ବ୍ରିଟେନର ରେଡିଓ ସୋ’ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମା’ଙ୍କୁ ଅସମ୍ମାନିତ କରାଯିବା ପରେ ଟୁଇଟରରେ ଟ୍ରେଣ୍ଡ କଲା #ବଏକଟବିବିସି

ବିବାଦରେ ଅର୍ନ୍ତଜାତୀୟ ଗଣମାଧ୍ୟମ ସଂସ୍ଥା ବିବିସି। ବ୍ରିଟିସ ନିଉଜ ନେଟୱାର୍କର ଏକ ରେଡିଓ ସୋ’କୁ ଜଣେ କଲର ଫୋନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ହୀରାବେନ ମୋଦୀଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ ଦେଇଥିବାରୁ ଏବେ ଟୁଇଟରରେ #ବଏକଟବିବିସି ଟ୍ରେଣ୍ଡ କରିବା ଆରମ୍ଭ କରିଛି।

ବିବିସିର ଏସିଆନ ନେଟୱାର୍କରେ ଆୟୋଜିତ ‘ବିଗ୍ ଡିବେଟ’ ନାମକ ଏକ ରେଡିଓ କାର୍ଯ୍ୟକ୍ରମରେ ଜଣେ କଲର ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ସୋମବାର ପ୍ରସାରିତ ଏହି କାର୍ଯ୍ୟକ୍ରମରେ ବ୍ରିଟେନରେ ଶିଖମାନଙ୍କ ସ୍ଥିତି ଏବଂ ଭାବମୂର୍ତ୍ତି ବିଷୟରେ ତିନି ଘଣ୍ଟା କାଳ ଆଲୋଚନା କରାଯାଇଥିଲା। ବିତର୍କ ମଧ୍ୟରେ ବିଭିନ୍ନ କଲରମାନଙ୍କୁ ଫୋନ କରି ନିଜର ପ୍ରଶ୍ନ ପଚାରିବାକୁ ଅନୁମତି ଦିଆଯିବା ପରେ ସିମୋନ ନାମକ ଜଣେ କଲର ଫୋନ କରି ଭାରତରେ ଚାଲୁଥିବା ଚାଷୀ ଆନ୍ଦୋଳନ ବିଷୟରେ କହିବା ଆରମ୍ଭ କରିଥିଲେ।ଏହା ପରେ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ହୀରାବେନ ମୋଦୀଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ। ସୋ’ର ଉପସ୍ଥାପକ ସିମୋନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଅଟକିନଥିଲେ। ଶେଷରେ ବାଧ୍ୟ ହୋଇ ଉପସ୍ଥାପକଙ୍କୁ ସିମୋନଙ୍କ ଫୋନ କାଟିବାକୁ ପଡ଼ିଥିଲା। ତେବେ ସୋ’ର ପ୍ରସାରଣ ହେବା ପରେ ଏବେ ବିବିସି ବିବାଦ ଘେରକୁ ଆସିଛି। ବିବିସିକୁ ବଏକଟ କରିବା ପାଇଁ ଲୋକେ ଟୁଇଟରରେ ଦାବି କରିବା ଆରମ୍ଭ କରିଛନ୍ତି।

Spread the love