ମଣ୍ଡିରେ ପଡିଥିବା ସମସ୍ତ ଧାନ ସଂଗ୍ରହ କରନ୍ତୁ ରାଜ୍ୟ ସରକାର:ବିଜେପି

ସମ୍ବଲପୁର/ ଭୁବନେଶ୍ୱର,୧୩/୦୨: ଧାନମଣ୍ଡିରେ ଭିତିଭୂମିର ବ୍ୟବସ୍ଥା କରିବା, ମଣ୍ଡି ଗୁଡିକରେ ଚଟାଣ, ପାନୀୟ ଜଳ, ପାଲ,
ମାପ ଓଜନ, ବିଜୁଳୀ ଆଦି ସୁବିଧା ପହଂଚାଇବା, କେନ୍ଦ୍ର ସରକାର ଦେଉଥିବା ଧାନ ଅଖା, ସୁତୁଲି, ଶ୍ରମିକ ଖର୍ଚ୍ଚ, ଯାତାୟତ ଖର୍ଚ୍ଚକୁ ଚାଷୀଙ୍କ ପାଖରେ ପହଂଚାଇବା, ଟୋକନ ବ୍ୟବସ୍ଥାକୁ ଉଚ୍ଛେଦ କରି କେଉଁ ଜିଲ୍ଲାରୁ କେତେ ଧାନ କିଣାଯାଉଛି ତାହା ଜିଲ୍ଲା ଡିଏଲପିସି ମାଧ୍ୟମରେ ଲକ୍ଷ୍ୟ ଧାର୍ଯ୍ୟ କରିବା, ନିର୍ଦ୍ଧାରିତ ଅଣଜଳସେଚିତ ଜମିରୁ ୧୩ କ୍ୱିଂଟାଲ ଓ ଜଲସେଚିତ ଜମିରୁ ୧୯ କ୍ୱିଂଟାଲ ଧାର୍ଯ୍ୟ ସୀମାକୁ ବନ୍ଦ କରି ଚାଷୀର ସମସ୍ତ ଉତ୍ପାଦିତ ଧାନକୁ କିଣିବା, ମଣ୍ଡିରେ ପଡିଥିବା ଧାନକୁ ଉଠାଇବା, କଟନୀ ଛଟନୀ ବନ୍ଦ କରିବା, କୃଷକ ସମ୍ମାନ ନିଧି ପାଇବା ପାଇଁ କେନ୍ଦ୍ରକୁ ସମସ୍ତ ଚାଷୀଙ୍କ ତାଲିକା ପଠାଇବା ଆଦି ଦାବି ନେଇ ଆଜି ପଶ୍ଚିମ ଓଡିଶାର ୫ଟି ସଂସଦୀୟ କ୍ଷେତ୍ର ଯଥା ବଲାଙ୍ଗୀର, ବରଗଡ, କଳାହାଣ୍ଡି, ସୁନ୍ଦରଗଡ, ସମ୍ବଲପୁର ଏବଂ ୩୭ଟି ନିର୍ବାଚନ ମଣ୍ଡଳୀର ହଜାର ହଜାର ସଂଖ୍ୟାରେ ଚାଷୀ ଓ ବିଜେପି କାର୍ଯ୍ୟକର୍ତା ମାନେ ଶାନ୍ତିପୂର୍ଣ୍ଣ ଭାବେ ୯୦ଟି ସ୍ଥାନରେ ୩ ଘଂଟିଆ ରାସ୍ତାରୋକ କରିଥିଲେ ।

ଓଡିଶାର ଲକ୍ଷ ଲକ୍ଷ ଚାଷୀ ଧାନ ଧରି ରାଜରାସ୍ତାରେ ବସିଛନ୍ତି । ଅଦିନିଆ ବର୍ଷାରେ ମଣ୍ଡିରେ ପଡି ରହିଥିବା ଧାନ ନଷ୍ଟ ହୋଇଛି ଏବଂ କିଛି ଧାନ ଗଜା ହେବାକୁ ବସିଲାଣି । ଏହା ସତ୍ୱେ ରାଜ୍ୟ ସରକାର ସେମାନଙ୍କ ଧାନକୁ କିଣୁ ନାହାଁନ୍ତି । ସରକାରୀ ଅଧିକାରୀ କିମ୍ବା ଶାସକ ଦଳ ନେତା କେହି ବି ମଣ୍ଡିର ସମସ୍ୟା ଦେଖିବାକୁ ଆସୁନାହାଁନ୍ତି । ଅନ୍ୟପଟେ ବିଭାଗୀୟ ମନ୍ତ୍ରୀ ଏ ନେଇ କୌଣସି ବିବୃତି ରଖୁନାହାଁନ୍ତି । ଚାଷୀଙ୍କୁ ଧାନ ଉଠାଇବା ପାଇଁ ସରକାରୀ ଅଧିକାରୀମାନେ ଧମକ ଦେଉଛନ୍ତି। ଯାହା ଦ୍ୱାରା ଚାଷୀଙ୍କ ମାନସିକ ଯନ୍ତ୍ରଣା ବଢିବାରେ ଲାଗିଛି। ସରକାର ଚାଷୀଙ୍କ ଧାନ ତୁରନ୍ତ ଉଠାନ୍ତୁ ନହେଲେ ଆଗାମୀ ବିଧାନସଭାରେ ଶାସକ ଦଳ ହରଡ ଘଣାରେ ପଡିବେ ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ରବି ନାଏକ ଚେତାବନୀ ଦେଇଛନ୍ତି ।
କେନ୍ଦ୍ରସରକାର ଧାନ ମଣ୍ଡିଗୁଡିକରେ ଭିତିଭୂମି,ପାନୀୟ ଜଳ, ଧାନ ଅଖା, ସୁତୁଲି ଏବଂ ଯିବା ଆସିବା ଖର୍ଚ୍ଚ ପାଇଁ ପର୍ଯ୍ୟାପ୍ତ ଅର୍ଥ
ଦେଉଥିବାବେଳେ ବିଭିନ୍ନ ଆରଏମସି, ପ୍ୟାକ୍ସ, ଲ୍ୟାମ୍ପସ ପାଖରେ କୋଟି କୋଟି ଟଙ୍କା ପଡିରହିଛି। ରାଜ୍ୟ ସରକାର ଏଫଏକ୍ୟୁ ଆଳରେ କଟନୀ ଛଟନୀରେ ୧୦ କେଜି ପର୍ଯ୍ୟନ୍ତ ଧାନ କାଟୁଛନ୍ତି। କେନ୍ଦ୍ରସରକାର ଘୋଷଣା କରିଥିବା ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀ ପାଇବାରୁ ବଂଚିତ ରହୁଛି। ରାଜ୍ୟସରକାରଙ୍କ ଅସହଯୋଗ କାରଣରୁ ଓଡିଶାର ଲକ୍ଷ ଲକ୍ଷ ଚାଷୀ କୃଷକ ସମ୍ମାନ ନିଧି ଯୋଜନାରୁ ବଂଚିତ ରହିଛନ୍ତି । କୃଷକ ସମ୍ମାନ ନିଧି ଯୋଜନାରେ ରାଜ୍ୟ ସରକାର ପ୍ରଥମ କିସ୍ତିରେ ୪୦ଲକ୍ଷ ଚାଷୀଙ୍କ ତାଲିକା ଅର୍ଥ ଦେଇଥିବା ବେଳେ ଏହା ଏବେ କମି ୧୦ ଲକ୍ଷରେ ପହଂଚିଛି। ଏବର୍ଷ ଧାନକିଣା ପାଇଁ କେନ୍ଦ୍ର ସରକାର ୧୮ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଦେଇଥିଲେ ମଧ୍ୟ ଓଡିଶାରେ ଅଦ୍ୟାବଧି ଅର୍ଦ୍ଧାଧିକ ଜିଲ୍ଲାରେ ଧାନମଣ୍ଡି ଖୋଲିନାହିଁ ବୋଲି ଶ୍ରୀ ନାଏକ ଅଭିଯୋଗ କରିଛନ୍ତି।

ରାଜ୍ୟସରକାରଙ୍କ ଚାଷୀ ମାରଣ ନୀତି ବିରୁଦ୍ଧରେ ରାଜ୍ୟ ବିଜେପି ପକ୍ଷରୁ ୬ଟି ସ୍ଥାନରେ ବିଶାଳ କୃଷକ ସମାବେଶ ଆୟୋଜନ ଏବଂ ରାଜ୍ୟବ୍ୟାପୀ ମଣ୍ଡି ଚାଲ ଅଭିଯାନ କାର୍ଯ୍ୟକ୍ରମ କରାଯାଇଥିଲା । ବିଗତ ଦିନରେ ୪୮ ଘଂଟା ଧରି ପଶ୍ଚିମ ଓଡିଶାରେ ରାଜପଥ ଅବରୋଧ କରାଯାଇଥିଲା ଏବଂ ପରେ ୮ ଦିନ ଧରି କୁଚିଣ୍ଡା ଠାରେ ଚାଷୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିବାବେଳେ ୨୧ ତାରିଖ ଦିନ ସମ୍ବଲପୁର ଆରଡିସି ଅଫିସ ଠାରେ ବ୍ୟାପକ ଆନ୍ଦୋଳନ ହେବା ସତ୍ୱେ ରାଜ୍ୟ ସରକାର ଚାଷୀଙ୍କ ଧାନ ନକିଣିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ଶ୍ରୀ
ନାଏକ କହିଛନ୍ତି। ଏହି ରାସ୍ତାରୋକକୁ ସମସ୍ତ ଜନସାଧାରଣ ସ୍ୱତଃ ପ୍ରବୃତ ଭାବେ ସମର୍ଥନ କରିଥିବାରୁ ଶ୍ରୀ ନାଏକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ପ୍ରତିବାଦରେ ଭବାନୀପାଟଣା ଠାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ଲୋଇସିଂହାରେ ବିଧାୟକ ମୁକେଶ ମହାଲିଙ୍ଗ, ସମ୍ବଲପୁର ଠାରେ ବିଧାୟକ ଜୟନାରାୟଣ ମିଶ୍ର ଓ ଜିଲ୍ଲା ସଭାପତି ଗିରିଶ ପଟେଲ, ଧନକୋହଡା ଠାରେ ବିଧାୟକ ନାଉରୀ ନାଏକ, ଦେବଗଡ ଠାରେ ବିଧାୟକ ସୁବାସ ପାଣିଗ୍ରାହୀ, ସୁନ୍ଦରଗଡ ଜିଲ୍ଲାରେ ବିଧାୟିକା କୁସୁମ ଟେଟେ ଓ ଭବାନୀ ଭୋଇ, ବେଦବ୍ୟାସ ଠାରେ ବିଧାୟକ ଶଙ୍କର ଓରାମ, ଜମନକିରା ଠାରେ ରାଜ୍ୟ ସାଧାରଣ ସଂପାଦକ ରବି ନାଏକ, ପଦମପୁର ଠାରେ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, କଂଟାବାଜିରେ ଶିବାଜୀ ମହାନ୍ତି ଓ ଲକ୍ଷ୍ମଣବାଗ, ଅମ୍ବାବନାଠାରେ ଯୁବମୋର୍ଚ୍ଚା ରାଜ୍ୟ ସଭପାତି ଇରାସୀସ ଆଚାର୍ଯ୍ୟ, ବରଗଡରେ ଅଶ୍ୱିନୀ ଷଡଙ୍ଗୀ, ସୋନପୁରରେ ପ୍ରମୋଦ ମହାପାତ୍ର, ନୂଆପଡାରେ ସୁବ୍ରତ ଠାକୁର, ପଲସାଗୋରାରେ ଓମ ପ୍ରକାଶ ମିଶ୍ରଙ୍କ ନେତୃତ୍ୱରେ ରାସ୍ତାରୋକ ହୋଇଥିଲା ।

Spread the love