିଷୟରେ ଗଂଜାମ ଜିଲ୍ଲାପାଳ ଅବଗତ ନଥିବା ରାଜ୍ୟ ପ୍ରଶାସନର ଅପାରଗତାକୁ ଦର୍ଶାଇଛି। କୋରାପୁଟ ଜିଲ୍ଲାର କୋଟିଆ ବ୍ୟତୀତ ମାନକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଅଂଚଳ, ରାୟଗଡା ଜିଲ୍ଲାର କେରେଡା ପଂଚାୟତ, ଗଜପତି ଜିଲ୍ଲାର ଗଙ୍ଗାବାଡ ପଂଚାୟତ ଏବଂ ଗଂଜାମ ଜିଲ୍ଲାର ପାତ୍ରପୁର ବ୍ଲକର ତୁମ୍ବା ଓ ବୁରାତାଲ ପଂଚାୟତରେ ଆନ୍ଧ୍ର ବେଆଇନ ଭାବେ ପଂଚାୟତ ନିର୍ବାଚନ କରିବାର ଅପଚେଷ୍ଟା କରିଛି। ଏହିସବୁ ଅଂଚଳର ଅଧିବାସୀମାନଙ୍କ ପାଖରେ ସର୍ବନିମ୍ନ ମୌଳିକ ସୁବିଧା ଯଥା- ପାନୀୟ ଜଳ, ପାଇଖାନା, ବିଦ୍ୟୁତ, ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ ଇତ୍ୟାଦି ଓଡିଶାସରକାର ପଂହଚାଇବାରେ ବିଫଳ ହୋଇଥିବା କାରଣରୁ ଆଜି ସେ ଅଂଚଳର ଲୋକେ ବାଧ୍ୟ ହୋଇ ପଡୋଶୀ ଆନ୍ଧ୍ରପ୍ରଦେଶରରୁ ମିଳୁଥିବା ସୁବିଧା ସୁଯୋଗକୁ ଆପଣାଇବା ପାଇଁ ବାଧ୍ୟ ହେଉଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି।
ଅନ୍ୟପକ୍ଷରେ ଗଜପତି ଜିଲ୍ଲାର ଗଙ୍ଗାବାଡ ପଂଚାୟତ ଅନ୍ତର୍ଗତ ଗୁଡିଖୁଡି ଗାଁକୁ ଗଂଜାମ ଜିଲ୍ଲାର ବୁରାତାଲ ପଂଚାୟତର ଗୁଡିଖଲା ଗ୍ରାମ ବୋଲି ଉଭୟ ଜିଲ୍ଲା ପ୍ରଶାସନ ନିଜର ବୋଲି ଦର୍ଶାଉଛନ୍ତି । ରାଜ୍ୟ ସରକାର ଏ ସଂପର୍କରେ ଆଦୌ ଅବଗତ ନଥିବା ସ୍ପଷ୍ଟ ଜଣାପଡୁଛି। ଏହି କାରଣରୁ ଗ୍ରାମବାସୀମାନେ ସରକାରୀ ଯୋଜନାର ସୁଫଳ ପାଇବାରୁ ବଂଚିତ ରହୁଛନ୍ତି । ଉଭୟ ଜିଲ୍ଲା ନିଜ ଅଂଚଳ ଦାବି କରୁଥିବାବେଳେ ଆନ୍ଧ୍ର ସରକାର ଏହି ଗାଁ ମାନଙ୍କରେ ବିଦ୍ୟୁତ, ପିଇବା ପାଣି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜମି ପଟ୍ଟା, ଶିକ୍ଷା ଓ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେଇ ବେଆଇନ ଭାବେ ନିଜ ଆଡକୁ ଆକୃଷ୍ଟ କରୁଛି । ରାଜ୍ୟ ସରକାର ଆନ୍ତଃ ଜିଲ୍ଲା ବିବାଦକୁ ସମାଧାନ ନକରିପାରୁଥିବାବେଳେ ଆନ୍ତଃ ରାଜ୍ୟ ସୀମା ବିବାଦକୁ କିଭଳି ଭାବେ ତୁଟାଇବେ ଏନେଇ ବିଜେପି ଚିନ୍ତା ପ୍ରକଟ କରିଛି । ମୁଖ୍ୟ ଶାସନ ସଚିବ ଏବଂ ରାଜସ୍ୱ ସଚିବଙ୍କୁ ତୁରନ୍ତ ଏସଂପର୍କରେ ସ୍ପଷ୍ଟୀକରଣ ଦେଇ ଆନ୍ତଃ ଜିଲ୍ଲା ବିବାଦକୁ ପ୍ରଥମିକତା ଦେଇ ତୁରନ୍ତ ସମାଧାନ କରିବା ପାଇଁ ଶ୍ରୀ ମହାନ୍ତି ଆହ୍ୱାନ କରିଛନ୍ତି ।
ଓଡିଶା ଏବଂ ଆନ୍ଧ୍ର ଦ୍ୱିପାକ୍ଷିକ ଚୁକ୍ତିରେ ନିର୍ମାଣ ହୋଇଥିବା କଳିଙ୍ଗ ଦୋଳା ଜଳସେଚନ ପ୍ରକଳ୍ପର କୌଣସି ଲାଭ ଓଡିଶାବାସୀଙ୍କୁ ମିଳୁନାହିଁ। ପାଖାପାଖି ୪୦୦ ଏକର ଓଡିଶା ଜମି ଏବଂ ଓଡିଶାରେ ଉତ୍ପତି ହୋଇଥିବା ମହେନ୍ଦ୍ରତନୟା ନଦୀର ଜଳକୁ ବ୍ୟବହାର କରି ଆନ୍ଧ୍ର ସଂପୂର୍ଣ୍ଣ ପାଣି ନେଇଯାଉଥିବାବେଳେ, ଚୁକ୍ତି ଅନୁଯାୟୀ ଆନ୍ଧ୍ର ସରକାର କରିବାକୁ ଥିବା ରାସ୍ତା, ପୋଲ, ବିଦ୍ୟୁତ କରଣ, ପାନୀୟଜଳ ଯୋଗାଣ ସମେତ ଆଂଚଳିକ ବିକାଶର ବ୍ୟବସ୍ଥା ଆଦୌ କରିନାହାଁନ୍ତି । ଏ ସଂପର୍କରେ ଓଡିଶା ସରକାରଙ୍କ ଆଶ୍ଚର୍ଯ୍ୟଜନକ
ନୀରବତା ପ୍ରତିନିଧୀ ଦଳଙ୍କୁ ଚକିତ କରିଥିଲା । ଗଜପତି ଜିଲ୍ଲାର ଗଙ୍ଗାବାଡ ପଂଚାୟତର ବିବାଦୀୟ ମାଣିକପାଟଣା ଗାଁକୁ ବିଜେପି ପ୍ରତିନିଧୀ ଦଳ ଗସ୍ତ କରିଥିବାବେଳେ ସେଠାରେ ଆନ୍ଧ୍ର ସରକାରଙ୍କ ପଦସ୍ତ ଅଧିକାରୀ, ଉପଜିଲ୍ଲାପାଳ, ତହସିଲଦାର ଏବଂ ଡିଏସପିଙ୍କ ସହ ଆଲୋଚନାବେଳେ ଉତେଜନାମୂଳକ
ପରିସ୍ଥିତି ସୃଷ୍ଟି ହୋଇଥିଲା । ସ୍ଥାନୀୟ ତହସିଲଦାରଙ୍କୁ ଡକାଇ ବିଜେପି ପ୍ରତିନିଧୀ ଦଳ ୧୯୯୩ ମସିହାରେ ପ୍ରସ୍ତୁତ ହୋଇଥିବା ଉଭୟ ରାଜ୍ୟର ସ୍ୱୀକୃତିକ୍ରମେ ଜଏଂଟ ଭେରିଫିକେସନ ନକ୍ସାକୁ ଉପସ୍ଥାପନ କରିଥିଲେ । ଅପରପକ୍ଷରେ ଆନ୍ଧ୍ର ଅଧିକାରୀଙ୍କୁ ତାଙ୍କ ତଥ୍ୟ ପ୍ରମାଣ ମଗାଯାଇଥିବାବେଳେ ସେମାନେ ନଦେଖାଇପାରି ଏବଂ ବିଜେପି ପ୍ରତିନିଧୀ ଦଳର ବିଭିନ୍ନ ପ୍ରଶ୍ନର ଉତର ନଦେଇପାରି ଛତ୍ରଭଙ୍ଗ ଦେବାକୁ ବାଧ୍ୟ ହୋଇଥିଲେ। ୨୦୧୮ ମସିହାର ତିତିଲି ମହାବାତ୍ୟାର ମୁଖ୍ୟ କେନ୍ଦ୍ରସ୍ଥଳୀ ଗଙ୍ଗାବାଡ ପଂଚାୟତକୁ ଆସିଥିବା କେନ୍ଦ୍ର ସରକାରଙ୍କ ପୁନଃ ନିର୍ମାଣ ଓ ପୁନଃ ଥଇଥାନ ଅର୍ଥ ଏପର୍ଯ୍ୟନ୍ତ କାର୍ଯ୍ୟନ୍ୱୟନ ହୋଇନଥିବା ଦେଖିବାକୁ ମିଳିଥିଲା। କେବଳ ଚଳିତ ସପ୍ତାହରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ନାମକୁ ମାତ୍ର ଆରମ୍ଭ ହୋଇଛି। ଓଡିଶାରେ ଥିବା ସ୍କୁଲରେ ଶିକ୍ଷକ ନାହାଁନ୍ତି। ମାଣିକପାଟଣା ଠାରୁ ୬ କିମି ଦୂରରେ ଥିବା ଗଙ୍ଗାବାଡରେ ପ୍ରଥମରୁ ପଂଚମ ପର୍ଯ୍ୟନ୍ତ ଥିବା ସ୍କୁଲରେ ମାତ୍ର ୪୦ ପିଲା ପଢିବାର ବ୍ୟବସ୍ଥା ରହିଛି, ଯେଉଁଠି ମାତ୍ର ୩ ଜଣ ଶିକ୍ଷକ ଅଛନ୍ତି। ୧୦୮ କିମ୍ବା ୧୦୨କୁ ଫୋନ୍ କଲେ ଆନ୍ଧ୍ରରୁ ଆମ୍ବୁଲାନ୍ସ ଆସୁଛି। ଆନ୍ଧ୍ରର ଡାକ୍ତରଖାନାକୁ ଓଡିଆ ଲୋକ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । ବିଦ୍ୟୁତ ଖୁଂଟ ଆନ୍ଧ୍ର ପକାଇ ସୌଭାଗ୍ୟ ଯୋଜନାରେ ବିଜୁଳିସଂଯୋଗ ଦେଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି। ୪ ଦିନିଆ ଗସ୍ତରେ ଅବିଭକ୍ତ କୋରାପୁଟ ଓ ଗଂଜାମ ଜିଲ୍ଲାର ସୀମା ଅଂଚଳ ବୁଲି, ଆନ୍ଧ୍ର ଅବୈଧ ନିର୍ବାଚନ କରାଉଥିବା ଗାଁ ଗୁଡିକରେ ଗ୍ରାମବାସୀଙ୍କୁ ଏହି ବେଆଇନ ନିର୍ବାଚନରେ ସାମିଲ ନହେବା ପାଇଁ ବିଜେପି ପ୍ରତିନିଧୀ ଦଳ ଅନୁରୋଧ କରିଥିଲେ। ବହୁ ଗ୍ରାମବାସୀ ଅନୁରୋଧ ରକ୍ଷା କରି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ସହ ନିର୍ବାଚନକୁ ବର୍ଜନ କରିଛନ୍ତି। ବିଜେପି ଆଉ ଗୋଟିଏ ଷଢେଇକଳା-ଖରସୁଆଁ ଘଟଣାର ପୁନରାବୃତି ହେବାକୁ ଦେବନାହିଁ। ଏଥିପାଇଁ ବିଜେପି ପକ୍ଷରୁ ସୀମାନ୍ତ ସୁରକ୍ଷା ସେଲ୍ ଗଠନ କରାଯିବ ବୋଲି ଶ୍ରୀ ମହାନ୍ତି ଘୋଷଣା କରିଛନ୍ତି ।

ଏହି ପ୍ରତିନିଧୀ ଦଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ବିଧାୟକ କେ.ନାରାୟଣ ରାଓ ଓ ନିତ୍ୟାନନ୍ଦ ଗଣ୍ଡ, ରାଜ୍ୟ ଉପ ସଭାପତି ଭୃଗୁ ବକ୍ସିପାତ୍ର, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ ଓ ଜୟରାମ ପାଙ୍ଗୀ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ରାଜ୍ୟ
ମୁଖପାତ୍ର ବିରଂଚୀ ତ୍ରିପାଠୀ, କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ଏବଂ ସ୍ଥାନୀୟ ନେତୃବୃନ୍ଦ ପ୍ରମୁଖ ସାମିଲ ଥିଲେ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ରାଜ୍ୟ ମୁଖପାତ୍ର ବିରଂଚୀ ତ୍ରିପାଠୀ ଏବଂ କୃଷକ ମୋର୍ଚ୍ଚା ସାଧାରଣ ସଂପାଦକସୁରଥ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love