ଝିଟିପିଟି ଭାଙ୍ଗିଲା ବିଶ୍ୱ ରେକର୍ଡ, ରହୁଛି ୧୭ ହଜାର ଫୁଟ ଉଚ୍ଚରେ

ଏ ହେଉଛି ଦୁନିଆର ସବୁଠୁ ଅଧିକ ଉଚ୍ଚରେ ରହୁଥିବା ଝିଟିପିଟି। ନିକଟରେ ଏହାକୁ ସମୁଦ୍ର ପତ୍ତନଠାରୁ ୫୪୦୦ ମିଟର ଅର୍ଥାତ୍‌ ୧୭,୭୧୬.୫୪ ଫୁଟ୍‌ ଉଚ୍ଚରେ ଦେଖାଯାଇଥିଲା। ଝିଟିପିଟିର ନାଁ, ‘ଲିୟୋଲାଇମସ୍‌ ଟ୍ୟାକ୍‌ନେ(Liolaemus Tachnae)’। ଏହି ପ୍ରଜାତିର ଝିଟିପିଟି ବିଷୟରେ ହର୍ପେଟୋଜୋଆ ନାମକ ମାଗାଜିନ୍‌ରେ ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରେ କୁହାଯାଇଥିଲା କି, ଲିୟୋଲାଇମସ୍‌ ଟ୍ୟାକ୍‌ନେ ପେରୁର ଏଣ୍ଡିଜ୍‌ ପର୍ବତ ଉପରେ ୧୭,୭୧୬ ଫୁଟ୍‌ ଉଚ୍ଚରେ ନଜର ଆସିଥିଲା। ଏତେ ଉଚ୍ଚତା ଉପରେ ସାଧାରଣତଃ ତାପମାତ୍ରାରେ ଫରକ, ଅଧିକ ଅଲଟ୍ରାଭାଓଲେଟ୍‌ ରଶ୍ମୀ ଏବଂ କମ୍‌ ଅକ୍ସିଜେନ୍‌ ସମସ୍ୟା ରହିଥାଏ। ଏହା ସତ୍ତ୍ୱେ ଏହି ଝିଟିପିଟି ଅଧିକ ଉଚ୍ଚରେ ବାସ କରୁଛି।
ଜୀବ ବିଜ୍ଞାନୀ ଜୋସ୍‌ ସେର୍ଡେନ୍‌ ଓ ତାଙ୍କ ସହଯୋଗୀମାନେ ୨୦୨୦ ଅକ୍ଟୋବରରେ ପେରୁର ଚଚାନୀ ଆଗ୍ନେୟଗିରି ଉପରେ ଚଢ଼ିଥିଲେ। ଏହାର ଉଚ୍ଚତା ସମୁଦ୍ର ତଳଠାରୁ ୬,୦୫୭ ମିଟର ଅର୍ଥାତ୍‌ ୧୯୮୭୨ ଫୁଟ୍‌ ଉଚ୍ଚ। ସେଠାରେ ତାଙ୍କ ଟିମ୍‌ ଲିୟୋଲାଇମସ୍‌ ଟ୍ୟାକ୍‌ନେ ଝିଟିପିଟିକୁ ସନ୍ଧାନ କରୁଥିଲେ ଏବଂ ତାକୁ ଖୋଜି ମଧ୍ୟ ବାହାର କରିଥିଲେ। କାରଣ, ସେମାନେ ୫,୦୦୦ ମିଟର ପର୍ଯ୍ୟନ୍ତ ଚଢ଼ିସାରିଥିଲେ। ଲିୟୋଲାଇମସ୍‌ ଟ୍ୟାକ୍‌ନେ ଝିଟିପିଟିକୁ ‘ଟ୍ରି-ଇଗୁଅ’ ନାଁରେ ମଧ୍ୟ ଜଣାଯାଇଥାଏ।
ଜୋସ୍‌ ସେର୍ଡେନ୍‌ କହିଥିଲେ ଯେ ଏହି ପ୍ରଜାତି ପେରୁର ଉଚ୍ଚ ଅଞ୍ଚଳରେ ଜୀବିତ ରହିବା ପାଇଁ ଖ୍ୟାତ। ଲିୟୋଲାଇମସ୍‌ ଟ୍ୟାକ୍‌ନେ ତାପମାତ୍ରା ପରିବର୍ତ୍ତନକୁ ସମ୍ଭାଳି ନେଇ ଥାଆନ୍ତି। ତଥାପି ୧୭,୭୧୬ ଫୁଟ୍‌ ଉଚ୍ଚରେ ଝିଟିପିଟି ରହିବା ଦୁର୍ଲ୍ଲଭ। ତେବେ ଏ ପର୍ଯ୍ୟନ୍ତର ସବୁଠାରୁ ଅଧିକ ୫,୩୦୦ ମିଟର ଉଚ୍ଚରେ ଟଡ୍‌ ହେଡେଡ୍‌ ଆଗାମା ଝିଟିପିଟି ଜୀବିତାବସ୍ଥାରେ ମିଳିଥିଲା। ଏହାକୁ ତିବ୍ଦତୀୟ ପଠାର ଉପରେ ଦେଖିବାକୁ ମିଳିଥିଲା। କିନ୍ତୁ ଏଣ୍ଡିୟନ୍‌ ଝିଟିପିଟି ପୁରୁଣା ରେକର୍ଡକୁ ୧୦୦ ମିଟର ଉଚ୍ଚରୁ ହିଁ ଭାଙ୍ଗି ଦେଇଛି। ପୂରା ଦକ୍ଷିଣ ଆଫ୍ରିକାରେ ୨୭୦ରୁ ଅଧିକ ପ୍ରକାରର ଲିୟୋଲାଇମସ୍‌ ଟ୍ୟାକ୍‌ନେ ଝିଟିପିଟି ଅଛନ୍ତି। ତେବେ ଗ୍ଲୋବାଲ୍‌ ଓ୍ଵାର୍ମିଂ ଯୋଗୁ ଏହି ଝିଟିପିଟି ବରଫ ତଳେ ନିଜ ଘର ତିଆରି କରୁଛି।

Spread the love