ମଙ୍ଗଳଗ୍ରହରେ ଓହ୍ଲାଇଲା ରୋଭର୍‌; ପଠାଇଲା ପ୍ରଥମ ଫଟୋ

ନୂଆଦିଲ୍ଲୀ, ୧୯/୨: ସଫଳତା ପୂର୍ବକ ମଙ୍ଗଳ ଗ୍ରହରେ ଅବତରଣ କଲା ମାର୍ସ ପର୍ସିଭରେନ୍ସ ରୋଭର୍‌ । ଆମେରିକା ମହାକାଶ ଗବେଷଣା ସଂସ୍ଥା (ନାସା) ପକ୍ଷରୁ ଏନେଇ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି । ରୋଭରର ଲ୍ୟାଣ୍ଡିଂକୁ ନେଇ ବୈଜ୍ଞାନିକମାନେ ଚିନ୍ତିତ ଥିବାବେଳେ ସଫଳତା ପୂର୍ବକ ଲ୍ୟାଣ୍ଡ କରିଛି ରୋଭର । ଏହାସହ ତାହାର ପ୍ରଥମ ଫଟୋ ଫଠାଇଛି । ଯାହାକୁ ନେଇ ବୈଜ୍ଞାନିକ ମାନଙ୍କ ମଧ୍ୟରେ ଅଦ୍ଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଛି ।ରୋଭରର ସଫଳତା ପୂର୍ବକ ଲ୍ୟାଣ୍ଡିଂକୁ ନେଇ ନାସାର ଆଡମିନିଷ୍ଟ୍ରେଟର ଷ୍ଟିଭ୍‌ ଜୁରଜିକ୍‌ ଟିମ୍‌କୁ ଶୁଭେଚ୍ଛା ଦେଇଛନ୍ତି । ଏହାସହ ସମସ୍ତ ବାଧାବିଘ୍ନ ସତ୍ତ୍ବେ ଟିମ୍‌ର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ଅନ୍ୟପଟେ ରୋଭର୍‌ ମଙ୍ଗଳଗ୍ରହରେ ଲ୍ୟାଣ୍ଡ କରି ପ୍ରଥମ ଫଟୋ ପଠାଇଛି । ମାର୍ସ ପର୍ସିଭରେନ୍ସ ରୋଭରରେ ଇଞ୍ଜିନିୟରିଂ କ୍ୟାମେରା ଖଞ୍ଜା ଯାଇଥିବାବେଳେ ଆଗକୁ ଏହା ହାଇ ରିଜୋଲ୍ୟୁସନର ଫଟୋ ପଠାଇବ ବୋଲି ନାସା ପକ୍ଷରୁ କୁହାଯାଇଛି । ରୋଭର ମଙ୍ଗଳଗ୍ରହରେ ମାଇକ୍ରୋ ବାଇଆଲ ଲାଇଫ୍‌( ସୁକ୍ଷ୍ମଜୀବ ଜୀବନ) ବିଷୟରେ ସନ୍ଧାନ କରିବ । ଏହାସହ ପୃଥିବୀ ପୃଷ୍ଠକୁ ଫେରିବା ସମୟରେ ସାବଧାନତା ସହ ଭଙ୍ଗା ପଥର ଓ ଧୂଳି ସଂଗ୍ରହ କରିବ ।

Spread the love